ଡିଆଇପିଆରଓଙ୍କୁ ବିତ୍ତୀୟ ପ୍ରଶିକ୍ଷଣ: ୫-ଟି ଉପକ୍ରମର କର୍ଯ୍ୟାନ୍ବୟନରେ ଅଗ୍ରଣୀ ଭୂମିକା ତୁଲାଅ’: ସଂଜୟ କୁମାର ସିଂ | News Room Odisha

ଡିଆଇପିଆରଓଙ୍କୁ ବିତ୍ତୀୟ ପ୍ରଶିକ୍ଷଣ: ୫-ଟି ଉପକ୍ରମର କର୍ଯ୍ୟାନ୍ବୟନରେ ଅଗ୍ରଣୀ ଭୂମିକା ତୁଲାଅ’: ସଂଜୟ କୁମାର ସିଂ

ଭୁବନେଶ୍ୱର: ୫-ଟି ଉପକ୍ରମ ଆଧାରରେ ବିଭିନ୍ନ ବିଭାଗର ଜନକଲ୍ୟାଣକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ଯୋଗ ଦେଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନଙ୍କର ‘ହିସାବ ରକ୍ଷଣ ଓ ବିତ୍ତୀୟ ପରିଚାଳନା’ ସଂପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ପ୍ରକାଶ କରିଛନ୍ତି ।

ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଭୂବନେଶ୍ୱର ସ୍ଥିତ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନ ଠାରେ ଆୟୋଜିତ ଏହି ତିନି ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ଏହା କହିଛନ୍ତି ।

ଏହି ପରିପ୍ରେକ୍ଷୀରେ ଶ୍ରୀ ସିଂ କହିଥିଲେ ଯେ, ଶିଖିବାର କୌଣସି ବୟସ ସୀମା ନାହିଁ । କାର୍ଯ୍ୟରତ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଫଳରେ ସେମାନଙ୍କର ଦକ୍ଷତା ବୃଦ୍ଧି ଘଟିବ ଓ ସରକାରୀ କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ପ୍ରଚାର ପ୍ରସାର ଦିଗରେ ସେମାନେ ଅଧିକ ଦକ୍ଷତାର ସହ କାର୍ଯ୍ୟ ନିର୍ବାହ କରିପାରିବେ ବୋଲି ଶ୍ରୀ ସିଂ ପ୍ରକାଶ କରିଛନ୍ତି l ଏଥିସହିତ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରତିବର୍ଷ ପ୍ରଶିକ୍ଷଣ ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି, ଭାରତୀୟ ଜନ ସଂଚାର ସଂସ୍ଥାନ,ଢେଙ୍କାନାଳ ସମେତ ଅନ୍ୟ ରାଜ୍ୟରେ ଥିବା ସୂଚନା ଓ ପ୍ରସାରଣ ବ୍ୟବସ୍ଥା ସମ୍ପର୍କରେ ଜାଣିବା ପାଇଁ ଷ୍ଟଡି ଟୁର ବା ଶୈକ୍ଷିକ ଭ୍ରମଣ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିବା ସମ୍ପର୍କରେ ସେ ମତବ୍ୟକ୍ତ କରିଥିଲେ l
ସେହିପରି ବିଭାଗର ସୂଚନା ଅଧିକାରୀ, କ୍ୟାମେରାମ୍ୟାନ, ଫଟୋଗ୍ରାଫର ଆଦିଙ୍କୁ ବିଜୁ ପଟ୍ଟନାୟକ ଚଳଚିତ୍ର ଓ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ରେ ପ୍ରଶିକ୍ଷଣ ଦିଆଯିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ l

କାର୍ଯ୍ୟକ୍ରମରେ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ଯୋଗଦେଇ କହିଲେ ଯେ, ଇତି ମଧ୍ୟରେ ସୂଚନା ସେବା ଅଧିକାରୀମାନଙ୍କ କ୍ୟାଡର ପୁନର୍ଗଠନ କରାଯାଇଛି l କେତେକ ଅଧିକାରୀ ପଦୋନ୍ନୋତି ପାଇଛନ୍ତି l ଆୟୋଜିତ ଏହି ପ୍ରଶିକ୍ଷଣ, ବିଭାଗୀୟ ଅଧିକାରୀମାନଙ୍କର ଦକ୍ଷତା ବୃଦ୍ଧି ସହିତ ସେମାନଙ୍କୁ ବିତ୍ତୀୟ ଶୃଙ୍ଖଳା ଅନୁପାଳନ ପୂର୍ବକ ସୁଚାରୁରୂପେ କାର୍ଯ୍ୟ ସଂପାଦନ କରିବାରେ ସହାୟକ ହେବ ବୋଲି ଶ୍ରୀ ତ୍ରିପାଠୀ କହିଥିଲେ ।

ଆଜିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନର ପାଠ୍ୟକ୍ରମ ନିର୍ଦ୍ଦେଶକ ତଥା ଯୁଗ୍ମ ନିର୍ଦ୍ଦେଶିକl ଚିରସ୍ମିତା ସାହୁ, ଅବସରପ୍ରାପ୍ତ ବିତ୍ତ ଅଧିକାରୀ (ଏ.ଜି) ଶ୍ରୀ ଶରତ ଚନ୍ଦ୍ର ରାୟ, ରାଜ୍ୟ କୋଷାକାର ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଦୀପକ ରଂଜନ ଚୌଧୁରୀ ପ୍ରଶିକ୍ଷଣ ପ୍ରଦାନ କରି ଓ.ଜି.ଏଫ୍.ଆର୍ ଏବଂ ଡି.ଏଫ୍.ପି.ଆର୍ ଅନୁଯାୟୀ ଦ୍ରବ୍ୟ କ୍ରୟ, ଡିଡିଓ ମାନଙ୍କର ଭୂମିକା, ସମନ୍ୱିତ ବିତ୍ତୀୟ ପରିଚାଳନା ବ୍ୟବସ୍ଥାରେ ଅନ୍ ଲାଇନ୍ ଯୋଗେ ବିଲ୍ ଦାଖଲ ପ୍ରକ୍ରିୟା ଆଦି ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିରରେ ବଜେଟ୍ ପ୍ରସ୍ତୁତି, ପେନସନ ନିୟମ, ସରକାରୀ ବିତ୍ତୀୟ ବ୍ୟବସ୍ଥା ଓ ଅଡିଟ୍, ଆୟକର ପ୍ରଦାନରେ ଟିଡିଏସ୍ ବ୍ୟବସ୍ଥା, ଜି.ଏସ୍.ଟି., ଜି.ଇ.ଏମ୍ ପୋର୍ଟାଲର ବ୍ୟବହାର ଆଦି ସଂପର୍କରେ ପ୍ରଶିକ୍ଷଣ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁଙ୍କ ସମେତ ବିଭାଗର ଉପଶାସନ ସଚିବ ମନ୍ୟୁ ପ୍ରକାଶ ଆଚାର୍ଯ୍ୟ, ଉପବିଭାଗ ଅଧିକାରୀ ସୌମ୍ୟରଂଜନ ବିଶ୍ୱାଳ ଏବଂ ମଧୁସୂଦନ ଦାସ ଆଂଚଳିକ ବିତ୍ତୀୟ ପରିଚାଳନା ପ୍ରତିଷ୍ଠାନର ଉପ ନିର୍ଦ୍ଦେଶକ ଭାନୁ ମଙ୍ଗଳ ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ବିତ୍ତ ଅଧିକାରୀ ପୃଥ୍ୱୀରାଜ ପାଣି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉପାଦେୟତା ସଂପର୍କରେ ବର୍କ୍ତବ୍ୟ ରଖିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।