ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ଡ. ଲେନିନ୍ ମହାନ୍ତିଙ୍କ ଦାୟିତ୍ବ ଗ୍ରହଣ | News Room Odisha

ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଭାବେ ଡ. ଲେନିନ୍ ମହାନ୍ତିଙ୍କ ଦାୟିତ୍ବ ଗ୍ରହଣ

ଭୁବନେଶ୍ବର: ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଲିମିଟେଡର ଅଧ୍ୟକ୍ଷ ଭାବେ ଡ. ଲେନିନ୍ ମହାନ୍ତି ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଡ. ମହାନ୍ତି ଓଟିଡିସି କାର୍ଯ୍ୟାଳୟରେ ପହଞ୍ଚି ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ଶ୍ବେତାସ୍ନିଗ୍ଧା ମିଶ୍ରଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । କାର୍ଯ୍ୟାଳୟରେ ପହଁଚିବା ପରେ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ , ବିଭାଗର ସ୍ବତନ୍ତ୍ର ଅଧିକାରୀ ଅଂଶୁମାନ ରଥ , ଓଟିଡିସିର ମ୍ୟାନେଜର ଶକ୍ତିକାନ୍ତ ରାୟ , କାର୍ଯ୍ୟାଳୟର କମ୍ପାନୀ ସେକ୍ରେଟାରୀ ପ୍ରଶାନ୍ତ ପଣ୍ଡାଙ୍କ ସମେତ ସମସ୍ତ କର୍ମଚାରୀ , ମାନ୍ୟଗଣ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁମାନେ ଉପସ୍ଥିତ ରହି ଡଃ ମହାନ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ନୂତନ କାର୍ଯ୍ୟଭାର ଗ୍ରହଣ ଅବସରରେ ଡ. ମହାନ୍ତି କହିଛନ୍ତି ଯେ , ମୁଖ୍ୟମନ୍ତ୍ରୀ ତାଙ୍କ ଉପରେ ଭରସା କରି ଯେଉଁ ଦାୟିତ୍ବ ଦେଇଛନ୍ତି । ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ସେ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବା ପାଇଁ ସେ ପୂର୍ବ ପ୍ରୟାସ ଜାରି ରହିବେ । ଓଟିଡିସିର ଅଧ୍ୟକ୍ଷ ହିସାବରେ ପର୍ଯ୍ୟଟକମାନଙ୍କୁ ସୁଲଭ ମୂଲ୍ୟରେ ବିଶ୍ବସ୍ତରୀୟ ସେବା ଯୋଗାଇଦେବାକୁ ଅଗ୍ରାଧିକାର ଦେବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ , ପର୍ଯ୍ୟଟନ ବିଭାଗରେ ଏବେ ଅନେକଗୁଡିଏ ଭଲ ଭଲ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ପର୍ଯ୍ୟଟନ ଶିଳ୍ପର ବିକାଶ ଓ ସମୃଦ୍ଧି ପାଇଁ ଓଟିଡିସି ଏକ ପ୍ରମୁଖ ସହଯୋଗୀ ଭାବେ କାର୍ଯ୍ୟ କରିବ । କୋଭିଡ୍ ପରବର୍ତୀ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ଓଡିଟିସି ଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଗମର ଅଧ୍ୟକ୍ଷ ଭାବେ ତାଙ୍କୁ କାର୍ଯ୍ୟ କରିବା ପାଇଁ ଯେଉଁ ସୁଯୋଗ ଦେଇଛନ୍ତି । ରାଜ୍ୟବାସୀଙ୍କ ସେବା ପାଇଁ ତାଙ୍କର ସର୍ବଶ୍ରେଷ୍ଠ ପ୍ରଚେଷ୍ଟା ରହିବ ।

ପୂର୍ବରୁ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ପ୍ରକାଶ ପାଉଥିବା ଓଡିଶା ସରକାରଙ୍କ ମୁଖପତ୍ର ‘ ଉତ୍କଳ ପ୍ରସଙ୍ଗ ‘ ଏବଂ ‘ ଓଡିଶା ରିଭ୍ୟୁ’ ର ସଂପାଦକ ଭାବେ ଡ . ମହାନ୍ତି ସୁନାମ ଅର୍ଜନ କରିଛନ୍ତି । ଏହି ପତ୍ରିକା ଦ୍ଵୟର ନିୟମିତ ପ୍ରକାଶନ ସାଙ୍ଗକୁ ଏହାର ନବକଳେବର ସ୍ବତନ୍ତ୍ର ସଂଖ୍ୟା , ଓଡିଶାରେ ଗାନ୍ଧିଜୀଙ୍କ ଆଗମନ ପତ୍ରିକାର ଇଂରାଜୀ ଏବଂ ଓଡିଶା ଭାଷା ସଂସ୍କରଣର ପୁନଃ ପ୍ରକାଶନ ଭଳି ପତ୍ରିକା ପ୍ରକାଶନରେ ସେ ଯେଉଁଭଳି ନିରବଚ୍ଛିନ୍ନ ପ୍ରୟାସ କରିଥିଲେ ।

ସେହିଭଳି ଓଡିଟିସି ଭଳି ଏକ ଗୁରୁତ୍ବପୂର୍ଣ୍ଣ ନିଗମର କାର୍ଯ୍ୟକୁ ସୁଚାରୁ ରୂପେ ତୁଲାଇବା ସହ ଏହାକୁ ଶୀର୍ଷତମ ସୋପାନରେ ପହଁଚାଇବାକୁ ତାଙ୍କର ପୂର୍ବ ପ୍ରୟାସ ଜାରି ରହିବ ବୋଲି ଏହି ଅବସରରେ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଓଡିଡିସି ଅଧ୍ୟକ୍ଷ ଡ . ମହାନ୍ତି ପ୍ରକାଶ କରିଛନ୍ତି ।