ବ୍ରହ୍ମପୁର: ତୁମ ଜୀବନର ଲକ୍ଷ୍ୟ କଣ ? ମଙ୍ଗଳବାର ଭିଡିଓ କନଫରେନ୍ସିଂରେ ଯେତେବେଳେ ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଏଇ ପ୍ରଶ୍ନଟି ପଚାରି ଛାତ୍ରଛାତ୍ରୀଙ୍କ ଠାରୁ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ବୁଝୁଥିଲେ ସେତେବେଳେ ଚିକିଟି ବ୍ଲକ୍ ପାତିସୁନାପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟର ୯ମ ଶ୍ରେଣୀ ଛାତ୍ର ଏସ୍.ଭାସ୍କର ଉତ୍ତର ଦେଇଥିଲେ ଯେ ସେ ବଡ଼ ହୋଇ ଜଣେ ପାଇଲଟ୍ ହେବାର ଆଗ୍ରହ ରଖିଛନ୍ତି।
କେବଳ ସେତିକି ନୁହେଁ ଯେତେବେଳେ ପାଣ୍ଡିଆନ୍ ଆମ ରାଜ୍ୟର କିମ୍ବଦନ୍ତୀ ବୈମାନିକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବା ଏବେକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ପାଇଲଟ୍ ଜୀବନ ଉପରେ ପଚାରିଥିଲେ ସେତେବେଳେ ଭାସ୍କର ସହଜରେ ସଠିକ୍ ଉତ୍ତର ରଖିଥିଲେ। ଏଥିରେ ବେଶ୍ ଖୁସି ବ୍ୟକ୍ତ କରିଥିଲେ ୫-ଟି ସଚିବ। ଛାତ୍ର ଜଣଙ୍କର ସ୍ବପ୍ନ ତଥା ଲକ୍ଷ୍ୟ ପୂରଣ ପାଇଁ ଶୁଭେଚ୍ଛା ଜଣାଇଥିଲେ ସେ। ଆହୁରି ମଧ୍ୟ ଛାତ୍ର ଜଣଙ୍କୁ ଉତ୍ସାହିତ କରିବାକୁ ବିଜୁବାବୁଙ୍କ ଜୀବନ ସମ୍ପର୍କିତ କିଛି ପୁସ୍ତକ ଜିଲ୍ଲାପାଳଙ୍କ ଜରିଆରେ ତାଙ୍କ ପାଖକୁ ପଠାଇବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ ସଚିବ ପାଣ୍ଡିଆନ୍। ଗତ ୧୧ ତାରିଖରେ ଗଞ୍ଜାମ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୫-ଟି ହାଇସ୍କୁଲ ରୂପାନ୍ତରଣ ସମ୍ପର୍କରେ ଭିଡିଓ କନଫରେନ୍ସିଂରେ ବିଭିନ୍ନ ଉଚ୍ଚବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍କୁଲ କମିଟି କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି, ଶିକ୍ଷା ବିଭାଗ ଓ ସ୍ଥାନୀୟ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ ୫-ଟି ସଚିବ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନ୍। ସେତେବେଳେ ଏସ୍.ଭାସ୍କର ସହ ୫-ଟି ସଚିବଙ୍କ ଏହି ବାର୍ତ୍ତାଳାପ ହୋଇଥିଲା। ସେତେବେଳେ ସଚିବ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ଯେ ସେମାନେ ସର୍ବଦା ବିରାଟ ସ୍ବପ୍ନ ଦେଖନ୍ତୁ ଓ ସେହି ସ୍ବପ୍ନକୁ ବାସ୍ତବ ରୂପ ଦେବାପାଇଁ କଠିନ ପରିଶ୍ରମ ମଧ୍ୟ କରନ୍ତୁ।
ହେଲେ ଶୁକ୍ରବାର ଭାସ୍କର ଅତ୍ୟନ୍ତ ଖୁସି ହୋଇଯାଇଥିଲେ ଯେତେବେଳେ ସେ ଜାଣିବାକୁ ପାଇଥିଲେ ଯେ ୫-ଟି ସଚିବ ଯାହା ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି। ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା ଉକ୍ତ ଛାତ୍ର ଜଣଙ୍କୁ ସଚିବ ପାଣ୍ଡିଆନ୍ ପଠାଇଥିବା ବିଜୁବାବୁଙ୍କ ଜୀବନ ସମ୍ପର୍କିତ ପୁସ୍ତକ (ଦ ଆଡଭେଞ୍ଚରସ୍ ଅଫ୍ ଦି ଡେର୍ ଡେଭିଲ୍ ଡେମୋକ୍ରାଟ୍) ପ୍ରଦାନ କରିବା ସହ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ। ଉକ୍ତ ପୁସ୍ତକକୁ ପଢ଼ି ସେଥିରୁ ପ୍ରେରଣା ଗ୍ରହଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ ସଚିବ ପାଣ୍ଡିଆନ୍। ଏହି ବହିରେ ବିଜୁବାବୁଙ୍କ ଜୀବନ, ତାଙ୍କ ପ୍ରେରଣାଦାୟୀ ମହାନ କାର୍ଯ୍ୟ, ପାଇଲଟ୍ ଭାବେ ତାଙ୍କ ଭୂମିକା ଆଦି ବର୍ଣ୍ଣିତ ରହିଛି। ବହିଟି ପାଇବା ପରେ ଏସ୍.ଭାସ୍କର, ତାଙ୍କ ପିତାମାତା, ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ସ୍କୁଲ କମିଟି କର୍ମକର୍ତ୍ତା ଓ ଗ୍ରାମବାସୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି।