ବ୍ରହ୍ମପୁର ପୋଲିସର ମାନବିକତା: ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା | News Room Odisha

ବ୍ରହ୍ମପୁର ପୋଲିସର ମାନବିକତା: ମାନସିକ ବିକୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କଲା

ବ୍ରହ୍ମପୁର: ସୁଦୂର ଆନ୍ଧ୍ରପ୍ରଦେଶରୁ ଆସି ଦିନ ମଜୁରୀ ଲାଗି ପେଟ ପୋଷୁଥିଲେ। ବ୍ରହ୍ମପୁର ରେଳଷ୍ଟେସନ୍‌ ନିକଟରେ ଝାଟିମାଟି କୁଡ଼ିଆରେ ସପରିବାର ମୁଣ୍ଡ ଗୁଞ୍ଜିଥିଲେ। ହେଲେ ମାନସିକ ବିକୃତି ମଧ୍ୟ ରହିଥିଲା। ଏହି କାରଣରୁ କାମ ସାରି ଘରକୁ ଫେରିବା ବେଳେ ବାଟ ଭୁଲି ଅନ୍ୟମନସ୍କ ହୋଇ ଚାଲି ଚାଲି ବ୍ରହ୍ମପୁରରୁ ରଙ୍ଗେଇଲୁଣ୍ଡା ବ୍ଲକ୍ ମେଲକତୁରୁ ଗାଁ ପଟକୁ ରାତିରେ ଚାଲିଯାଇଥିଲେ ଜଣେ ବ୍ୟକ୍ତି। ତେବେ ଗାଁ ଲୋକ ତାଙ୍କୁ ଚୋର ବୋଲି ସନ୍ଦେହ କରିଥିଲେ। ରାତି ଅଧରେ ସନ୍ଦିଗ୍ଧ ଭାବେ ଜଣେ ଲୋକ ଏପଟସେପଟ ବୁଲିବା ଦେଖି ଲୋକେ ଏଭଳି ଭାବିବା ସ୍ବାଭାବିକ ଥିଲା। ତେଣୁ ଗାଁର କିଛି ଯୁବକ ଓ ଗ୍ରାମବାସୀ ତାଙ୍କୁ କାବୁ କରି ଉତ୍ତମ ମଧ୍ୟମ ଦେବାକୁ ପ୍ରସ୍ତୁତ ହେଉଥିଲେ। ଗ୍ରାମବାସୀ ସନ୍ଦେହରେ ତାଙ୍କୁ ପଚରାଉଚୁରା କରିବା ବେଳେ ମାନସିକ ବିକୃତି କାରଣରୁ ସେକୌଣସି ସଠିକ୍ ଉତ୍ତର ଦେଇ ପାରି ନଥିଲେ। ଏପରିକି ସେ କଣ କହୁଥିଲେ ଗାଁ ଲୋକ ତାହାକୁ ଠିକ୍ ଭାବେ ବୁଝି ପାରୁ ନଥିଲେ।

ହେଲେ ଠିକ୍ ସମୟରେ ଏହି ଖବର ପାଇଥିଲା ଗୋଳନ୍ଥରା ଥାନା ପୋଲିସ। ତତ୍ପରତାର ସହ ପଦକ୍ଷେପ ଗ୍ରହଣ କରି ତୁରନ୍ତ ସଦଳବଳେ ପହଞ୍ଚିଥିଲା ମେଲକତୁରୁ ଗାଁରେ। ପୋଲିସ ବାହିନୀ ମାନବିକତା ପ୍ରଦର୍ଶନ କରି ଗାଁ ଲୋକଙ୍କୁ ବୁଝାସୁଝା କରିବା ସହ ସମ୍ପୃକ୍ତ ବ୍ୟକ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଗାଣ୍ଟିଆଡ଼ା ଅଞ୍ଚଳର ଜି.ଶ୍ରୀନୁଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ଅଭିଯୁକ୍ତ ସନ୍ଦେହ କରିବା ବଦଳରେ ତାଙ୍କ ପରିସ୍ଥିତି ବୁଝି ସୁଝି ତାଙ୍କୁ ଡାକ୍ତରଖାନା ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିଲା। ଏଥିସହ ପରିବାର ଠିକଣା ବୁଝି ଷ୍ଟେସନ୍‌ ନିକଟ ଘରେ ମଧ୍ୟ ସୁରକ୍ଷିତ ଭାବେ ଛାଡ଼ି ଆସିଥିଲା। ଗୋଳନ୍ଥରା ଥାନା ପୋଲିସର ଏଭଳି ମାନବକିତା ସାଧାରଣରେ ପ୍ରଶଂସନୀୟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ବ୍ରହ୍ମପୁର ପୋଲିସ ପୂର୍ବରୁ ମଧ୍ୟ ଏଭଳି ମାନବିକତା ଓ କର୍ତ୍ତବ୍ୟନିଷ୍ଠା ପ୍ରଦର୍ଶନ କରିବାର ଅନେକ ନଜିର ରହିଛି। ବୃଦ୍ଧବୃଦ୍ଧା, ଶିଶୁଙ୍କୁ ସୁରକ୍ଷିତ ରାସ୍ତା ପାର କରାଇବା ହେଉ ବା ଅସହାୟ, ଭୋକିଲାଙ୍କୁ ଖାଦ୍ୟ ଦେବା, କୋଭିଡ୍ ସମୟରେ ନିଜ ଜୀବନକୁ ପଛ କରି ଲୋକଙ୍କ ସେବା କରିବା ଅଥବା ଧୁ ଧୁ ବର୍ଷା ବା ଖରା ସତ୍ତ୍ବେ ଟ୍ରାଫିକ୍ ପୋଷ୍ଟରେ ନିଜ ଦାୟିତ୍ଵ ସୂଚାରୁ ରୂପେ ତୁଲାଇବା… ଏଭଳି ଅନେକ ଘଟଣାର ନଜିର ରହିଛି। ଅପରପକ୍ଷରେ ଗାଁ ଗହଳରେ ଲୋକଙ୍କୁ ଆଇନକୁ ହାତକୁ ନନେବା, ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ଵାସର ବଶବର୍ତ୍ତୀ ନହେବା ଆଦି ନେଇ ପୋଲିସ ସଫଳତାର ସହ ସଚେତନତା ସୃଷ୍ଟି କରି ଆସୁଛି। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ କହିଛନ୍ତି ଯେ ଲୋକେ ଆଇନକୁ ନିଜ ହାତକୁ ନେବାରୁ ନିବୃତ ରହିବା ଉଚିତ। କୈଣସି ବ୍ୟକ୍ତି ଏପରିକି ସେ ଅପରାଧୀ ହେଲେ ମଧ୍ୟ ଲୋକେ ତାଙ୍କୁ ମାରପିଟ୍ କରିବା ଦଣ୍ଡନୀୟ ଅପରାଧ ଅଟେ। ପ୍ରତି ବଦଳରେ ଲୋକେ ଏଭଳି ବ୍ୟକ୍ତିଙ୍କ ବାବଦରେ ପୋଲିସକୁ ଯଥାଶୀଘ୍ର ସୂଚନା ଦିଅନ୍ତୁ ବୋଲି ବ୍ରହ୍ମପୁର ଏସପି ପରାମର୍ଶ ଦେଇଛନ୍ତି।