୬ ବର୍ଷର କଷ୍ଟକୁ ଆଜି ମୁଖ୍ୟମନ୍ତ୍ରୀ ନିମିଷକରେ ଲାଘବ କରିଦେଲେ | News Room Odisha

୬ ବର୍ଷର କଷ୍ଟକୁ ଆଜି ମୁଖ୍ୟମନ୍ତ୍ରୀ ନିମିଷକରେ ଲାଘବ କରିଦେଲେ

ସମ୍ବଲପୁର : ଦୀର୍ଘ ୬ ବର୍ଷ ଧରି ନାମକୁ ମାତ୍ର ଭତ୍ତାରେ ପରିବାର ପ୍ରତିପୋଷଣ କେତେ ଯେ କାଠିକର ତାହା ବର୍ଣନା କରିବା ମୁସ୍କିଲ। ତାହାରି ଭିତରେ କେବେ ବି ଦାୟିତ୍ବ ତଥା ନିଷ୍ଠାରେ ଉଣା କରିନାହୁଁ। ହେଲେ ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ୭୦ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ତଥା ତାଙ୍କ ପରିବାରକୁ ବିରାଟ ଆଶ୍ବସ୍ତି ଦେଇଛି। ଏହି ଖୁସି ଭାଷାରେ ବର୍ଣନା କରିବା ଅସମ୍ଭବ। ସେହି ୬ ବର୍ଷର କଷ୍ଟକୁ ନିମିଷକରେ ମୁଖ୍ୟମନ୍ତ୍ରୀ ଦୂର କରି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଚୁକ୍ତିଭିତ୍ତିକ ନିଯୁକ୍ତି ବନ୍ଦ କରି ସମସ୍ତ ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା କରିବା ପରେ ବରଗଡ ଜିଲ୍ଲାର ଭେଡେନ ବ୍ଲକରେ ସହକାରୀ ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟରତ ଥିବା ନରୋତ୍ତମ ପଣ୍ଡା ଆନନ୍ଦାଶ୍ରୁ ଗଡାଇ ଏଭଳି ମତବ୍ୟକ୍ତ କରିଛନ୍ତି।

ଶ୍ରୀ ପଣ୍ଡା ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘର ବରଗଡ ଜିଲ୍ଲା ଆବାହକ ଥିବା ବେଳେ ଏହି ଆନ୍ଦୋଳନରେ ସେ ପ୍ରତ୍ୟକ୍ଷ ଭାବେ ସାମିଲ ଥିଲେ। ତେବେ, ସେ ନବୀନ ବାବୁ ଏଭଳି ନିଷ୍ପତ୍ତି ନେବେ ବୋଲି ଦୃଢ ଆଶାବାଦୀ ଥିଲେ ବୋଲି ପ୍ରକାଶ କରିଛନ୍ତି। ପୂର୍ବରୁ ଏକ ଘରୋଇ କଲେଜରେ ଅସ୍ଥାୟୀ ଭାବେ ଲାଇବ୍ରେରିଆନ୍ ଚାକିରି କରିଥିବା ଶ୍ରୀ ପଣ୍ଡା ୪୨ ବର୍ଷରେ ଏଆରଆଇ ପଦବିରେ ଯୋଗ ଦେଇଥିଲେ। ବର୍ତ୍ତମାନ ତାଙ୍କୁ ୪୮ ବର୍ଷ ହୋଇସାରିଛି। ପୂର୍ବର ୬ ବର୍ଷିଆ ଚୁକ୍ତି ଅନୁସାରେ ସେ ଆସନ୍ତା ଜାନୁଆରୀରୁ ରେଗୁଲାର୍ ହୋଇଥାନ୍ତେ। ଏହି ଦୃଷ୍ଟିରୁ ଆଜିର ଘୋଷଣା ତାଙ୍କ ପାଇଁ ବିଶେଷ ଲାଭପ୍ରଦ ହୋଇନଥିଲେ ହେଁ ଚୁକ୍ତିଭିତ୍ତିକ ଭଳି କୁତ୍ସିତ ପରମ୍ପରାକୁ ରାଜ୍ୟ ସରକାର ଅନ୍ତଃ ଘଟାଇ ସାରା ରାଜ୍ୟରେ କାର୍ଯ୍ୟରତ ୭୦ ହଜାରରୁ ଅଧିକ କର୍ମଚାରୀ ଏବଂ ସେମାନଙ୍କ ପରିବାର ମୁହଁରେ ହସ ଫୁଟାଇଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ ପରି ଶିକ୍ଷା, ସ୍ବାସ୍ଥ୍ୟ, ରାଜସ୍ବ, ପରିସଂଖ୍ୟାନ ଆଦି ୪୨ଟି ବିଭାଗରେ ଏଭଳି ସ୍ବଳ୍ପ ପାରିଶ୍ରମିକରେ ଅସ୍ଥାୟୀ ଚାକିରିଆର ଅପବାଦ ମୁଣ୍ଡାଇ ଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଆଜିର ଦିନଟି ସାରା ଜୀବନ ପାଇଁ ସ୍ମରଣୀୟ ହୋଇରହିବ ବୋଲି ମତପ୍ରକାଶ ପାଇଛି।
ଏନେଇ ଆଜି ବିଭିନ୍ନ ସ୍ଥାନରେ ଅସ୍ଥାୟୀ କର୍ମଚାରୀମାନେ ଏକାଠି ହୋଇ ମିଠା ବାଣ୍ଟି ଖୁସି ମନାଉଥିବା ଦେଖିବାକୁ ମିଳିଛି। ସେମାନେ ମୁଖ୍ୟମନ୍ତ୍ରୀଙ୍କୁ କୋଟି କୋଟି ଧନ୍ୟବାଦ ଦେଇ ସାରା ଦେଶ ପାଇଁ ଉଦାହରଣ ବୋଲି କହିଛନ୍ତି।