ଭାରତରେ ପର୍ବପର୍ବାଣି ଗୁଡିକ ଋତୁ,ଧର୍ମ ଏବଂ ସାମାଜିକ ଭିତ୍ତିରେ ପାଳନ କରାଯାଏ।ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ।ରାଜ୍ୟ ତଥା ପ୍ରାନ୍ତକୁ ନେଇ ଭିର୍ଣ୍ଣ ଭିର୍ଣ୍ଣ ସ୍ଥାନରେ ଭିର୍ଣ୍ଣ ଭିର୍ଣ୍ଣ ନାମରେ ତଥା ସମୟରେ ଅନେକପର୍ବ ପାଳନ ହୋଇଥାଏ।ଆମ ରାଜ୍ୟ ଓଡ଼ିଶାରେ କୁହାଯାଏ ୧୨ ମାସରେ ୧୩ ପର୍ବ।
ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି।ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ।ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି।ଇଂରାଜୀ ମାସ ଅକ୍ଟୋବରରେ ପଡେ ଏହି ସଂକ୍ରାନ୍ତି। ଗର୍ଭ ଅର୍ଥାତ୍ ଭୃଣ। ଏହି ସଂକ୍ରାନ୍ତି ବେଳକୁ ଧାନ ଗଛର ଗର୍ଭରେ ଧାନକେଣ୍ଡା ବାହାରେ।ଏହି ସମୟରେ ଗର୍ଭଣା ଗଛର ଡାଳକୁ ପୂଜାକରି କ୍ଷେତରେ ପୋତିଲେ ଭଲ ଫସଲ ହୁଏ ବୋଲି ବିଶ୍ୱାସ ରହିଛି। ଗର୍ଭଣା ଗଛକୁ କେତେକ ସ୍ଥାନରେ ଅଙ୍କରାନ୍ତି ଗଛ ମଧ୍ୟ କୁହାଯାଏ।
ଚାଷୀମାନେ ଏହି ଦିନଟିକୁ ନିଷ୍ଠାର ସହିତ ପାଳନ କରନ୍ତି।ଗୃହ ମାଲିକ ତଥା କୃଷକ ସ୍ନାନାଦି କର୍ମ ସାରି ଗର୍ଭଣା ଗଛର ଡାଳ ଆଣି ବିଧିପୂର୍ବକ ପୂଜା କଲାପରେ ଧାନକ୍ଷେତରେ ପୋତି ଦିଅନ୍ତି।ଜମିରେ ଖିରି ପ୍ରସ୍ତୁତକରି ପୂଜା କରନ୍ତି।କେତେକ ସ୍ଥାନରେ ଘରେ ତିଆରି ହୋଇଥିବା ପିଠାକୁ ନେଇ ଚାଷ ଜମିରେ ପୋତି ପୂଜା କରନ୍ତି। ଗର୍ଭଣା ସଂକ୍ରାନ୍ତି ଉପରେ ଏକ ପ୍ରଚଳିତ ଢଗ ଅଛି “ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ”। ଅର୍ଥାତ୍ ଆଗ ପଛ ହୋଇ ଧାନ ବୁଣା ହେଲେ ମଧ୍ୟ, ଗର୍ଭଣା ସଂକ୍ରାନ୍ତି ବେଳକୁ ଧାନଗଛରେ ଥୋଡ଼ ଧରିଥାଏ। ଏହା ଶାଳିଧାନ୍ୟ। ଏହାର ଅନ୍ୟନାମ ‘ଶାରଦ’ ବା ‘ହୈମନ୍ତିକ’ ଧାନ। କାରଣ ଏହି ଧାନ ଫସଲର ମୁଖ୍ୟ ସମୟ ଶରତ ଓ ହେମନ୍ତ। ପୃଥିବୀର ଏହି ପ୍ରଧାନ ଶସ୍ୟକୁ ମହାଲକ୍ଷ୍ମୀ ଭାବରେ ଗ୍ରହଣ କରାଯାଏ। କାରଣ ଏହା ଏକାଧାରରେ ଶସ୍ୟ, ବୀଜ, ତଣ୍ଡୁଳ, ପତ୍ର, ଅଙ୍କୁର, କାଣ୍ଡ, କୋଷ, ପୁଷ୍ପ ଓ କ୍ଷୀର ଅଟେ।
ମହାଭାରତ ଅନୁସାରେ, ଏହାମଧ୍ୟ ଏକାଧାରରେ ଦେବତାମାନଙ୍କ ନିମିତ୍ତ ଅନ୍ନ (ଅମୃତ) ଚରୁ ଭାବରେ, ନାଗମାନଙ୍କର ଅନ୍ନ ସୁଧା (କ୍ଷୀର) ଭାବରେ, ପିତୃପୁରୁଷଙ୍କ ନିମିତ୍ତ ଅନ୍ନ ସ୍ୱଧା (ପିଣ୍ଡ) ଭାବରେ ଏବଂ ପଶୁମାନଙ୍କର ଅନ୍ନ ତୃଣଲତା ଆଦି ଭାବରେ ଉତ୍ପନ୍ନ ହୋଇ ଅନ୍ନଦାନରେ ସମର୍ଥ ହୋଇଥାଏ। ଲକ୍ଷ୍ମୀଙ୍କ ସହିତ ସର୍ବଦା ଜଡ଼ିତ ହୋଇଥିବାରୁ ଏହାକୁ ପ୍ରଜନନ ଶକ୍ତିର ପ୍ରତୀକ (ଧାନମେଣ୍ଟା, ମାଣଧାନ ଆଦି) ଭାବରେ ପୂଜା କରାଯାଇଥାଏ।ଏହା ସମସ୍ତ ପ୍ରାଣୀଙ୍କର ପ୍ରାଣାଧାର ହୋଇଥିବାରୁ ଏହାର ସର୍ବମାନ୍ୟତା ସର୍ବଦା ରହି ଆସିଛି।
ଲୋକ ବିଶ୍ୱାସ ଅନୁଯାୟୀ ବିଶେଷ କରି ପୁରୀ ଜିଲ୍ଲାରେ ଏହିଦିନ ଏକ ନୂତନ ହାଣ୍ଡିରେ ଜୀବନ୍ତ ନାଗସର୍ପ କୁ ରଖାଯାଇ ସହର ପରିକ୍ରମା କରା ଯାଇଥାଏ। ଏବଂ ସନ୍ଧ୍ୟାରେ ସେ ସର୍ପ କୁ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଏ।ଏହି ସମୟରେ ସମସ୍ତଙ୍କୁ ଚକ୍ର କେଦାର ଗଦ ପ୍ରସାଦ ଭାବରେ ସେବନ କରିବାକୁ ଦିଆଯାଏ।ଏହା ପଛ ରେ ଏକ ବିଶେଷ କାରଣ ରହିଛି ଯେ ଏହିଦିନ ଗଦ ସେବନ କଲେ ସର୍ପଦଂଶନ ର ଭୟ ରହି ନଥାଏ।ଅନେକ ସ୍ଥାନରେ ଲୋକେ ଗର୍ଭ ପୁରାଇ ଭୋଜନ ମଧ୍ୟ କରିଥାନ୍ତି। ସର୍ବୋପରି କହିବାକୁ ଗଲେ ଏହା ଆମ ଧର୍ମ ଓ ବିଶ୍ୱାସର ଏକ ବିଶେଷ ଦିନ।