ଆଜି ହାଇଦ୍ରାବାଦ ନିବେଶକ ସମ୍ମିଳନୀ ,୩୭ଟି ସଂସ୍ଥା ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ | News Room Odisha

ଆଜି ହାଇଦ୍ରାବାଦ ନିବେଶକ ସମ୍ମିଳନୀ ,୩୭ଟି ସଂସ୍ଥା ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର – ନଭେମ୍ବରରେ ହେବାକୁ ଥିବା ମେକ୍‌‌ ଇନ୍‌‌ ଓଡ଼ିଶା କନକ୍ଲେଭ ପୂର୍ବରୁ ଆଜି ଓଡିଶା ଇନଭେଷ୍ଟର୍ସ ମିଟର ଆଉ ଏକ ସଂସ୍କରଣ ହାଇଦ୍ରାବାଦରେ ଆୟୋଜିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ପ୍ରଶାସନରେ ଏକାଧିକ ଶୀର୍ଷ ଅଧିକାରୀ ଏହି ସମ୍ମିଳନୀରେ ଯୋଗ ଦେବେ । ମୁଖ୍ୟମନ୍ତ୍ରୀ ଦିନ ତମାମ ନିବେଶକ ମାନଙ୍କ ସହ ପ୍ରତ୍ୟକ୍ଷ ଆଲୋଚନା କରି ଓଡ଼ିଶାରେ ନିବେଶ ପାଇଁ ଥିବା ସୁବିଧା ସୁଯୋଗ ବାବଦରେ ଅବଗତ କରିବେ । ଆଜି ଦିନ ୧୧ଟାରୁ ୨ଟା ଯାଏଁ ଏକାଧିକ ଉଦ୍ୟୋଗପତିଙ୍କ ସହ ମୁଖ୍ୟମନ୍ତ୍ରୀ ପ୍ରତ୍ୟକ୍ଷ ଆଲୋଚନା କରିବେ। ଏହି ଆଲୋଚନା କାର୍ଯ୍ୟକ୍ରମକୁ ମୋଟ ୩ଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଦିନ ୧୧ଟାରୁ ୧୧ଟା ୪୫ ମିନିଟ୍‌‌, ଦ୍ୱିତୀୟ ପର୍ଯ୍ୟାୟ ଦିନ ୧୨ଟାରୁ ୧୨ଟା ୪୫ ମିନିଟ୍‌‌ ଏବଂ ତୃତୀୟ ପର୍ଯ୍ୟାୟ ପାଇଁ ଦିନ ୧ଟାରୁ ୧ଟା ୩୦ ମିନିଟ୍‌‌ ଯାଏଁ ସମୟ ଧାର୍ଯ୍ୟ କରାଯାଇଛି।

ଏହା ପରେ ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟାରୁ ସନ୍ଧ୍ୟା ୬ଟା ୧୫ ମିନିଟ୍‌‌ ଯାଏ ଉଦ୍ୟୋଗପତି, ଶିଳ୍ପସଂସ୍ଥା ଏବଂ ଫିକିର ରାଜ୍ୟ ପ୍ରତିନିଧିମଣ୍ଡଳୀଙ୍କ ସହ ଆଲୋଚନା କରିବେ। ଏହା ପରେ ଆନୁଷ୍ଠାନିକ ଭାବେ ୬ଟା ୩୦ ମିନିଟ୍‌‌ରୁ ରାତି ୮ଟା ଯାଏଁ ସ୍ଥାନୀୟ ବଞ୍ଜାରା ହିଲ୍ସର ତାଜ କ୍ରିଷ୍ଣା ହୋଟେଲରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ୩୭ଟି ସଂସ୍ଥା ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ବିଶେଷକରି ମାଇକ୍ରୋସପ୍ଟ, ପିଡବ୍ଲ୍ୟୁସି, ମାଇ ହୋମ୍‌‌, ମେଘା ଇଂଜିନିୟରିଂ, ରାମକୀ, କଣ୍ଟ୍ରୋଲ ଏସ୍‌‌ ଏବଂ ଆପୋଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ। ପ୍ରାୟ ୩୦୦ ପ୍ରତିନିଧି ଏହି ନିବେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଆଇଟି ସଚିବ ମନୋଜ ମିଶ୍ର ଏବଂ ଷ୍ଟାର୍ଟ ଅପ୍‌‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ଆଜିର ସମ୍ମିଳନୀରେ ସାମିଲ ହେବେ । ଗତକାଲି ମୁଖ୍ୟ ଶାସନ ସଚିବ ତେଲେଙ୍ଗାନା ଏବଂ ଆନ୍ଧ୍ର ପ୍ରଦେଶର ବହୁ କମ୍ପାନୀ ପ୍ରତିନିଧିଙ୍କୁ ଭେଟି ପ୍ରତ୍ୟକ୍ଷ ଆଲୋଚନା କରିଛନ୍ତି।