ଗଞ୍ଜାମ ଜିଲ୍ଲାର ୧୦୦ ପଞ୍ଚାୟତରେ ହେବ ଶୀତଳ ପ୍ରକୋଷ୍ଠ | News Room Odisha

ଗଞ୍ଜାମ ଜିଲ୍ଲାର ୧୦୦ ପଞ୍ଚାୟତରେ ହେବ ଶୀତଳ ପ୍ରକୋଷ୍ଠ

ଛତ୍ରପୁର: ଗଞ୍ଜାମ ଜିଲ୍ଲାର ପନିପରିବା ଓ ଫଳ ଫୁଲ ଚାଷୀଙ୍କ ପାଇଁ ଖୁସି ଖବର। ପନିପରିବା, ଫଳ ଚାଷୀ, ଫୁଲ ଚାଷୀମାନେ ଏବେ ନିଜ ପଞ୍ଚାୟତରେ ଉତ୍ପାଦିତ ସାମଗ୍ରୀ ସଂରକ୍ଷଣ ପାଇଁ ପାଇବେ ଶୀତଳ ପ୍ରକୋଷ୍ଠ ସୁବିଧା। ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଲକ୍ଷ୍ୟରେ ରାଜ୍ୟ ସରକାର ଜିଲ୍ଲାର ୧୦୦ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟରେ ଶୀତଳ ପ୍ରକୋଷ୍ଠ (କୋଲ୍ଡ ରୁମ୍) ସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପଟେ ଶୀତଳ ଭଣ୍ଡାର ସ୍ଥାପନ ସକାଶେ ଉତ୍ତମ ଓ ଯଥେଷ୍ଟ ବଡ଼ ଜାଗା ମିଳୁ ନଥିବା ବେଳେ ଏଥିପାଇଁ ଅଧିକ ଅର୍ଥ ମଧ୍ୟ ଦରକାର। ଏଣୁ ସବୁ ସ୍ଥାନରେ ଶୀତଳ ଭଣ୍ଡାର ସ୍ଥାପନ ସମ୍ଭବପର ହେଉନି। ପୁଣି ଚାଷୀଙ୍କୁ ନିଜ ଗାଁ ବା ପଞ୍ଚାୟତ ଠାରୁ ଦୂର ଅନ୍ୟ ଜାଗାକୁ ଯାଇ ସେଠାକାର ଶୀତଳ ଭଣ୍ଡାରରେ ପରିବା ସଂରକ୍ଷଣ କରିବା ସୁବିଧାଜନକ ହେଉ ନଥିଲା। ଏଣୁ ଏହାର ବିକଳ୍ପ ସ୍ବରୂପ ଛୋଟ ଜାଗାରେ, କମ୍ ବ୍ୟୟରେ ତଥା ଚାଷୀଙ୍କ ହାତପାଆନ୍ତା ନିଜ ପଞ୍ଚାୟତରେ ଶୀତଳ ପ୍ରକୋଷ୍ଠ ସ୍ଥାପନ ଯୋଜନାକୁ ରାଜ୍ୟ ସରକାର ମଞ୍ଜୁର ଦେଇଥିବା ଜଣାପଡ଼ିଛି।

ଗଞ୍ଜାମ ଜିଲ୍ଲାର ବ୍ୟାପକ ଅଞ୍ଚଳରେ ଧାନ ଫସଲ ସହ ପନିପରିବା ଫସଲ ହେଉଛି। ଖଲ୍ଲିକୋଟ, ରମ୍ଭା, ଗଞ୍ଜାମ, ହିଞ୍ଜିଳିକାଟୁ, ଶେରଗଡ଼, ସୋରଡ଼ା ଆଦି ଅଞ୍ଚଳରେ ବ୍ୟାପକମାତ୍ରାରେ ପନିପରିବା ଚାଷ ହେଉଛି। ଫୁଲ ଓ ଏହିଫଳ ଚାଷ ମଧ୍ୟ ଅନେକ ବ୍ଲକ୍‌ରେ କରାଯାଉଛି। ସ୍ଥାନୀୟ ସହରାଞ୍ଚଳ ବଜାର କିମ୍ବା ଜିଲ୍ଲାର ପ୍ରମୁଖ ମହାନଗର ବ୍ରହ୍ମପୁର ଚାଷୀଙ୍କ ଉତ୍ପାଦିତ ସାମଗ୍ରୀ କିଣାବିକା ପାଇଁ ବ୍ୟବସାୟର ମାଧ୍ୟମ ସାଜିଥାଏ। ତେବେ ପ୍ରତିଦିନ ଉତ୍ପାଦିତ ପନିପରିବାରୁ କିଛି ବିକ୍ରି ହେଉଥିବା ବେଳେ ଆଉ କିଛି ସଂରକ୍ଷିତ ରଖି ପଚାସଢ଼ା ହେବାରୁ ରକ୍ଷା କରାଯିବାର ଆବଶ୍ୟକତା ରହିଛି। ଏହାଦ୍ଵାରା ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓ ସୁଦୂର କୋଲକତା ଓ ମହାରାଷ୍ଟ୍ର ସମେତ ଅନ୍ୟ ରାଜ୍ୟରୁ ଆସୁଥିବା ପନିପରିବା ଉପରେ ଜିଲ୍ଲାର ଖାଉଟୀଙ୍କ ନିର୍ଭରଶୀଳତା ହ୍ରାସ ପାଇବ। ଏଥିସହ ଜିଲ୍ଲାରେ ଧିରେ ଧିରେ ବୃଦ୍ଧି ପାଉଥିବା ଫୁଲ ଚାଷ ମଧ୍ୟ ସଂରକ୍ଷଣର ବ୍ୟାପକ ଆବଶ୍ୟକତା କରେ। ବ୍ରହ୍ମପୁର ଆସିକା ରୋଡ୍‌ରେ ୫୦୦୦ ମେଟ୍ରିକ୍ ଟନ୍‌ କ୍ଷମତାର ଗୋଟିଏ ଶୀତଳଭଣ୍ଡାର ଥିବା ବେଳେ ୭୫୦୦ ମେଟ୍ରିକ୍ ଟନ୍‌ କ୍ଷମତାର ଆଉ ଏକ ଶୀତଳ ଭଣ୍ଡାର ନିର୍ମାଣ ଚାଲିଛି। ଗଞ୍ଜାମ ବ୍ଳକ୍‌ରେ ମଧ୍ୟ ଏକ ଶୀତଳ ଭଣ୍ଡାର ନିର୍ମାଣାଧୀନ ଅଛି। ହିଞ୍ଜିଳିକାଟୁ ଓ ଦିଗପହଣ୍ଡିସ୍ଥିତ ଆଞ୍ଚଳିକ ବଜାର କମିଟି ଦ୍ବାରା ଦୁଇଟି ଛୋଟ ଶୀତଳଭଣ୍ଡାର ପରିଚାଳିତ ହେଉଛି। କିନ୍ତୁ ଏତିକି ଭିତ୍ତିଭୂମି ଜିଲ୍ଲାତମାମ ପନିପରିବା ଚାଷୀଙ୍କୁ ନିଅଣ୍ଟ ପଡୁଛି। ଏଭଳି ସ୍ଥିତିରେ ନିଜ ଗାଁ ନିକଟରେ ଶୀତଳ ପ୍ରକୋଷ୍ଠ କରାଗଲେ ଚାଷୀ ସେଠାରେ ନିଜ ସୁବିଧାମତେ ପନିପରିବା, ଫୁଲ ଆଦି ସଂରକ୍ଷିତ କରି ରଖିପାରିବେ। ଏହା ପନିପରିବାର ଓ ଫୁଲ ଫଳର ଅଭାବୀ ବିକ୍ରୀ କିମ୍ବା କମ୍ ଉତ୍ପାଦନ ସମୟରେ ଚଢ଼ା ଦରରେ ବିକ୍ରି ଅଥବା କଳାବଜାରୀକୁ ରୋକିବାରେ ମଧ୍ୟ ସହାୟକ ହୋଇପାରିବ।

ପ୍ରାଥମିକ ପର୍ଯ୍ୟାୟରେ ଫୋକସ୍‌ରେ ରହିଛନ୍ତି ପନିପରିବା ଚାଷୀ। ଶୀତଳ ପ୍ରକୋଷ୍ଠ ସ୍ଥାପନ ପାଇଁ ବିଭାଗୀୟ ମଞ୍ଜୁରି ମିଳିସାରିଛି। କେଉଁ କେଉଁ ପଞ୍ଚାୟତରେ ଅଧିକ ପନିପରିବାକୁ ଚାଷ ହେଉଛି ତାହାକୁ ବ୍ଲକ୍ ପ୍ରଶାସନ ସହାୟତାରେ ଚିହ୍ନଟ କରାଯାଉଛି। ରାଜ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ନିଷ୍ପତ୍ତି ମୁତାବକ ପ୍ରାଥମିକ ପର୍ଯ୍ୟାୟରେ କେତୋଟି ପଞ୍ଚାୟତର ମଧ୍ୟଭାଗରେ ୧୫ ଲକ୍ଷ ଟଙ୍କା ବ୍ୟୟରେ ୨୦୦ ବର୍ଗଫୁଟରେ ୩୦ ମେଟ୍ରିକ୍ ଟନ୍‌ କ୍ଷମତାର ଗୋଟିଏ ଲେଖାଏଁ ପଞ୍ଚାୟତରେ ଶୀତଳ ପ୍ରକୋଷ୍ଠ ସ୍ଥାପନ କରାଯିବ। ଏଥିପାଇଁ ଉଦ୍ୟାନ କୃଷି ବିଭାଗ ୫୦ ପ୍ରତିଶତ ଅର୍ଥ ଦେବାକୁ ଥିବା ବେଳେ ବଳକା ଅର୍ଥ ପଞ୍ଚାୟତ ପାଣ୍ଠି, ବିଧାୟକ ଓ ସାଂସଦ ହାତ ପାଣ୍ଠିରୁ ଆସିବ। ପାଣ୍ଠି ମଞ୍ଜୁର ପରେ କାମ ଆରମ୍ଭ କରାଯାଇ ମାତ୍ର ୬ ମାସ ମଧ୍ୟରେ ଶୀତଳ ପ୍ରକୋଷ୍ଠ ସ୍ଥାପନ କାର୍ଯ୍ୟ ସମ୍ପନ୍ନ କରାଯିବ। ପଞ୍ଚାୟତ କର୍ତ୍ତୃପକ୍ଷ ଏହାର ପରିଚାଳନା କରିବେ। ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲାର ଅଧ୍ୟକ ପଞ୍ଚାୟତରେ ଶୀତଳ ପ୍ରକୋଷ୍ଠ ନିର୍ମାଣ କରାଯିବ ବୋଲି ଜିଲ୍ଲା ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ଗ୍ରାମାଞ୍ଚଳରେ ପନିପରିବା ଚାଷ କରୁଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଧିକ ଲାଭବାନ ହେବେ। ବଳକା ଉତ୍ପାଦକୁ କମ୍ ମୂଲ୍ୟରେ ବିକ୍ରି ନକରି ମହଜୁଦ୍ ରଖୁପାରିବେ।