ବାତ୍ୟା ବିପଦ ଟଳିଲା, ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରବଳ ବର୍ଷା ସମ୍ଭାବନା | News Room Odisha

ବାତ୍ୟା ବିପଦ ଟଳିଲା, ୨୪ ଓ ୨୫ ତାରିଖରେ ରାଜ୍ୟର ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର -ଓଡିଶାରୁ ଟଳିଲା ବାତ୍ୟା ଭୟ । ଓଡ଼ିଶାକୁ ବାତ୍ୟା ଆଶଙ୍କା ନାହିଁ। ତେବେ ପୂର୍ବାନୁମାନ ଅନୁଯାୟୀ ୨୪ ଓ ୨୫ ତାରିଖରେ ଓଡ଼ିଶା ବର୍ଷାରେ ଭିଜିବ ବୋଲି ଆଇଏମ୍‌ଡି ସୂଚନା ଦେଇଛି। ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ବାତ୍ୟା ସୃଷ୍ଟି ହେବ। ହେଲେ ଓଡ଼ିଶା ଉପରେ ବାତ୍ୟାର ସେପରି କିଛି ପ୍ରଭାବ ପଡ଼ିବ ନାହିଁ। ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ସ୍ପର୍ଶ କରିବାର ସମ୍ଭାବନା ନାହିଁ। ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ସମ୍ଭାବ୍ୟ ବାତ୍ୟା ମୁହାଁଇବ ବୋଲି ସୂଚନା ଦେଇଛନ୍ତି ଆଇଏମ୍‌ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର।

ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଧୀରେଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି ଜାରି ରଖିବ। ୨୩ ତାରିଖ ବେଳକୁ ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ।

୨୪ତାରିଖରେ ଏହା ଦିଗ ପରିବର୍ତ୍ତନ କରି ଉତ୍ତର ଆଡ଼କୁ ମୋଡ଼ ବଦଳାଇବ ଓ ଏକ ‘ବାତ୍ୟା’ର ରୂପ ନେବ। ଏହା ପରେ ଉତ୍ତର-ଉତ୍ତର ପୂର୍ବ ଦିଗ ଆଡ଼କୁ ଗତି କରିବ। ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ମୁହାଁଇବ। ୨୫ ତାରିଖରେ ଏହା ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ନିକଟ ସମୁଦ୍ରରେ ପହଞ୍ଚିବ। ଏହାର ସବୁଠୁ ଅଧିକ ପ୍ରଭାବ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପରେ ରହିବାର ସମ୍ଭାବନା ରହିଛି ବୋଲି ଆଇଏମଡି ଡିଜି ସୂଚନା ଦେଇଛନ୍ତି।