ଗଭୀର ଅବପାତରେ ପରିଣତ ହେଲା ଅବପାତ, କାଲି ସକାଳ ସୁଦ୍ଧା ବାତ୍ୟାର ରୂପ  | News Room Odisha

ଗଭୀର ଅବପାତରେ ପରିଣତ ହେଲା ଅବପାତ, କାଲି ସକାଳ ସୁଦ୍ଧା ବାତ୍ୟାର ରୂପ 

ଭୁବନେଶ୍ବର – ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଜି ସକାଳେ ତୀବ୍ର ଅବପାତରେ ପରିଣତ ହୋଇଛି  । ୨୪ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳ ଛୁଇଁବ ବାତ୍ୟା ସିତ୍ରାଙ୍ଗ । ଏହାର ପ୍ରଭାବରେ ଓଡ଼ିଶାରେ ୨୩ ଓ ୨୪ ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା ଅଛି ।

ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ, ତୀବ୍ର ଅବପାତ ସାମାନ୍ୟ ଦିଗ ବଦଳାଇ ଉତ୍ତର ଓ ଉତ୍ତର ପୂର୍ବ ଆଡ଼କୁ ଗତି କରି ବାତ୍ୟା ରୂପ ନେବ । ବାତ୍ୟା ସୃଷ୍ଟି ପରେ ଉତ୍ତର ଓ ଉତ୍ତର ପୂର୍ବ ମୁହାଁ ହୋଇ ଆଗକୁ ବଢିବ। ୨୫ ତାରିଖ ସକାଳୁ ବାଂଲାଦେଶ ଉପକୂଳର ତିଙ୍କୋଣା ଦ୍ୱୀପ ଓ ସାଣ୍ଡୱିପ୍‌ ମଝିରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି । ଓଡ଼ିଶା ଉପକୂଳର ବହୁ ଦୂରରେ ବାତ୍ୟା ଅତିକ୍ରମ କରିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଆଜି ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାବ୍ୟତୀତ ଉତ୍ତର ଏବଂ ଉପକୂଳ ଓଡ଼ିଶାର ଅନ୍ୟ କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।