୨୫ ତାରିଖ ସୂର୍ଯ୍ୟୋପରାଗ ଦୃଷ୍ଟିରୁ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ | News Room Odisha

୨୫ ତାରିଖ ସୂର୍ଯ୍ୟୋପରାଗ ଦୃଷ୍ଟିରୁ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ

ପୁରୀ – ଆସନ୍ତା ୨୫ ତାରିଖରେ ସୂର୍ଯ୍ୟୋପରାଗ ପଡୁଥିବାରୁ ଶ୍ରୀମନ୍ଦିର ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି। ୨୫ ତାରିଖର ନୀତିକାନ୍ତି ଆସନ୍ତାକାଲି ରାତିରୁ ଆରମ୍ଭ ହେବ। ରାତି ୧୨ଟାରେ ଦ୍ୱାରଫିଟା ନୀତି ହୋଇ ୪ଟା ୫୫ମିନିଟ ସୁଦ୍ଧା ପ୍ରଥମ ଭୋଗମଣ୍ଡପ ବଢି ନୀତି ଶେଷ ହେବା ସହ ଅବଢା ରୋଷେଇ ବି ସରିବ। ଏହି ସମୟ ମଧ୍ୟରେ ମହାପ୍ରଭୁଙ୍କୁ ଭକ୍ତମାନେ ଦର୍ଶନ କରିପାରିବେ ନାହିଁ । ନୀଳାଦ୍ରି ଭକ୍ତ ନିବାସ ପରିସରରେ ଶ୍ରୀମନ୍ଦିର ନୀତିକାନ୍ତି ଉପରେ ଅନୁଷ୍ଠିତ ନୀତି ସବ୍‌କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଜିଲ୍ଲାପାଳ ସମର୍ଥ ବର୍ମା କହିଛନ୍ତି। ସେପଟେ ବଡ଼ବଡ଼ୁଆ ଡାକିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। କାକୁଡ଼ି ଖାଇ ମନ୍ଦିର ଓ ମଙ୍ଗୁ ମଠ ଭିତରେ ୫ଟି ସ୍ଥାନ ନିରୂପଣ ହୋଇଥିବା ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ସୂର୍ଯ୍ୟୋପରାଗ ଦିନ ଶ୍ରୀମନ୍ଦିରରେ ମଙ୍ଗଳଆଳତୀ ଦର୍ଶନ କରିପାରିବେ ନାହିଁ ଭକ୍ତ। ଭୋର ୪ଟା ୫୫ ପରେ ପ୍ରଥମ ଭୋଗ ମଣ୍ଡପ ଉଠିବା ପରେ କାଳିଆ ଦର୍ଶନ କରିପାରିବେ ଭକ୍ତ। କେତୁଗ୍ରସ୍ତ ଖଣ୍ଡଗ୍ରାସ ଯୋଗୁଁ ଶ୍ରୀମନ୍ଦିରରେ ନୀତିକାନ୍ତିରେ ଅନେକ ପରିବର୍ତ୍ତନ କରାଯାଇଛି। ପ୍ରଥମ ଭୋଗମଣ୍ଡପ ବଢିବା ପରେ ନୀତିକାନ୍ତି ବନ୍ଦ ରହିବ। ପୁନର୍ବାର ଅପରାହ୍ନ ୪ଟା ୫୬ମିନିଟ ୫୨ସେକେଣ୍ଡରେ ଯେତେବେଳେ ଗ୍ରହଣ ସ୍ପର୍ଶ କରିବ ସେହି ସମୟରୁ ପୁଣି ମହାପ୍ରଭୁଙ୍କ ନିକଟରେ ନୀତିକାନ୍ତି ଚାଲିବ। ସକାଳୁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ।
୨୫ ତାରିଖରେ ସୂର୍ଯ୍ଯପରାଗ ଦିନ ଦୀପାବଳି ପଡୁଥିବାରୁ ଆସନ୍ତାକାଲି ପୟାଶ୍ରାଦ୍ଧ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ଯବସ୍ଥା କରାଯାଇଛି। ବଡବଡୁଆ ଡାକିବା, କାଉଁରିଆ କାଠି ଜାଳିବା ପାଇଁ କାକୁଡିଖାଇ ଓ ମଙ୍ଗୁମଠ ନିକଟରେ ପାଞ୍ଚଟି ସ୍ଥାନ ଚିହ୍ନଟ କରାଯାଇଛି। ଲୋକେ ଯେପରି ଶୃଙ୍ଖଳିତ ଓ ସୁରକ୍ଷିତ କାଉଁରିଆ ଜାଳି ପାରିବେ, ତାର ସମସ୍ତ ବ୍ୟବସ୍ଥା କରାଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି।

ତେବେ ଗ୍ରହଣ ସ୍ପର୍ଶ ପରେ ମହାପ୍ରଭୁଙ୍କ ଗ୍ରହଣ ମହାସ୍ନାନ ଆରମ୍ଭ ହେବ। ଗ୍ରହଣ ଭୋଗ ନୀତି ହୋଇ ଅନ୍ୟାନ୍ୟ ନୀତି ବଢ଼ିବ। ଅକ୍ଟୋବର ୨୫ ତାରିଖ ପାଇଁ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ଆସନ୍ତାକାଲି ରାତି ୧୨ଟାରେ ଦ୍ବାର ଫିଟା, ସାଢ଼େ ୧୨ଟାରେ ମଙ୍ଗଳ ଆଳତି, ୧ଟା ୧୫ରେ ଅବକାଶ, ୧ଟା ୪୦ରେ ସୂର୍ଯ୍ୟପୂଜା, ରାତି ୨ଟାରେ ଦ୍ବାରପାଳ ପୂଜା, ୨ଟା ୨୦ରେ ଗୋପାଳବଲ୍ଲଭ, ସାଢ଼େ ୨ଟାରୁ ସାଢ଼େ ୩ଟା ସକାଳ ଧୂପ(କୋଠଭୋଗ), ୩ଟା ୪୦ରେ ଭୋଗମଣ୍ଡପ ଉଠିବ, ଭୋର ୪ଟାରେ ବାଳଧୂପ, ୪ଟା ୧୫ରେ ଅମାବାସ୍ୟା ଠାକୁର ଶ୍ରୀନାରାୟଣଙ୍କ ସାଗର ବିଜେ, ୪ଟା ୧୫ରୁ ୪ଟା ୪୦ ପର୍ଯ୍ୟନ୍ତ ମଇଲମ ଓ ବେଶ ଏବଂ ଭୋର ୪ଟା ୫୫ରେ ଭୋଗମଣ୍ଡପ ଶେଷ ହେବ।