୨୦ ଲକ୍ଷର ବାଣ ଧରିଲା ବ୍ରହ୍ମପୁର ପୋଲିସ: ନିରାପଦ ଧନତେରାସ ନିଶ୍ଚିତ କଲା  | News Room Odisha

୨୦ ଲକ୍ଷର ବାଣ ଧରିଲା ବ୍ରହ୍ମପୁର ପୋଲିସ: ନିରାପଦ ଧନତେରାସ ନିଶ୍ଚିତ କଲା 

ବ୍ରହ୍ମପୁର: ଆଇନକୁ କାର୍ଯ୍ୟକାରୀ କରିବାରେ ତତ୍ପରତା ଦେଖାଇ ଆସୁଛି ବ୍ରହ୍ମପୁର ପୋଲିସ। କେବଳ ସହରବାସୀ ନୁହଁନ୍ତି, ଗ୍ରାମାଞ୍ଚଳ ବାସିନ୍ଦାଙ୍କୁ ମଧ୍ୟ ସୁରକ୍ଷାର ଆଶ୍ବାସନା ଦେଇଛି ପୋଲିସ ବାହିନୀ। କଥାରେ ନୁହେଁ, ବରଂ କାର୍ଯ୍ୟରେ। ଗୋଟିଏ ପଟେ ଧନତେରାସ ଭଳି ଆର୍ଥିକ କାରବାରରେ ପୂର୍ଣ୍ଣ ଦିବସରେ ଲୋକଙ୍କ ଧନଜୀବନ ସୁରକ୍ଷା ନିଶ୍ଚିତ କରାଇଛି ତ ଆରପଟେ ଦୀପାବଳି ପରି ଉତ୍ସବରେ ବେଆଇନ ଆତସବାଜୀ କାରବାର ଉପରେ ମଧ୍ୟ ଅଙ୍କୁଶ ଲଗାଇଛି। ବିଭିନ୍ନ ଥାନା ଇଲାକାରେ ଧରପଗଡ଼ କରି ପୋଲିସ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି। ଲୋକେ ଯେପରି ସୁରକ୍ଷିତ ଓ ନିରାପଦ ପାଳିବେ ସେଥିପାଇଁ ପୋଲିସ ପଦକ୍ଷେପ ଗ୍ରହଣ କରିଛି।

ଯଦିଓ ପୋଲିସ ଓ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଆତସବାଜୀ ବିକ୍ରି ଉପରେ କଟକଣା ଲାଗୁ କରାଯାଇଛି, କେବଳ ଶେଷ ତିନି ଦିନ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଛି। ତଥାପି ଅମାନିଆ ଲୋକ ଆଇନକୁ ଅଣଦେଖା କରି ବାଣ ବିକ୍ରି କରିବାରେ ଲାଗିଥିଲେ। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ବ୍ରହ୍ମପୁର ଏସ୍‌ପି ଡା. ସର୍ବଣା ବିବେକ ଏମ୍। ବିଭିନ୍ନ ଥାନା ପୋଲିସ ଚଢ଼ଉ କରି ଲକ୍ଷ ଲକ୍ଷ ଟଙ୍କାର ଆତସବାଜୀ ଜବତ କରିବା ସହ ଆଇନ ଅମାନ୍ୟ କରିଥିବା ଦୋକାନୀଙ୍କୁ ଗିରଫ କରିଥିଲା। ବ୍ରହ୍ମପୁର ପୋଲିସ ଜିଲ୍ଲା ଅନ୍ତର୍ଗତ ବଡ଼ବଜାର, ଗୋସାଇଁନୂଆଗାଁ, ସଦର, ଗୋଳନ୍ଥରା, ଜରଡ଼ା ଓ ଦିଗପହଣ୍ଡି ଥାନା ପକ୍ଷରୁ ଧରପଗଡ଼ କରାଯାଇ ୧୪ଟି କେସ୍ ରୁଜୁ କରାଯାଇଛି। ଜବତ କରାଯାଇଛି ୨୦ ଲକ୍ଷରୁ ଅଧିକ ଟଙ୍କାର ଆତସବାଜୀ l ଗିରଫ ହୋଇଛନ୍ତି ୧୯ ଜଣ ଦୋକାନୀ, ବ୍ୟବସାୟୀ। ଗୋସାଇଁନୂଆଗାଁ ଥାନା ପୋଲିସ ଆତସବାଜୀ ଭର୍ତ୍ତି ଗୋଟିଏ ଭ୍ୟାନ୍ ଜବତ କରିବା ସହ ଜଣକୁ ଅଟକ ରଖିଛି। ଜବତ ବାଣକୁ ପାଣି ପକାଇ ନଷ୍ଟ କରି ଦେଇଥିଲା ପୋଲିସ। ଉଚ୍ଚ ଶବ୍ଦ କରୁଥିବା, ପ୍ରଦୂଷଣ ବ୍ୟାପକ କରୁଥିବା ଆତସବାଜୀ ଜବତ କରି ଲୋକଙ୍କୁ ସୁରକ୍ଷିତ ଓ ନିରାପଦ ଦୀପାବଳି ପାଳନ ପାଇଁ ସୁଯୋଗ ଆଣି ଦେଉଛି। ବଡ଼ବଜାର ଥାନା ଓ ଜରଡ଼ା ଥାନା ପୋଲିସ ୪ଟି ଲେଖାଏଁ ମାମଲା ରୁଜୁ କରିଛି।

ସେପଟେ ସୁନା ଗହଣା ବିକ୍ରିର ବଡ଼ ଦିନ ଧନତେରାସରେ ସହରବାସୀଙ୍କ ଧନଜୀବନ ସୁରକ୍ଷାକୁ ନିଶ୍ଚିତ କରି ଯେକୌଣସି ଅସାମାଜିକ କାର୍ଯ୍ୟକୁ ପ୍ରତିହତ କରିବାରେ ସକ୍ଷମ ହୋଇଛି ବ୍ରହ୍ମପୁର ପୋଲିସ। ବଜାରରେ ଗହଳି ହେତୁ ଦୁର୍ବୃତ୍ତମାନେ ସୁନା ଗହଣା କିଣି ଆସୁଥିବା ଲୋକଙ୍କ ଠାରୁ ଅଳଙ୍କାର କିମ୍ବା କିଣିବାକୁ ଯାଉଥିବା ଗ୍ରାହକଙ୍କ ଠାରୁ ଟଙ୍କା ଲୁଟ୍‌ କରିବାର ଉପାୟ ଖୋଜିଥାନ୍ତି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ବ୍ରହ୍ମପୁରରେ ଧନତେରାସ ଅବସରରେ ପ୍ରାୟ ପ୍ରତିବର୍ଷ କୋଟି କୋଟି ଟଙ୍କାର କାରବାର ମଧ୍ୟ ହୋଇଥାଏ। ହେଲେ ବ୍ରହ୍ମପୁର ପୋଲିସର ସତର୍କ ନଜର ହେତୁ ଏଥର ଧନତେରାସ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ କୌଣସି ଅଘଟଣ ବା ଅପରାଧ ବିନା ବିତିଛି। ଚଳିତ ବର୍ଷ ଦୁଇ ଦିନ ଧରି ହେଉଥିବା ଧନତେରାସ ପର୍ବ ଦୃଷ୍ଟିରୁ ଦୋକାନ ବଜାରରେ ଭିଡ଼କୁ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା, ଅପରାଧକୁ ପ୍ରତିହତ କରିବା ପାଇଁ ପୋଲିସ ମହାନଗରର ୧୫ଟି ଜାଗାରେ ନାକାବନ୍ଦୀ କରି କାର୍ ଓ ବାଇକ୍‌ ଯାଞ୍ଚ ଚଳାଇଥିଲା। ସନ୍ଦିଗ୍ଧଙ୍କୁ ଥାନାକୁ ନେଇ ତନାଘନା କରାଯାଇଛି। ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରବିବାର ସକାଳୁ ସହରରେ ନାକାବନ୍ଦୀ ଆରମ୍ଭ ହୋଇଥିଲା। କାର୍ ଓ ବାଇକ୍ ଚାଳକଙ୍କୁ କାଗଜପତ୍ର ଯାଞ୍ଚ କରାଯାଇଥିଲା। ପାର୍ବଣ ଋତୁରେ ଅସାମାଜିକ ଓ ଅପରାଧୀ ତତ୍ତ୍ଵଙ୍କ ଠାରୁ ସୁରକ୍ଷିତ ରହିବା ସକାଶେ ସନ୍ଦେହଜନକ ପରିସ୍ଥିତିରେ ବୁଲୁଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବାକୁ ମଧ୍ୟ ବ୍ରହ୍ମପୁର ଏସ୍‌ପି ପରାମର୍ଶ ଦେଇଛନ୍ତି ।