ଧାମନଗର ଉପନିର୍ବାଚନ ପାଇଁ ବ୍ୟାପକ ବନ୍ଦୋବସ୍ତ : ପହଞ୍ଚିଲେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ | News Room Odisha

ଧାମନଗର ଉପନିର୍ବାଚନ ପାଇଁ ବ୍ୟାପକ ବନ୍ଦୋବସ୍ତ : ପହଞ୍ଚିଲେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ୫୦ ପ୍ରତିଶତ ବୁଥରେ ୱେବକାଷ୍ଟିଂ

ଭୁବନେଶ୍ୱର – ଧାମନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣର ଦିନ ପାଖେଇ ଆସୁଥିବା ବେଳେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଜୋରଦାର ହୋଇଛି ପ୍ରଚାର । ଏହାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଥିବା ବେଳେ ବିଭିନ୍ନ ଦଳ ପକ୍ଷରୁ ଆରୋପ ପ୍ରତ୍ୟାରୋପ କରାଯାଉଛି। ଏଣେ ନିର୍ବାଚନ ପ୍ରସ୍ତୁତି ନେଇ ସୂଚନା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଲୋହାନୀ । ଧାମନଗର ଉପନିର୍ବାଚନ ପ୍ରକ୍ରିୟା ସୁରୁଖୁରରେ ଚାଲିଛି। ଆସନ୍ତା ନଭେମ୍ବର ୧ ତାରିଖ ସନ୍ଧ୍ୟାରେ ପ୍ରଚାର ସରିବ। ୩ ତାରିଖରେ ଭୋଟ ଗ୍ରହଣ ହେବ। ୬ ତାରିଖରେ ଭୋଟ ଗଣତି କରାଯିବ ।

ଧାମନଗରରେ ମୁକ୍ତ ଓ ଅବାଧ ନିର୍ବାଚନ କରିବା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୧୦୮ ପୋଲିଂ କର୍ମଚାରୀ ନିୟୋଜିତ ହେବେ। ସେମାନେ ୨ ରାଉଣ୍ଡ ଟ୍ରେନିଂ ନେଇ ସାରିଛନ୍ତି। ଯେଉଁମାନଙ୍କୁ ପୋଲିଂ ପର୍ସନ ଭାବେ ନିୟୋଜିତ କରାଯାଇଛି, ସେମାନେ ଯେପରି ଉକ୍ତ ନିର୍ବାଚନ ମଣ୍ଡଳୀର ଭୋଟର ହୋଇ ନ ଥିବେ ବା ସେଠାରେ ସରକାରୀ ନିଯୁକ୍ତି ପାଇ ନ ଥିବେ ତାହା ଉପରେ କଡ଼ା ନଜର ରଖାଯାଇଛି। ଫଳରେ ନିରପେକ୍ଷ ଭୋଟ ଗ୍ରହଣ ହୋଇପାରିବ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର।

ଧାମନଗର ଉପନିର୍ବାଚନରେ ୫୦ ପ୍ରତିଶତ ବୁଥ୍‌ରେ ୱେବକାଷ୍ଟିଂ ହେବ। ଜିଲ୍ଲା ନିର୍ବାଚନ ଅଧିକାରୀ, ରିଟର୍ଣ୍ଣିଂ ଅଫିସର, ମୁଖ୍ୟ ନିର୍ବାଚନ କମିଶନର ନିଜ କାର୍ଯ୍ୟାଳୟରେ ଏହାକୁ ନିରୀକ୍ଷଣ କରିପାରିବେ।

ଧାମନଗର ଉପନିର୍ବାଚନ ପାଇଁ ୨ ଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓଡ଼ିଶାରେ ପହଞ୍ଚି ସାରିଛନ୍ତି। ସେମାନେ ହେଲେ ପଶ୍ଚିମବଙ୍ଗ କ୍ୟାଡର ଆଇଏଏସ୍‌ ନିରଞ୍ଜନ କୁମାର। ତାଙ୍କ ଫୋନ୍‌ ନମ୍ବର ହେଲା ୭୮୫୪୮୨୬୫୦୯। ଆଉ ଜଣେ ହେଲେ ରେଭିନ୍ୟୁ ଅଫିସର ପ୍ରଣେଶ ଗୁପ୍ତା । ତାଙ୍କ ଫୋନ୍‌ ନମ୍ବର ହେଉଛି ୮୨୬୦୭୪୫୬୨୬। ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିର୍ବାଚନ ପ୍ରକ୍ରିୟା ଉପରେ କଡ଼ା ନଜର ରଖିବେ। ନିର୍ବାଚନ ପ୍ରକ୍ରିୟାକୁ ନେଇ ଯାହାର କିଛି ଅଭିଯୋଗ ଥିବ ସେମାନେ ଉକ୍ତ ୨ ଅଫିସରଙ୍କୁ ଯୋଗାଯୋଗ କରି ଅଭିଯୋଗ କରିପାରିବେ ବୋଲି କହିଛନ୍ତି ସୁଶୀଲ ଲୋହାନୀ।

ଶାନ୍ତିଶୃଙ୍ଖଳାର ସହ ଧାମନଗରରେ ଉପନିର୍ବାଚନ କରିବାକୁ ୨ କମ୍ପାନୀ ସିଆରପିଏପ୍ , ୨ କମ୍ପାନୀ ବିଏସଏଫ ଓ ୧୦ ପ୍ଲାଟୁନ ରାଜ୍ୟ ପୁଲିସ୍‌ ମୁତୟନ ହେବେ। ଆସନ୍ତା ୧ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ କର୍ମଚାରୀମାନେ ନିଜ ନିଜ ବୁଥ୍‌ ଅଭିମୁଖେ ଯିବେ। ଧାମନଗରରେ ୧୦୬ ସମ୍ବେଦନଶୀଳ ବୁଥ୍‌ ଚିହ୍ନଟ ହୋଇଛି। ୮୦ ବର୍ଷରୁ ବୟସ୍କ ଭୋଟର ଓ ଭିନ୍ନକ୍ଷମଙ୍କ ନିମନ୍ତେ ପୋଷ୍ଟାଲ ବାଲାଟର ବ୍ୟବସ୍ଥା ହୋଇଛି। ଧାମନଗରର ୫୦୫ ଜଣ ଭୋଟର ପୋଷ୍ଟାଲ ଭୋଟ ଦେବାକୁ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪୯୬ ଭୋଟରଙ୍କ ପୋଷ୍ଟାଲ ବାଲାଟ ସଂଗୃହୀତ ହୋଇ ଯାଇଛି।