ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଭାରତ | News Room Odisha

ଦକ୍ଷିଣ ଆଫ୍ରିକା ଠାରୁ ହାରିଲା ଭାରତ

ପର୍ଥ: ଚଳିତ ବିଶ୍ୱକପରେ ଭାରତର ବିଜୟ ରଥକୁ ରୋକିଛି ଦକ୍ଷିଣ ଆଫ୍ରିକା । ରବିବାର ଏଠାରେ ଅନୁଷ୍ଠିତ ଗ୍ରୁପ୍‌-୨ର ଏକ ମ୍ୟାଚରେ ଭାରତ ୫ ୱିକେଟରେ ଦକ୍ଷିଣ ଆଫ୍ରିକା ଠାରୁ ହାରିଯାଇଛି । ବ୍ୟାଟ୍ସମ୍ୟାନ୍ ଆଜି ଫେଲ୍ ମାରିଥିବା ବେଳେ ଭାରତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ପରାଜୟ ବରଣ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ବଳରେ ୯ ୱିକେଟ୍ ହରାଇ ୧୩୩ ରନ୍ କରିବାକୁ ସମର୍ଥ ହୋଇଥିଲା । ଏହାର ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ଶୀଘ୍ର ୩ଟି ୱିକେଟ୍ ହରାଇଥିଲା । ହେଲେ ଡେଭିଡ୍ ମିଲର ଓ ଏଡେନ ମାର୍କ୍ରମ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୨ଟି ବଲ୍ ବାକିଥାଇ ମ୍ୟାଚ୍ ଜିତି ନେଇଥିଲା ।

ଦକ୍ଷିଣ ଆଫ୍ରିକାର ଏହି ବିଜୟରେ ମିଲର ଓ ମାର୍କ୍ରାମ ହିରୋ ସାଜିଥିଲେ । ମିଲର ୪୬ଟି ବଲରେ ୪ଟି ଚୌକା ଓ ୩ଟି ଛକା ସହ ଅପରାଜିତ ୫୯ ରନ୍ କରିଥିବା ବେଳେ ମାର୍କ୍ରମ ୪୧ଟି ବଲରେ ୬ଟି ଚୌକା ଓ ଗୋଟିଏ ଛକା ସହ ୫୨ ରନ୍ କରିଥିଲେ ।

ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଗ୍ରୁପ୍‌-୨ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉନ୍ନୀତ ହୋଇଛି । ଦକ୍ଷିଣ ଆଫ୍ରିକା ୩ଟି ମ୍ୟାଚରୁ ଦୁଇଟି ବିଜୟ ସହ ୫ ପଏଣ୍ଟ ପାଇ ପ୍ରଥମ ସ୍ଥାନରେ ରହିଛି । ଉଲ୍ଲେଖଯୋଗ୍ୟ ଜିମ୍ବାୱେ ବିପକ୍ଷ ଦକ୍ଷିଣ ଆଫ୍ରିକାର ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଅନ୍ୟପକ୍ଷରେ ଭାରତର ଏହା ପ୍ରଥମ ପରାଜୟ । ଭାରତ ଏହି ପରାଜୟ ପରେ ଦ୍ୱିତୀୟ ସ୍ଥାନକୁ ଖସିଛି । ତିନୋଟି ମ୍ୟାଚରୁ ଦୁଇଟି ବିଜୟ ଓ ଗୋଟିଏ ପରାଜୟ ସହ ଭାରତ ୪ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି ।

ଭାରତ ପ୍ରଦତ୍ତ ୧୩୪ ରନର ବିଜୟଲକ୍ଷ୍ୟ ଜବାବରେ ଦକ୍ଷିଣ ଆଫ୍ରିକାକୁ ମଧ୍ୟ ଆରମ୍ଭରୁ ଝଟକା ଲାଗିଥିଲା । ଅର୍ଶଦୀପ ସିଂ ପ୍ରଥମେ କ୍ୱିଣ୍ଟନ୍ ଡି’କକ (୧)ଙ୍କୁ ସ୍ଲିପରେ ରାହୁଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ । ଏହାପରେ ସେହି ଓଭରରେ ହିଁ ଏହି ଦ୍ରୁତ ବୋଲର ଫର୍ମରେ ଥିବା ରାଇଲି ରୁସୋ (୦)ଙ୍କୁ ଲେଗ୍ ବିଫୋର କରାଇ ଦକ୍ଷିଣ ଆଫ୍ରିକାକୁ ଡବଲ ଝଟକା ଦେଇଥିଲେ । ଦକ୍ଷିଣ ଆଫ୍ରିକା କ୍ୟାପଟେନ ତେମ୍ବା ବଭୁମା (୧୦)ଙ୍କୁ ସାମି ଆଉଟ୍ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ । ଦକ୍ଷିଣ ଆଫ୍ରିକା ୨୪ ରନରେ ୩ଟି ୱିକେଟ୍ ହରାଇ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । ହେଲେ ମାର୍କ୍ରମ ଓ ମିଲର ଚତୁର୍ଥ ୱିକେଟରେ ୭୬ ରନ୍ ଯୋଗ କରି ଦଳକୁ ଟ୍ରାକକୁ ଆଣିଥିଲେ । ଭାରତୀୟ ଖେଳାଳିଙ୍କ ନୈରାଶ୍ୟଜନକ ଫିଲ୍ଡିଂରୁ ମଧ୍ୟ ମିଲର-ମାର୍କ୍ରମ ଯୋଡିକୁ ଲାଭ ମିଳିଥିଲା । ତଥାପି ଭାରତୀୟ ବୋଲର ଶୃଙ୍ଖଳିତ ପ୍ରଦର୍ଶନ ସହ ମ୍ୟାଚକୁ ଶେଷ ଓଭରକୁ ଟାଣିଥିଲେ ।

ଦକ୍ଷିଣ ଆଫ୍ରିକା ବିଜୟରୁ ଆଉ ୩୪ ରନ୍ ଦୂରରେ ଥିବା ବେଳେ ମାର୍କ୍ରମଙ୍କୁ ପାଣ୍ଡ୍ୟା ଆଉଟ୍ କରିଥିଲେ । ଏହାପରେ ଟ୍ରିସ୍ତାନ ଷ୍ଟ୍ରବ୍ସ (୬)ଙ୍କୁ ଅଶ୍ୱିନ୍ ପ୍ୟାଭିଲିୟନ ଫେରାଇବା ପରେ ମ୍ୟାଚରେ ପୁଣି ରୋମାଞ୍ଚ ଭରିଯାଇଥିଲା । ଦକ୍ଷିଣ ଆଫ୍ରିକାକୁ ଶେଷ ୧୨ ବଲରୁ ୧୨ ରନ୍ ଦରକାର ହେଉଥିବା ବେଳେ ଅଶ୍ୱିନଙ୍କୁ ବୋଲିଂ କରିବାକୁ ଆସିଥିଲେ । ହେଲେ ସେହି ଓଭରରେ ମିଲର ଦୁଇଟି ଛକା ମାରି ଦକ୍ଷିଣ ଆଫ୍ରିକାକୁ ବିଜୟର ନିକଟତର କରାଇଥିଲେ । ଶେଷ ଓଭରରେ ୬ ରନ୍ ଆବଶ୍ୟକ ହେଉଥିଲା । ଭୁବନେଶ୍ୱର କୁମାରଙ୍କ ଉକ୍ତ ଓଭରର ପ୍ରଥମ ବଲରେ ୱେନ୍ ପାର୍ନେଲ କୌଣସି ରନ୍ କରିପାରିନଥିଲେ । ଦ୍ୱିତୀୟ ବଲରେ ସେ ଏକ ରନ୍ ନେଇଥିଲେ । ତୃତୀୟ ବଲରେ ମିଲର ଏକ ଚୌକା ମାରିଥିଲେ । ଚତୁର୍ଥ ବଲରେ ଆଉ ଏକ ଚୌକା ମାରି ମିଲର ଦକ୍ଷିଣ ଆଫ୍ରିକାକୁ ବିଜୟମଣ୍ଡିତ କରିଥିଲେ । ଭାରତ ତରଫରୁ ଅର୍ଶଦୀପ ୨ଟି ୱିକେଟ୍ ନେଇଥିବା ବେଳେ ଶାମି, ପାଣ୍ଡ୍ୟା ଓ ଅଶ୍ୱିନ ଗୋଟିଏ ଲେଖାଏଁ ୱିକେଟ୍ ପାଇଥିଲେ । ମ୍ୟାଚରେ ୪ଟି ୱିକେଟ୍ ନେଇଥିବା ଦକ୍ଷିଣ ଆଫ୍ରିକା ପେସର ଲୁଙ୍ଗି ଏଙ୍ଗିିଡି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।
ପୂର୍ବରୁ ଭାରତ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଭାରତର ଇନିଂସ୍ ମେଡେନ ଓଭରରୁ ଆରମ୍ଭ ହୋଇଥିଲା । ଏହା ପରେ ରୋହିତ ଶର୍ମା ୧୫ ରନ କରି ପ୍ରଥମ ବ୍ୟାସମ୍ୟାନ ଭାବେ ପାଭିଲିୟନ ଫେରିଥିଲେ। ଲୋକେଶ ରାହୁଲ(୯) ପୁଣି ଥରେ ନିରାଶ କରିଥିଲେ। ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଚମତ୍କାର ଫର୍ମରେ ଥିବା ବିରାଟ କୋହଲି ୧୨ ରନ କରି ବିଦାୟ ନେବା ଦଳକୁ ବହୁତ ବଡ ଝଟକା ଦେଇଥିଲା। ପ୍ରଥମ ଟି-୨୦ ବିଶ୍ଵ କପ୍ ଖେଳୁଥିବା ଦୀପକ ହୁଡ୍ଡା ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା(୨) ବିକ୍ରିଜରେ ତିଷ୍ଠି ପାରିନଥିଲେ। ଲୁଙ୍ଗି ଏନଗିଡି ଘାତକ ବୋଲିଂ କରି ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ। ଭାରତ ମାତ୍ର ୪୯ ରନରେ ୫ଟି ଓ୍ବିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା ।

ଏହା ପରେ ଦମଦାର ଫର୍ମରେ ଥିବା ସୂର୍ଯ୍ୟକୁମାର ଯାଦବ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ । ସେ ଦିନେଶ କାର୍ତ୍ତିକଙ୍କ ସହ କ୍ରିଜରେ ଜମି ଦଳୀୟ ସ୍ଥିତି ସୁଧାରିଥିଲେ। ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲେ ବି ସୂର୍ଯ୍ୟକୁମାର ନିଜର ଚିରାଚରିତ ଶୈଳୀରେ ଦ୍ରୁତ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ସୂର୍ଯ୍ୟ ଏବଂ କାର୍ତ୍ତିକ ଷଷ୍ଠ ଓ୍ଵିକେଟ୍‌ରେ ୫୨ ରନ ଯୋଡି ଦଳର ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ତେବେ ଦିନେଶ କାର୍ତ୍ତିକ(୬) ଆଉଟ୍ ହେବା ଭାରତକୁ ବଡ ଝଟକା ଦେଇଥିଲା। ଅନ୍ୟପଟେ ସୂର୍ଯ୍ୟକୁମାର ଚଳିତ ବିଶ୍ଵ କପ୍‌ରେ ଲଗାତାର ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଶେଷ ଆଡକୁ ଭାରତ ପୁଣି ଥରେ ଶୀଘ୍ର ଓ୍ଵିକେଟ୍ ହରାଇଥିଲା। ଅଶ୍ଵିନ ୭ ରନ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଆଉଟ୍ ହେବା ଫଳରେ ଭାରତର ସ୍କୋର ୧୪୦ ରନ ଛୁଇଁ ପାରିନଥିଲା। ଭାରତ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୩୩ ରନ କରିଛି। ସୂର୍ଯ୍ୟକୁମାର ୪୦ ବଲ୍‌ରୁ ୬ ଚୌକା ଏବଂ ୩ ଛକା ବଳରେ ୬୮ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି ୨୯ ରନ ଦେଇ ୪ଟି ସଫଳତା ପାଇଥିଲେ। ଓ୍ଵେନ ପାର୍ଣ୍ଣେଲ ୧୫ ରନ ଦେଇ ୩ଟି ଏବଂ ଅନରିଚ ନୋର୍ତ୍ତଜେ ଗୋଟିଏ ଓ୍ଵିକେଟ୍ ନେଇଥିଲେ ।