ଫସଲ ବୀମା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି | News Room Odisha

ଫସଲ ବୀମା ପ୍ରଦାନରେ ବିଳମ୍ବ ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ବିଜେଡି

ଭୁବନେଶ୍ୱର -ସାରଠାରୁ ଆରମ୍ଭ କରି ପିଏମ୍‌‌ କିଷାନ ସମ୍ମାନ ନିଧି ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପର୍ଯ୍ୟନ୍ତ କେନ୍ଦ୍ର ସରକାର ସ ଓଡ଼ିଶାର ଚାଷୀଙ୍କୁ ଅବହେଳା କରି ଆସୁଛନ୍ତି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀଙ୍କୁ ବୀମା ରାଶି ପାଇବାରୁ ବଞ୍ଚିତ କରି ବୀମା କମ୍ପାନୀମାନେ ବାରମ୍ବାର ସମୟ ଗଡ଼ାଇ ଚାଲିଛନ୍ତି। କମ୍ପାନୀଗୁଡ଼ିକ ଫସଲ ବୀମା ବାବଦରେ ହଜାର ହଜାର କୋଟି ଟଙ୍କା ଆଦାୟ କରୁଥିବା ବେଳେ ଅନ୍ୟପଟେ ଓଡ଼ିଶାର ଚାଷୀଙ୍କୁ ଶୋଷଣ କରିବାରେ ବ୍ୟସ୍ତ । ଏଥିଯୋଗୁଁ ଓଡ଼ିଶାର ଗରିବ କ୍ଷତିଗ୍ରସ୍ତ ଚାଷୀମାନେ ୫୦୦ କୋଟି ଟଙ୍କାର ବକେୟା ବୀମା ରାଶି ନ ପାଇ ଘୋର ଦୁର୍ଦ୍ଦଶା ମଧ୍ୟରେ କାଳ କାଟୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ମଧ୍ୟ କେନ୍ଦ୍ର ସରକାର କିଛି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି। କେନ୍ଦ୍ର ସରକାରଙ୍କ ଏପରି କୃଷକ ମାରଣ ନୀତିର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ରାଜ୍ୟର ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଥା ଭୁବନେଶ୍ୱରସ୍ଥିତ ରାଜଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଦୁର୍ଦ୍ଦଶା ଦୂର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତବର୍ଷ ଅଗଷ୍ଟ ୨୮ ତାରିଖରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଚିଠି ଲେଖିଥିଲେ ଏବଂ ତୁରନ୍ତ ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ପ୍ରାପ୍ୟ ଫସଲ ବୀମା ରାଶି ପ୍ରଦାନ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେନ୍ଦ୍ର କିଛି ପଦକ୍ଷେପ ନେଇନଥିବା ବିଜେଡି କହିଛି ।