ବହୁଦିନର ସ୍ୱପ୍ନ ସାକାର: ଭୁବନେଶ୍ଵର -ଜୟପୁର ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ | News Room Odisha

ବହୁଦିନର ସ୍ୱପ୍ନ ସାକାର: ଭୁବନେଶ୍ଵର -ଜୟପୁର ବିମାନ ସେବା ଆରମ୍ଭ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର – ଦୀର୍ଘ ୩୫ବର୍ଷ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କ ସ୍ୱପ୍ନ ସାକାର ହୋଇଛି। ଆଜିଠୁ ଭୁବନେଶ୍ବରୁ ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ସକାଳ ୧୦ଟା ୩୦ ମିନିଟରେ ପତାକା ଦେଖାଇ ବିମାନ ସେବା ଶୁଭାରମ୍ଭ କରିଛନ୍ତି। ଏହି ବିମାନ ସେବା ଯୋଗୁଁ କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାବାସୀ ଉପକୃତ ହେବେ।

ପ୍ରଥମ ପର୍ଯ୍ୟାୟରେ ୯ ସିଟ ବିଶିଷ୍ଟ ବିମାନ ଚଳାଇବ ଇଣ୍ଡିଆ ଓ୍ବାନ ଏୟାର । ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରୁ ଭୁବନେଶ୍ବରରୁ ଉଡ଼ାଣ ଆରମ୍ଭ କରି ଜୟପୁରରେ ଅପରାହ୍ନ ଗୋଟାଏ ୨୦ରେ ପହଞ୍ଚିବ । ସେଠାରୁ ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରି ୨ଟା ୩୦ରେ ପହଞ୍ଚିବ । ପୁଣି ଅପରାହ୍ନ ୩ଟାରେ ବିଶାଖାପାଟଣାରୁ ବାହାରି ୩ଟା ୫୦ରେ ଜୟପୁର ଓ ପରେ ୪ଟା ୫ରେ ସେଠାରୁ ବାହାରି ୫ଟା ୫୦ରେ ଭୁବନେଶ୍ବରରେ ପହଞ୍ଚିବ ।ଭୁବନେଶ୍ବରରୁ ଜୟପୁର ପାଇଁ ପ୍ରାରମ୍ଭିକ ଭାବେ ଟିକେଟ୍ ମୂଲ୍ୟ ୧୦୪୯ ଟଙ୍କା ରହିଛି । ଆଗକୁ ସର୍ବାଧିକ ଅଢେଇ ହଜାର ଟଙ୍କା ରହିବ ।

ଇଣ୍ଡିଆ ୱାନ ଏୟାର ସପ୍ତାହକୁ ୬ଦିନ ବିମାନ ଚଳାଚଳ କରିବ । ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ ଟା ୩୫ ମିନିଟ ରେ ଭୁବନେଶ୍ଵର ବିଜୁ ପଟନାୟକ ବିମାନ ବନ୍ଦରରୁ ଜୟପୁରକୁ ଉଡାଣ ଭରିବ। ଜୟପୁର ବିମାନବନ୍ଦରରୁ ଯାତ୍ରୀବାହୀ ବିମାନ ଉଡ଼ିବା ପାଇଁ ଗତ ୨୦ ତାରିଖରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ -ଡିଜିସିଏ ପକ୍ଷରୁ ଲାଇସେନ୍ସ ଦିଆଯାଇଥିଲା ।

ତେବେ ଅନ୍ୟପଟେ ଆଗାମୀ ଦିନରେ ଉଡାଣ ସ୍କିମ ଅଧିନରେ କଳାହାଣ୍ଡିର ଉତକେଲା ବିମାନବନ୍ଦରକୁ ବିମାନ ଚଳାଚଳ ପାଇଁ ରୁଟ ମିଳିଛି । ଏଥିଲାଗି ଡିଜିସିଏ ଅନୁମୋଦନ ମିଳିବା ପରେ ଭୁବନେଶ୍ୱରରୁ ଉତକେଲା ଓ ଉତକେଲାରୁ ରାୟପୁର ଯାଏଁ ବିମାନ ଚଳାଚଳ କରିବ। ହକି ୱାର୍ଲଡ କପ ପୂର୍ବରୁ ଭୁବନେଶ୍ବରରୁ ରାଉରକେଲାକୁ ବିମାନ ଚଳାଚଳ କରିବ। ଏହି ରୁଟରେ ଭୁବନେଶ୍ୱରରୁ ରାଉରକେଲା, ରାଉରକେଲାରୁ କୋଲକାତା ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ନୂଆବର୍ଷ ରୁ ଭୁବନେଶ୍ବରରୁ ଗୁଆହାଟି କୁ ବିମାନ ଚଳାଚଳ କରିବା ନେଇ ସୂଚନା ମିଳିଛି। ଏହି ବିମାନ ସପ୍ତାହକ ରେ ୪ଦିନ ଉଡାଣ କରିବ । ରବିବାର, ସୋମବାର ,ବୁଧବାର ଓ ଶୁକ୍ରବାର ଦିନ ବିମାନ ଉଡିବ ।ତେବେ କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ୨୦୨୦ ମସିହାରେ ଭୁବନେଶ୍ବରରୁ ଗୁଆହାଟି ଳକୁ ବିମାନ ବନ୍ଦ ରହିଥିଲା।