କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି । ଗୋମାତାଙ୍କ ରକ୍ଷା କରିଥିବା ହେତୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ଗୋମାତାଙ୍କ ପୂଜା କରିବା ସହ ସେମାନଙ୍କୁ ଘାସ ଅର୍ପଣ କରିବା ପରେ ସେମାନଙ୍କ ଚାରିପାଖରେ ପରିକ୍ରମା କଲେ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ । ସନ୍ଧ୍ୟା ସମୟରେ ଗୋମାତାଙ୍କ ପାଦଧୂଳି ମସ୍ତକରେ ଲଗାଇଲେ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।
ପୁରାଣରେ ଥିବା ମାନ୍ୟତା ଅନୁଯାୟୀ କାର୍ତ୍ତିକଶୁକ୍ଳ ପକ୍ଷ ପ୍ରତିପଦାଠାରୁ ସପ୍ତମୀ ପର୍ଯ୍ୟନ୍ତ ଗାଈ,ଗୋପ ଏବଂ ଗୋପୀମାନଙ୍କ ରକ୍ଷାନିମନ୍ତେ ଭଗବାନ କୃଷ୍ଣ ଗୋବର୍ଦ୍ଧନ ପର୍ବତ ତୋଳି ଧରିଥିଲେ ।ଅଷ୍ଟମ ଦିନ ଦେବରାଜ ଇନ୍ଦ୍ର ଅହଙ୍କାର ଭଙ୍ଗ ହୋଇଥିଲା। ସେ ଭଗବାନ କୃଷ୍ଣଙ୍କ ଶରଣ ପଶିଥିଲେ। ଗୋମାତା କାମଧେନୁ ଭଗବାନ ଶ୍ରୀକୃଷ୍ଣଙ୍କ ଅଭିଷେକ କରି ଥିଲେ।ସେହିଦିନଠାରୁ ଶ୍ରୀକୃଷ୍ଣଙ୍କ ନାମ ‘ଗୋବିନ୍ଦ’ ହୋଇଥିଲା ।
‘ଗୋ’ ଶବ୍ଦର ଅନେକ ଅର୍ଥ ଅଛି।ଯଥା- ଗୋବଂଶ, ପୃଥିବୀ, ଦିଗ,ବାଣୀ, ଇନ୍ଦ୍ରିୟ, ଦୃଷ୍ଟି, କିରଣ, ଜଳ, ଚନ୍ଦ୍ର ଓ ଆହୁରି ଅନେକ । ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପା -ସନାର ବର୍ଣ୍ଣନା ଅନେକ । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ।ଗାଈ ଠାରୁ ଦୁଗ୍ଧଆଦି ପଞ୍ଚଗବ୍ୟ(କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର) ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଏ ।
ଋଗ୍ ବେଦରେ ବର୍ଣ୍ଣନା କରାଯାଇଛି:-
ମାତା ରୁଦ୍ରାଣାଂ ଦୁହିତା ବସୁନାଂ
ସ୍ୱସାଦିତ୍ୟାନାମମୃତସ୍ୟ ନାଭି: ।।
(ଋଗ୍ ବେଦ ୮/୧୦୧/୧୫) ଗୋମାତା ଏକାଦଶ ରୁଦ୍ରଙ୍କର ମାତା, ଅଷ୍ଟବସୁଙ୍କର୍ କନ୍ୟା ଓ ଦ୍ୱାଦଶ ଆଦିତ୍ୟଙ୍କର ଭଗିନୀ, ଯିଏ ଅମୃତରୂପୀ ଦୁଗ୍ଧ ପ୍ରଦାନ କରନ୍ତି ।
ସମିନ୍ଦ୍ର ରାୟା ସମିଷା ରଭେମହି ସଂ ବାଜେଭିଃ ପୁରୁଶ୍ଚନ୍ଦ୍ରୈରଭିଦ୍ୟୁଭିଃ ।
ସଂ ଦେବ୍ୟା ପ୍ରମତ୍ୟା ବୀରଶୁଷ୍ମୟା ଗୋଅଗ୍ରୟାଶ୍ୱାବତ୍ୟା ରଭେମହି ।।
(ଋଗ୍ ବେଦ ୧/୫୩/୫)
ବେଦର ନିର୍ଦ୍ଦେଶ ଅନୁଯାୟୀ ଯଦି କେହି ଏହି ମାୟା-ରାଜ୍ୟରେ ସମସ୍ତ ପ୍ରକାର ବୈଭବ ପ୍ରାପ୍ତ କରିବାକୁ ଚାହେଁ ତେବେ ଗୋମାତାଙ୍କର ସେବା କରିବା ଆବଶ୍ୟକ ।
ସ୍କନ୍ଦ_ପୁରାଣ ଅନୁସାରେ;-
ଗୋଭିର୍ବିପ୍ରୈଶ୍ଚ ବେଦୈଶ୍ଚ ସତୀଭିଃ ସତ୍ୟବାଦିଭିଃ । ଅଲୁବ୍ଧୈର୍ଦାନଶୀଳୈଶ୍ଚ ସପ୍ତଧିର୍ଧାର୍ଯ୍ୟତେ ମହୀ ।।
ଅର୍ଥାତ୍:- ଗୋ, ବିପ୍ର, ବେଦ, ସତୀ, ସତ୍ୟବାଦୀ, ନିର୍ଲୋଭୀ ଓ ଦାନୀ ଏହି ସାତ ମହାଶକ୍ତି ଉପରେ ପୃଥିବୀ ତିଷ୍ଠି ରହିଛି । ଏ ସମସ୍ତଙ୍କ ମଧ୍ୟରେ ଗୋବଂଶଙ୍କର ଭୂମିକା ସର୍ବାଗ୍ରେ ।
ସେହିଭଳି ପଦ୍ମପୁରାଣରେ;-
ଗୋମାତାଙ୍କ ମୁଖରେ ଷଡଙ୍ଗ ଓ ପଦକ୍ରମ ସହିତ ଚାରି ବେଦ ରହିଥାନ୍ତି । ଶିଙ୍ଗର ଅଗ୍ରଭାଗରେ ଇନ୍ଦ୍ର ଓ ଦୁଇ ଶିଙ୍ଗରେ ଭଗବାନ୍ ଶଙ୍କର ଓ କେଶବ ରହନ୍ତି । ଉଦରରେ ସ୍କନ୍ଦ, ମୁଣ୍ଡରେ ବ୍ରହ୍ମା, ଲଲାଟରେ ବୃଷଭଧ୍ୱଜ, ଦୁଇ କାନରେ ଅଶ୍ୱିନୀ କୁମାର, ଦୁଇ ନେତ୍ରରେ ଚନ୍ଦ୍ରମା ଓ ସୂର୍ଯ୍ୟ, ଦାନ୍ତରେ ଗରୁଡ, ଜୀଭରେ ସରସ୍ୱତୀ, ଅପାନରେ ସମସ୍ତ ତୀର୍ଥ, ଗୋ-ମୂତ୍ରରେ ଜାହ୍ନବୀ ଗଙ୍ଗା, ଲୋମକୂପ ସମୁହରେ ଋଷୀଗଣ, ମୁଖରେ ଉପର ଆଡକୁ ଯମ, ଡାହାଣ ପାର୍ଶ୍ୱକୁ କୁବେର ତଥା ଗରୁଡ, ବାମ ପଟକୁ ତେଜସ୍ୱୀ ଯକ୍ଷଗଣ, ମୁଖ ମଧ୍ୟରେ ଗନ୍ଧର୍ବ, ନାସିକାରେ ନାଗ, ଚାରି ଖୁରାର ପଶ୍ଚାତ୍ ଭାଗରେ ଅପସରାଗଣ, ଗୋବରରେ ଲକ୍ଷ୍ମୀ, ଗୋମୂତ୍ରରେ ସର୍ବମଙ୍ଗଳା ଦେବୀ, ପାଦର ଅନ୍ୟ ଭାଗରେ ସିଦ୍ଧାଦି ଖେଚର, ହମ୍ମା ରଡିରେ ପ୍ରଜାପତି ଓ ଚାରି ପହ୍ନାରେ ଚାରି ସମୁଦ୍ର ରହିଥାନ୍ତି । ଯେ ପ୍ରତିଦିନ ଗାଈକୁ ସ୍ପର୍ଶ କରନ୍ତି, ସେ ଏହି ସମୁଦ୍ରରେ ସ୍ନାନ କରିନିଅନ୍ତି । ତେଣୁ ମନୁଷ୍ୟ ନିଜର ପୁଷ୍ଟି ସାଧନ ପାଇଁ ଗୋମାତାଙ୍କୁ ସ୍ପର୍ଶ କରିବା ଉଚିତ୍ । ଏତଦ୍ୱାରା ସେ ସମସ୍ତ ପାପରୁ ମୁକ୍ତ ହୋଇଯାନ୍ତି । ଗୋମାତାଙ୍କ ଖୁରାଦ୍ୱାରା ଉଡୁଥିବା ଧୂଳିକୁ ମସ୍ତକରେ ଧାରଣ କରୁଥିବା ମନୁଷ୍ୟ ମଧ୍ୟ ସମସ୍ତ ତୀର୍ଥର ଜଳରେ ସ୍ନାନ କରିବା ସଙ୍ଗେ ସମାନ ଓ ସେ ସମସ୍ତ ପାପରୁ ମୁକ୍ତହୁଏ ।
ଏହି ସମସ୍ତ କାରଣ ପାଇଁ କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ଭାରତରେ ସର୍ବତ୍ର ପାଳନ କରାଯାଇଥାଏ। ଗୋ ମାତା ମାନଙ୍କୁ ସ୍ଥାନେ ସ୍ଥାନେ ଶୋଭାଯାତ୍ରା କରାଯାଇ ନିଜ ଅନ୍ତର ର ଭକ୍ତି ନିବେଦନ ଅର୍ପଣ କରାଯାଏ। (ସଂଗୃହିତ)