ଅଁଳା ନବମୀରେ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼ | News Room Odisha

ଅଁଳା ନବମୀରେ ସାକ୍ଷୀଗୋପାଳରେ ଭକ୍ତଙ୍କ ଭିଡ଼

ପୁରୀ -ଆଜି ପବିତ୍ର ଅଁଳା ନବମୀ। ଏହି ପବିତ୍ର ତିଥିରେ ରାଧାଙ୍କ ପାଦ ଦର୍ଶନ ପାଇଁ ପୁରୀ ସାକ୍ଷୀଗୋପାଳରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି । ଶ୍ରଦ୍ଧାଳୁମାନେ ରାଧାପାଦ ଦର୍ଶନ କରୁଛନ୍ତି। ଓଡ଼ିଆଣୀ ବେଶରେ ରାଧାରାଣୀ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। କରୋନା ପାଇଁ ଦୁଇ ବର୍ଷ ବନ୍ଦ ରହିବା ପରେ ପୁଣି ଭକ୍ତଙ୍କୁ ରାଧାପାଦ ଦର୍ଶନର ସୁଯୋଗ ମିଳିଛି । କିନ୍ତୁ ରାଧାନାଥ ସ୍ପର୍ଶ ପାଇଁ ବାରଣ କରିଛି ପ୍ରଶାସନ ।

ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୨୦ ପ୍ଲାଟୁନ ଫୋର୍ସ ଓ ୫୦ ଜଣ ଅଫିସରଙ୍କୁ ମୁତୟନ କରାଯାଇଛି।

ସାକ୍ଷୀ ଗୋପୀନାଥ ମନ୍ଦିରରେ ରାତ୍ରି ଗୋଟାଏ ବେଳେ ଦ୍ୱାରଫିଟା ନୀତି ପାଳନ ହୋଇଥିଲା। ଏହାପରେ ସାଢେ ଗୋଟାଏରେ ମଙ୍ଗଳ ଆଳତି, ସାଢେ ଗୋଟାଏରୁ ୩ଟା ମଧ୍ୟରେ ବେଶ, ମଇଲମ, ମର୍ଦ୍ଦନ, ଅବକାଶ, ନଟବର ବେଶ ଅନୁଷ୍ଠିତ ହୋଇଥିଲା। ଭୋର ସାଢେ ୫ଟାରେ ମନ୍ଦିର କର୍ମଚାରୀ ଓ ସେବାୟତ ଦର୍ଶନ କରିଥିଲେ। ଏହାପରେ ସକାଳ ୬ଟା ପରଠାରୁ ସାହାଣମେଲା ଦର୍ଶନ ଚାଲିଛି। ଧାଡ଼ିରେ ଆସି ଦର୍ଶନ କରୁଛନ୍ତି ସାଧାରଣ ଭକ୍ତ। ଏହି ଦର୍ଶନ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ଏହାପରେ ପାଳିଆ ପରିବର୍ତ୍ତନ ଲାଗି ଅପରାହ୍ନ ୫ଟାରୁ ଅପରାହ୍ନ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ପୁଣିଥରେ ସଂଧ୍ୟା ୬ଟାରୁ ରାତି ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ସାହାଣମେଲା ଦର୍ଶନ।