ରାଜଧାନୀରେ ଦନ୍ତା ଆତଙ୍କ | News Room Odisha

ରାଜଧାନୀରେ ଦନ୍ତା ଆତଙ୍କ

ଭୁବନେଶ୍ବର – ରାଜଧାନୀରେ ଜଙ୍ଗଲୀ ହାତୀ ଆତଙ୍କ । ଏକ ଦନ୍ତା ହାତୀ ସହର ଭିତରକୁ ପଶିଯିବା ବେଳେ ତାକୁ ପାତ୍ରପଡ଼ା ଶନି ମନ୍ଦିର ନିକଟରୁ ଟ୍ରାଙ୍କୁଲାଇଜ୍‌ କରି ବନ ବିଭାଗ କାବୁ କରିଛି । ଏହି ଦନ୍ତା ହାତୀଟି ଧଉଳି‌ରୁ ଗ୍ୟାରେଜ ଛକ ଦେଇ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ସୁନ୍ଦରପଦା, ପୋଖରୀପୁଟ ଦେଇ ଆଇଗିଣିଆ ଆଡ଼େ ଯାଇଥିଲା। ହାତୀଟି ସହର ଭିତରକୁ ପଶି ଆସିଥିବାରୁ ତାକୁ ଘଉଡ଼ାଇବା ପାଇଁ ପ୍ରାୟ ୬୦ ବନ କର୍ମଚାରୀ ନିୟୋଜିତ ହୋଇ ନାକେଦମ ହୋଇଛନ୍ତି।

ଦିନରେ ହାତୀଟି ପିପିଲିରେ ଉପଦ୍ରବ କରିଥିଲା । ପରେ ରାତିରେ ରାଜଧାନୀ‌ ଭୁବନେଶ୍ବରରେ ପଶିଥିଲା । ଧାନ ଖାଇବା ପାଇଁ ଚନ୍ଦକା ଜଙ୍ଗଲରୁ ପ୍ରଥମେ ଖୋର୍ଦ୍ଧା ଓ ପରେ ଡେଲାଙ୍ଗ ଦେଇ ପିପିଲି ପଳାଇଥିବା ଦନ୍ତା ହାତୀ ଧଉଳିରେ ପହଞ୍ଚିଥିଲା। ପିପିଲି ଏନ୍‌ଏସି ଅଞ୍ଚଳ ତଥା ପୁରୁଣା ବଜାର ଦେଇ ଦନ୍ତାଟି ଜାତୀୟ ରାଜପଥରେ କୌଶଲ୍ୟାଗଙ୍ଗ ଫାଣ୍ଡି ଅଞ୍ଚଳକୁ ଚାଲିଆସିଥିଲା। ହାତୀଟି ଧଉଳି ପାହାଡ଼ କଡ଼ରେ ଦୟାନଦୀ ପଠାରେ ଆଖୁ ଗହୀର ଭିତରେ ରହିଥିଲା। ବନ ବିଭାଗ ଓ ପୁଲିସ ହାତୀର ପିଛା କରୁଥିବାରୁ କିଛି ବଡ଼ଧରଣର ଧନଜୀବନ ହାନୀ ହୋଇନଥିଲା। ସୂଚନାନୁସାରେ ପ୍ରଥମେ ହାତୀଟି ଖୋର୍ଦ୍ଧା ଜରିପୁଟ ଦେଇ ଡେଲାଙ୍ଗ ଅଞ୍ଚଳକୁ ଚାଲି ଯାଇଥିଲା। ପରେ ହାତୀକୁ ପିପିଲି ଅଞ୍ଚଳରେ ଦେଖିବାକୁ ମିଳିଥିଲା। ସେଠାରେ ବ୍ୟାପକ ପାଚିଲା ଧାନ ଫସଲ ନଷ୍ଟ କରିଥିଲା। ବନ ବିଭାଗ ଓ ପୁଲିସ କର୍ମଚାରୀମାନେ ତାକୁ ଘଉଡ଼ାଇ ପୁଣି ଜଙ୍ଗଲମୁହାଁ କରିବାକୁ ଲାଗିଥିଲେ। ତାକୁ ଘଉଡ଼ାଇବାକୁ ଅପରେସନ୍ ଆରମ୍ଭ ହୋଇଥିଲା।