ଟି-୨୦ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ଭାରତ | News Room Odisha

ଟି-୨୦ ବିଶ୍ୱକପ: ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ଭାରତ

ଆଡିଲେଡ୍: ଭାରତ ବୁଧବାର ଟି-୨୦ ବିଶ୍ୱକପର ଏକ ରୋମାଞ୍ଚକ ମ୍ୟାଚରେ ବାଂଲାଦେଶକୁ ୫ ରନରେ ହରାଇଛି । ଏହି ବିଜୟ ସହ ଭାରତ ଗ୍ରୁପ୍-୧ ପଏଣ୍ଟ ତାଲିକାର ପୁଣି ଶୀର୍ଷକୁ ଫେରି ସେମିଫାଇନାଲ ନିକଟତର ହୋଇଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୮୪ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପାଇଁ ସର୍ବାଧିକ ରନ୍ ବିରାଟ କୋହଲିଙ୍କ ୪୪ ବଲରେ ୬୪ ରନ୍ କରିଥିବା ବେଳେ କେଏଲ୍ ରାହୁଲ ଫର୍ମକୁ ଫେରି ୩୨ ବଲରେ ୫୦ ରନ୍ କରିଥିଲେ।

୧୮୫ ରନ୍ ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ବାଂଲାଦେଶ ବିସ୍ଫୋରକ ଷ୍ଟାର୍ଟ କରିଥିଲା । ହେଲେ ମଝିରେ ବର୍ଷା ବାଧକ ସାଜିବାରୁ ବାଂଲାଦେଶ ପାଇଁ ଡକୱର୍ଥ-ଲୁଇସ୍ ନିୟମ ଅନୁଯାୟୀ ୧୬ ଓଭରରେ ୧୫୧ ରନ୍ ଧାର୍ଯ୍ୟ ହୋଇଥିଲା । ହେଲେ ବାଂଲାଦେଶ ଶେଷ ପର୍ଯ୍ୟନ୍ତ ଲଢିଥିଲେ ମଧ୍ୟ ୬ ୱିକେଟ୍ ହରାଇ ୧୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ବାଂଲାଦେଶ ପକ୍ଷରୁ ଲିଟନ୍ ଦାସ ସର୍ବାଧିକ ୬୦ ରନ‌ କରିଥିଲେ । ଭାରତ ତରଫରୁ ଅର୍ଶଦୀପ ସିଂ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ବିରାଟ କୋହଲି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

୧୮୫ ରନ୍ ଟାର୍ଗେଟ ଜବାବରେ ବାଂଲାଦେଶ ୭ ଓଭର ସୁଦ୍ଧା ଦଳ ବିନା କୌଣସି ୱିକେଟ ହରାଇ ୬୬ ରନ ମଧ୍ୟ କରି ନେଇଥିଲା। ହେଲେ ବର୍ଷା ଯୋଗୁ ବାଂଲାଦେଶକୁ ଡିଏଲ ମେଥଡ ଦ୍ୱାରା ୧୬ ଓଭରରେ ୧୫୧ ରନର ଟାର୍ଗେଟ ମିଳିଥିଲା। ଲିଟନ ଦାସ ବିସ୍ଫୋରକ ଅର୍ଦ୍ଧଶତକ ସହ କ୍ରିଜ୍‌ରେ ଥିବାରୁ ବାଂଲାଦେଶ ସହଜରେ ବିଜୟ ଟାର୍ଗେଟକୁ ହାସଲ କରିନେବ ବୋଲି ଆଶା କରାଯାଉଥିଲା।

କିନ୍ତୁ ବର୍ଷା ଛାଡ଼ିବା ପରେ ମିଡ୍‌ ୱିକେଟରୁ କେଏଲ ରାହୁଲଙ୍କ ସିଧା ଥ୍ରୋରେ ଲିଟନ ଦାସ ରନ ଆଉଟ ହେବାରୁ ଖେଳର ଗତିପଥ ବଦଳି ଯାଇଥିଲା। ଲିଟନ ଦାସ ୨୭ ବଲରେ ୬୦ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ଦଳର ମଧ୍ୟକ୍ରମ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ତେବେ ନୁରୁଲ ହାସନ ଓ ତସ୍କିନ ଅହମ୍ମଦ ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଉଭୟ ବଡ଼ ଶଟ ଖେଳିବାରୁ ଶେଷ ଓଭରରେ ବାଂଲାଦେଶକୁ ଜିତିବାକୁ ୨୦ ରନ ଆବଶ୍ୟକ ରହିଥିଲା।

ହାସନ ଗୋଟିଏ ଛକା ଓ ଗୋଟିଏ ଚୌକା ମାରିଥିଲେ ମଧ୍ୟ ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା। ବାଂଲାଦେଶ ୧୬ ଓଭରରେ ୬ ୱିକେଟ ହରାଇ ୧୪୫ ରନରେ ଅଟକି ଯାଇଥିଲା।