ପ୍ରବୀଣ ଓଡ଼ିଶାରୁ ବିଜୟ ହଜାରେ ଟ୍ରଫି ପାଇଁ କରିବେ ପ୍ରତିନିଧିତ୍ୱ | News Room Odisha

ପ୍ରବୀଣ ଓଡ଼ିଶାରୁ ବିଜୟ ହଜାରେ ଟ୍ରଫି ପାଇଁ କରିବେ ପ୍ରତିନିଧିତ୍ୱ

ବରଗଡ : ବରଗଡ ଜିଲ୍ଲା କ୍ରିକେଟ୍ ଏସୋସିଏସନ ପକ୍ଷରୁ କ୍ରିକେଟ୍ ଖେଳୁଥିବା ପ୍ରତିଭାବାନ ଖେଳାଳୀ ପ୍ରବୀଣ ଲୁହା ଜାତୀୟ ପ୍ରତିଯୋଗିତା ବିଜୟ ହଜାରେ ଟ୍ରଫିରେ ଭାଗ ନେବାପାଇଁ ଚୟନି ହୋଇ ଓଡ଼ିଶା ବରିଷ୍ଠ ଦଳରେ ଖେଳିବା ପାଇଁ ମନୋନୀତ ହୋଇଛନ୍ତି ।

ସେ ନଭେମ୍ବର ୧୨ ତାରିଖରୁ ମୁମ୍ବାଇ ଠାରେ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅଭିଷେକ ରାଉତଙ୍କ ନେତୃତ୍ୱରେ ଗଠିତ ୧୬ ଜଣିଆ ଓଡ଼ିଶା ଦଳରେ ପ୍ରବୀଣ ନିଜର ସ୍ଥାନ ପକ୍କା କରି ବରଗଡ ଜିଲ୍ଲା ପାଇଁ ସୌଭାଗ୍ୟ ଆଣି ପାରିଛନ୍ତି । ପୂର୍ବରୁ ମଧ୍ୟ ପ୍ରବୀଣ ଓଡ଼ିଶା ବରିଷ୍ଠ ଦଳ ପକ୍ଷରୁ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଖେଳି ସାରିଛନ୍ତି । ପ୍ରବୀଣ ଜଣେ ଉଚ୍ଚକୋଟୀର ମଧ୍ୟ ଭାଗ ବ୍ୟାଟ୍ସମ୍ୟାନ୍‌ ସାଙ୍ଗକୁ ଜଣେ ଚମତ୍କାର ୱିକେଟ ରକ୍ଷକ ଅଟନ୍ତି । ବରଗଡ ଜିଲ୍ଲା ବରିଷ୍ଠ ଦଳର ପୂର୍ବତନ ଅଧିନାୟକ ପ୍ରବୀଣ ଜଣେ ଯୁଝାରୁ ଖେଳାଳୀ ହୋଇଥିବା ବେଳେ ଭଲ ଖେଳ ପ୍ରଦର୍ଶନ କରିବାର କ୍ଷୁଧା ତାଙ୍କର ସବୁବେଳେ ରହିଥାଏ । ପ୍ରବୀଣଙ୍କ ଏହି ସଫଳତା ପାଇଁ ତାଙ୍କୁ ଜିଲ୍ଲା କ୍ରିକେଟ୍ ଏସୋସିଏସନ୍ ର ସଭାପତି ହରିହର ପ୍ରଧାନ , ସମ୍ପାଦକ ରବି ପଣ୍ଡା , ପୁର୍ବତନ ସଭାପତି ଅରୁଣ ମହାନ୍ତି , ପୁର୍ବତନ ସମ୍ପାଦକ ସୁବ୍ରତ ଚାଟାର୍ଜୀ , ଉପ ସଭାପତି ଶୁଭ୍ର ଶେଖର ମହାପାତ୍ର , ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡା , କୋଷାଧ୍ୟକ୍ଷ ଗୁରୁଦତ୍ତ ଦାଶ , ବରିଷ୍ଠ ସଦସ୍ୟ ମାନେ ଶୁଭେଚ୍ଛା ଜଣାଇଛନ୍ତି ।