ଆସନ୍ତା ୧୦ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଦିନ ସାଢେ଼ ୧୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ | News Room Odisha

ଆସନ୍ତା ୧୦ରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ଦିନ ସାଢେ଼ ୧୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ – ଆସନ୍ତା ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସୁଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେହି ଦିନ ହିଁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି । ଏଥିରେ ସମସ୍ତ ପ୍ରଶାସନିକ ବିଭାଗର ଅଧିକାରୀ ଓ ପୋଲିସ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ କରାଯାଇ ରାଷ୍ଟ୍ରପତି ଯେପରି ଶୃଙ୍ଖଳିତ ବ୍ୟବସ୍ଥା ଭିତରେ ଶ୍ରୀଜୀଉମାନଙ୍କ ଦର୍ଶନ କରିବେ ସେନେଇ ଅଲୋଚନା ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ବୈଠକ ପରେ ସେ କହିଛନ୍ତି, ରାଷ୍ଟ୍ରପତି ପୁରୀରେ ପହଞ୍ଚିବା ପରେ ଦିନ ୧୨ରୁ ଗୋଟାଏ ମଧ୍ୟରେ ଶ୍ରୀଜୀଉଙ୍କ ଦର୍ଶନ କରିବେ। ସେ ଗର୍ଭଗୃହକୁ ଯାଇ ଠାକୁରଙ୍କ ପୂଜାର୍ଚ୍ଚନା କରିବେ। ପରେ ମହାପ୍ରସାଦ ସେବନ କରିବେ। ଏଥିପାଇଁ ସାଧାରଣ ଦର୍ଶନ ବ୍ୟବସ୍ଥା ଦିନ ପ୍ରାୟ ସାଢ଼େ ୧୦ଟାରୁ ବନ୍ଦ କରି ଦିଆଯିବ। ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ପ୍ରସ୍ଥାନ କରିବା ପରେ ସାଧାରଣ ଲୋକେ ଶ୍ରୀଜୀଉଙ୍କ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରକୁ ଯାଇପାରିବେ। ଏହି ଦିନ ନୀତିକୁ ଠିକ୍ ସମୟରେ ସମାପ୍ତ କରିବାକୁ ସେବାୟତଙ୍କ ସହ ଅଲୋଚନା ହୋଇଛି। ସମସ୍ତଙ୍କ ସମନ୍ୱୟରେ ନୀତି ଶୃଙ୍ଖଳିତ ହେବ ବୋଲି ନିଷ୍ପତ୍ତି ହୋଇଛି।