ମାଣ୍ଡିଆପଲ୍ଲୀ ଗୁଟଖା କାରଖାନାରେ ଗୋପାଳପୁର ପୋଲିସର ଚଢ଼ଉ | News Room Odisha

ମାଣ୍ଡିଆପଲ୍ଲୀ ଗୁଟଖା କାରଖାନାରେ ଗୋପାଳପୁର ପୋଲିସର ଚଢ଼ଉ

ବ୍ରହ୍ମପୁର: ବେଆଇନ୍‌ ଗୁଟଖା ପ୍ରସ୍ତୁତି, କାରବାର, ବିକ୍ରି ତଥା ଚାଲାଣ ଉପରେ ବ୍ରହ୍ମପୁର ଜିଲ୍ଲା ପୋଲିସର ଚଢ଼ଉ ଜାରି ରହିଛି। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ଗୋପାଳପୁର ଥାନା ପୋଲିସ ମାଣ୍ଡିଆପଲ୍ଲୀ ଠାରେ ଚାଲିଥିବା ବେନିୟମ ଗୁଟ୍‌ଖା ପ୍ରସ୍ତୁତି କାରଖାନା ଉପରେ ଚଢଉ କରିଛି। ସେଠାରୁ ପୋଲିସ ବିପୁଳ ପରିମାଣର ଗୁଟଖା ପ୍ୟାକେଟ୍, ପ୍ରସ୍ତୁତି ସାମଗ୍ରୀ ଓ କଞ୍ଚାମାଲ, ୨ଟି ମେସିନ୍ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ କାବୁ କରିଛି ପୋଲିସ। ବେଶ୍ କିଛି ଦିନ ହେବ ଏହି ଗୁଟଖା କାରଖାନା ବେଆଇନ୍ ଭାବେ ଲୁଚାଛପାରେ ଚାଲିଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ବ୍ରହ୍ମପୁର ଏସପି ଚଢ଼ଉ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୂର୍ବରୁ ମଧ୍ୟ ବ୍ରହ୍ମପୁର ସହର ସମେତ ସହର ଉପକଣ୍ଠ ବିଭିନ୍ନ ସ୍ଥାନରେ ଏଭଳି ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ଉ କରି ସଫଳତା ପାଇଥିଲା। ବିପୁଳ ପରିମାଣର ଗୁଟଖା ଜବତ କରିବା ସହ ଅନେକ ଅଭିଯୁକ୍ତଙ୍କୁ ଗିରଫ କରିପାରିଛି ପୋଲିସ।