ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନକୁ ନେଇ ବ୍ରହ୍ମପୁରରେ ହେତୁବାଦୀ- ଧାର୍ମିକ ସଙ୍ଗଠନ ମୁହାଁମୁହି, ଉତ୍ତେଜନା | News Room Odisha

ଚନ୍ଦ୍ରଗ୍ରହଣରେ ସାମୂହିକ ଭୋଜନକୁ ନେଇ ବ୍ରହ୍ମପୁରରେ ହେତୁବାଦୀ- ଧାର୍ମିକ ସଙ୍ଗଠନ ମୁହାଁମୁହି, ଉତ୍ତେଜନା

ବ୍ରହ୍ମପୁର: ଚନ୍ଦ୍ରଗ୍ରହଣ ସମୟରେ ସାମୂହିକ ଭୋଜନ ଆୟୋଜନକୁ ନେଇ ବ୍ରହ୍ମପୁରରେ ହେତୁବାଦୀ ଓ ବିଭିନ୍ନ ଧାର୍ମିକ ସଙ୍ଗଠନ ମୁହାଁମୁହିଁ ହୋଇଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ସିଟି ହାଇସ୍କୁଲ ରୋଡରେ ସଚେତନତା ସଭା ଓ ସାମୂହିକ ଭୋଜନ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ହେତୁବାଦୀ ସଂଗଠନ (HRO) ଗଞ୍ଜାମ ଜିଲ୍ଲା ଶାଖା।

ତେବେ ଚନ୍ଦ୍ରଗ୍ରହଣ ବେଳେ ସାଧାରଣରେ ପାକ ତ୍ୟାଗ ବିଧି ହିନ୍ଦୁ ଧର୍ମାବଲମ୍ବୀମାନେ ପାଳୁଥିବା ବେଳେ ତାହାର ବ୍ୟତିକ୍ରମ ଘଟାଇ ଲୋକଦେଖାଣିଆ ଓ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଭଳି ପ୍ରଚାର ସର୍ବସ୍ୱ ସାମୂହିକ ଭୋଜନକୁ ବିରୋଧ କରିଥିଲେ ବିଭିନ୍ନ ଧାର୍ମିକ ସଙ୍ଗଠନ। ଫଳରେ କିଛି ସମୟ ପାଇଁ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ସହ ଉତ୍ତେଜନା ଦେଖାଦେଇଥିଲା। ଗୋବର ପାଣି ଛିଞ୍ଚି ସ୍ଥାନକୁ ଶୁଦ୍ଧ କରିବା ସାଙ୍ଗକୁ ହେତୁବାଦୀଙ୍କ କାର୍ଯ୍ୟକ୍ରମ ସ୍ଥଳକୁ ଧସେଇ ପଶିଥିଲେ ବଜରଙ୍ଗ ଦଳ, ଭିଏଚପି, ବ୍ରାହ୍ମଣ ସମାଜ ଓ ଅନ୍ୟ ଧାର୍ମିକ ସଙ୍ଗଠନର କର୍ମୀ। ଟେଣ୍ଟ ଉପାଡ଼ି ବାହାର କରି ଦେଇଥିଲେ। ସେମାନେ ହୋହାଲ୍ଲା କରିବା ସହିତ ହେତୁବାଦୀ ସଙ୍ଗଠନର ଏଭଳି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାଳନା କରିବା ସହ ବୁଝାସୁଝା ପରେ ପୋଲିସ ଗାଡ଼ିରେ ହେତୁବାଦୀ ସଙ୍ଗଠନର କର୍ମକର୍ତ୍ତାଙ୍କୁ ବାହାରକୁ ନେଇ ଯାଇଥିଲେ। ‌ମାନବବାଦୀ ହେତୁବାଦୀ ସଙ୍ଗଠନ କହିବା କଥା ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ପରି ମହାଜାଗତିକ ଘଟଣାକୁ ନେଇ ଆମ ସମାଜରେ ବିଭିନ୍ନ ଭ୍ରାନ୍ତ ଧାରଣା ରହି ଆସିଛି। ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଅଭାବରୁ ସାଧାରଣ ଜନତା ପାକତ୍ୟାଗ ଭଳି ପ୍ରଥା ସବୁକୁ ବିଶ୍ୱାସ କରିଥାନ୍ତି। ହେଲେ ହିନ୍ଦୁ ସଙ୍ଗଠନ କର୍ମକର୍ତ୍ତାଙ୍କ ମତ ଏହା ଥିଲା ଯେ ଏହା ନିଜ ନିଜ ଧାର୍ମିକ ଭାବନା। ଯଦି ଏଥିରେ ବିଶ୍ବାସ ହେଉନି, ତେବେ ନିଜ ଘରେ ପରିବାରରେ ଯାହା କରିବା କଥା। ମାତ୍ର ସର୍ବସାଧାରଣରେ ଧର୍ମକୁ ବିରୋଧ କରି ସାମୂହିକ ଭୋଜନ କାର୍ଯ୍ୟକ୍ରମ ଆୟୋଜନ ନିନ୍ଦନୀୟ ଅଟେ।