ନାବାଳିକାଙ୍କୁ ହତ୍ୟା ପରେ ପୋତି ଦେଇଥିବା ଅଭିଯୋଗ, ଘଟଣାସ୍ଥଳରେ ପୋଲିସର ଛାନଭିନ ଆରମ୍ଭ | News Room Odisha

ନାବାଳିକାଙ୍କୁ ହତ୍ୟା ପରେ ପୋତି ଦେଇଥିବା ଅଭିଯୋଗ, ଘଟଣାସ୍ଥଳରେ ପୋଲିସର ଛାନଭିନ ଆରମ୍ଭ

ନୂଆପଡ଼ା: ଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା। ପ୍ରମାଣ ନଷ୍ଟ ପାଇଁ ନାବାଳିକାଙ୍କୁ ମାଟିତଳେ ପୋତି ଦେଲେ ଦୁର୍ବୃତ୍ତ। ନୂଆପଡ଼ା ସଦର ଥାନା ରତିପାଲି ଗାଁରୁ ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ନାବାଳିକାଙ୍କ ମୃତଦେହ ଉଦ୍ଧାର କରିବାକୁ ଚାଷ ଜମିରୁ ମାଟି ଖୋଳୁଛି।

ସୂଚନା ମତେ, ସେହି ଗାଁର ଧନିରାମ ନାଏକଙ୍କ ଝିଅ ହିତେଶ୍ଵରୀ ନାଏକ ସ୍ଥାନୀୟ ଏକ କଲେଜରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢୁଥିଲେ। ଜାନୁଆରୀ ୧ ରେ ସେ ନିଜ ଘରକୁ ଆସିଥିଲେ। ରାତିରେ ସେ ଖାଇପିଇ ଶୋଇଥିଲେ । ସକାଳୁ ଉଠିବା ବେଳେ ହିତେଶ୍ଵରୀ ନିଜ କୋଠରୀରେ ନଥିଲେ। ଏନେଇ ପରିବାର ଲୋକେ ଝିଅକୁ ଖୋଜାଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳିନଥିଲା । ତେଣୁ ଜାନୁଆରୀ ୯ ତାରିଖରେ ନୂଆପଡ଼ା ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ନାବାଳିକାଙ୍କୁ କେହି ହତ୍ୟା କରି ମାଟିତଳେ ପୋତି ଦେଇଥିବା ଅଭିଯୋଗ ହୋଇଥିଲା।ତେବେ ଦୀର୍ଘ ଦିନ ପରେ ଗତ ୨ ତାରିଖରେ ପରିବାର ଲୋକେ ଏକ ବେନାମି ଚିଠିକୁ ଆଧାର କରି ପୁଣି ଏକ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ପୋଲିସ ୫ ଜଣ ଯୁବକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା।
ଆଜି ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସାଇଣ୍ଟିଫିକ୍ ଟିମ୍ ଓ ଅନୁସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି। ନାବାଳିକାଙ୍କୁ ପୋତାଯାଇଥିବା ଧାନ ବିଲରୁ ଧାନ କାଟି ପୋଲିସ ଜେସିବି ସାହାଯ୍ୟରେ ମାଟି ଖୋଳିବା ଆରମ୍ଭ କରିଛି। ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ସଦର ଆଇଆଇସି ନିର୍ମଳ ପାଣିଗ୍ରାହୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଉପସ୍ଥିତ ରହିଛି ।