ରାଷ୍ଟ୍ରପତି ହେଲା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ | News Room Odisha

ରାଷ୍ଟ୍ରପତି ହେଲା ପରେ ଆଜି ପ୍ରଥମ ଥର ପାଇଁ ଓଡ଼ିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ

ଭୁବନେଶ୍ୱର – ରାଷ୍ଟ୍ରପତି ହେଲା ପରେ ଆଜି ପ୍ରଥମ ଥର ପାଇଁ ଓଡିଶା ଆସୁଛନ୍ତି ଦୌପ୍ରଦୀ ମୁର୍ମୁ । ସେ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି । ଆଜି ସକାଳ ସାଢ଼େ ୯ଟା ବେଳେ ରାଷ୍ଟ୍ରପତି ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅର୍ନର ପ୍ରଦାନ କରାଯିବ । ଏହାପରେ ସେଠାରୁ ସେ ହେଲିକପ୍ଟର ଯୋଗେ ପୁରୀ ଯିବେ । ସାଢ଼େ ୧୦ଟା ସମୟରେ ପୁରୀ ତାଳବଣିଆ ହେଲିପ୍ୟାଡରେ ପହଂଚିବେ । ଏହାପରେ କାରକେଡ୍ ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯିବେ ରାଷ୍ଟ୍ରପତି ।

ଶ୍ରୀମନ୍ଦିରରେ ସେ ପାଖାପାଖି ଏକ ଘଣ୍ଟା ରହିବେ । ମହାପ୍ରଭୁଙ୍କ ଦର୍ଶନ ସାରି ସାଢ଼େ ୧୧ଟାରେ ରାଷ୍ଟ୍ରପତି ସିଂହଦ୍ୱାରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ । ପରେ ସେଠାରୁ ସିଧା ପୁରୀ ରାଜଭବନ ବାହାରିବେ । ସେଠାରେ ସେ ମହାପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି ।

ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ପ୍ରଥମ ଥର ପାଇଁ ନିଜ ରାଜ୍ୟ ଗସ୍ତରେ ଆସୁଥିବାରୁ ସ୍ଥାନୀୟ ପ୍ରଶାସନର ସହଯୋଗରେ ରାଜ୍ୟ ସରକାର ବ୍ୟାପକ ବ୍ୟବସ୍ଥା କରିଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମ୍ମାନାର୍ଥେ ଆଜି ଦିନ ଗୋଟାଏରୁ ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ । ରାଷ୍ଟ୍ରପତିଙ୍କ ପ୍ରଥମ ଓଡ଼ିଶା ଗସ୍ତକୁ ନେଇ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ରାଷ୍ଟ୍ରପତିଙ୍କୁ ସମ୍ମାନ ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏହି ଛୁଟି ଘୋଷଣା କରାଯାଇଛି । ଏନେଇ ବିଜ୍ଞପ୍ତି ଜାରି କରିଛି ବିଭାଗ ।