ବଡ଼ ଦେଉଳରେ ଜଗା ଦର୍ଶନରେ ଅଭିଭୂତ ହେଲେ ରାଷ୍ଟ୍ରପତି... ‍‍‌‌ଚଟାଣରେ ବସି ଗଜପତିଙ୍କ ସହ ମହାପ୍ରସାଦ ସେବନ କଲେ... | News Room Odisha

ବଡ଼ ଦେଉଳରେ ଜଗା ଦର୍ଶନରେ ଅଭିଭୂତ ହେଲେ ରାଷ୍ଟ୍ରପତି… ‍‍‌‌ଚଟାଣରେ ବସି ଗଜପତିଙ୍କ ସହ ମହାପ୍ରସାଦ ସେବନ କଲେ…

* ”ଆଜି ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂରତି ଏବଂ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରି ମୁଁ ନିଜକୁ ସୈାଭାଗ୍ୟବତୀ ମନେ କରୁଛି। ଓଡ଼ିଆ ଜାତିର ପରମ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଣିପାତ କରି ମୁଁ ଏକ ବିରଳ ଓ ଦିବ୍ୟ ଅନୁଭୂତି ଲାଭ କରିଛି। ମହାପ୍ରଭୁ ଆଦିବାସୀମାନଙ୍କର ଦାରୁଦେବତା ଏବଂ ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡର ଠାକୁର।‌ ମାନବ ଜାତିର କଲ୍ୟାଣ ପାଇଁ ମୁଁ ତାଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛି। ଶ୍ରୀଜଗନ୍ନାଥଙ୍କ ଆଶୀଷ ଲାଭ କରି ଆମ ଦେଶ ଅଭିବୃଦ୍ଧି ଓ ବିକାଶର ଶୀର୍ଷରେ ପହଞ୍ଚୁ, ଏହା ମୋର କାମନା”।

* ଏଇ କିଛି ପଦ ଲେଖା ହେଉଛି ଦେଶର ପ୍ରଥମ ନାଗରିକ, ସାମ୍ବିଧାନିକ ମୁଖ୍ୟ ତଥା ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁଙ୍କ ହସ୍ତ ଲିଖିତ ମନ୍ତବ୍ୟ। ବଡ଼ ଦେଉଳରେ ଜଗାଙ୍କ ଦର୍ଶନ ପରେ ସେ ଲେଖିଥିବା ଏହି କିଛି ଧାଡ଼ି ବହୁତ କିଛି ବର୍ଣ୍ଣନା କରୁଛି। ଜଣେ ଓଡ଼ିଆ ଭାବେ, ଜଣେ ଆଦିବାସୀ ରୂପେ, ଜଣେ ରାଷ୍ଟ୍ରମୁଖ୍ୟ ଭାବେ ତାଙ୍କ ବିଚାର ସ୍ପଷ୍ଟ ବର୍ଣ୍ଣନା କରିପାରୁଛି। ଓଡ଼ିଆ ସଂସ୍କୃତି, ଇତିହାସ ଓ ମହାଜାଗତିକ ଭାବନାକୁ ପ୍ରତିପାଦିତ କରୁଛି।

* ତେବେ କେବଳ ଏଇ ଗୋଟିଏ ନୁହେଁ, ବରଂ ଏଭଳି ଅନେକ ନିଆରା ଘଟଣାବହୁଳ ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଆରମ୍ଭ। ଭୁବନେଶ୍ୱରରେ ବିମାନରୁ ଓହ୍ଲାଇବା ପରେ ସିଧାସଳଖ ପୁରୀ ଯାତ୍ରା କରିଥିଲେ ସେ। ଓଡ଼ିଆଙ୍କ ଆରାଧ୍ୟ ଦେବତାଙ୍କ ଦର୍ଶନ ପାଇଁ ବ୍ୟାକୁଳତା ସ୍ପଷ୍ଟ ବାରି ହେଉଥିଲା। ଜୀବନରେ ଶୀର୍ଷ ସଫଳତା ତଥା ପଦମର୍ଯ୍ୟାଦା ହାସଲ ପରେ ବଡ଼ ଠାକୁରଙ୍କ ଆଶୀର୍ବାଦ ହାସଲ ସକାଶେ ଜଣେ ସାଧାରଣ ଓଡ଼ିଆଙ୍କ ପରି ତାଙ୍କ ଆତ୍ମା ସତେଯେମିତି ବ୍ୟଗ୍ର ଥିଲା। ହେଲେ ତାଙ୍କ ଆଚରଣ, ବ୍ୟବହାର ଜଣେ ସାମାନ୍ୟ ଭକ୍ତ ସଦୃଶ ଥିଲା। ସେଥିପାଇଁ ତ କାରରୁ ଓହ୍ଲାଇ ପଡ଼ି ଚାଲି ଚାଲି ବଳଗଣ୍ଡି ଛକରୁ ଶ୍ରୀମନ୍ଦିର ଅଭିମୁଖେ ଦୁଇ କିମି ପାଦରେ ଚାଲି ଚାଲି ଯାଇଥିଲେ ରାଷ୍ଟ୍ରପତି। ଅନ୍ୟ ଭକ୍ତଙ୍କ ପରି ସାମାନ୍ୟତଃ ପଦଯାତ୍ରା କରି ଶ୍ରୀମନ୍ଦିର ନିକଟରେ ପହଞ୍ଚିଥିଲେ ସେ। ବାଟରେ ସାଧାରଣ ଜନତାଙ୍କୁ ଦୁଇ ହାତ ହଲାଇ ଓ ନମସ୍କାର କରି ଅଭିବାଦନ ଜଣାଇଥିଲେ, ସ୍କୁଲ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ, ସେମାନଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ। ସତେଯେମିତି ନିଜ ରାଜ୍ୟରେ ନିଜ ଲୋକଙ୍କ ସହ ଏକାକାର ହୋଇଯାଇଥିଲେ ସେ। ପୂର୍ବରୁ କୈାଣସି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳି ନଥିଲା। ସିଂହଦ୍ବାର ନିକଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ବାଇଶି ପାହାଚରେ ମୁଣ୍ଡିଆ ମାରିଥିଲେ। ପ୍ରାୟ ୪୫ ମିନିଟ୍ କାଳ ସେ ଶ୍ରୀମନ୍ଦିରରେ ବିତାଇବା ସହ ତିନି ଠାକୁରଙ୍କ ଦର୍ଶନ ସାଙ୍ଗକୁ ବିଭିନ୍ନ ମନ୍ଦିର ଓ ବେଢ଼ା ପରିକ୍ରମା କରିଥିଲେ। ଶେଷରେ ସେବାୟତଙ୍କ ପ୍ରଦତ୍ତ ତିନି ଠାକୁରଙ୍କ ସୁନ୍ଦର ଓ ସୁଦୃଶ୍ୟ ଫଟୋଚିତ୍ର ସାଥିରେ ନେଇ ଶ୍ରୀମନ୍ଦିରରୁ ଫେରିଥିଲେ। ଦେଶର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ ପରେ ନିଜର ଓଡ଼ିଶା ଗସ୍ତ ଆରମ୍ଭରୁ ଏଭଳି ନିଆରା ଛାପ ଛାଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

* ପରେ ସେ ଶ୍ରୀମନ୍ଦିରରୁ ଫେରି ପୁରୀ ରାଜଭବନରେ ଅବଢା଼ ସେବନ କରିଥିଲେ। ଏଥିରେ ମଧ୍ୟ ଦେଖିବାକୁ ମିଳିଥିଲା ‌ବିରଳ କଥା। ଆଜି ଥିଲା ମାଣବସା ଗୁରୁବାର ପ୍ରଥମ ପାଳି। ମା’ ମହାଲକ୍ଷ୍ମୀଙ୍କ ପୂଜା ପାଇଁ ଓଡ଼ିଶାର ପୁରପଲ୍ଲୀ ଥିଲା ଉତ୍ସବମୁଖର। ଏହି ଅବସରରେ ଶ୍ରୀମନ୍ଦିରରେ ଦେବୀ ଅନ୍ନଦାତ୍ରୀଙ୍କ ଦର୍ଶନର ସୈାଭାଗ୍ୟ ଲାଭ କରିଥିବା ରାଷ୍ଟ୍ରପତି ଚଟାଣରେ ବସି କଦଳୀ ପତ୍ର, ମାଟି କୁଡୁଆ ଓ ପିତଳପାତ୍ରରେ ଶ୍ରୀ ମନ୍ଦିରର ବ୍ୟଞ୍ଜନ ସେବନ କରିଥିଲେ। ତାଙ୍କ ସହ ଥିଲେ ପୁରୀ ଗଜପତି ମହାରାଜା ଓ ତାଙ୍କ ପତ୍ନୀ, ରାଷ୍ଟ୍ରପତିଙ୍କ ଝିଅ ପ୍ରମୁଖ। ତାଙ୍କୁ ପରସା ଯାଇଥିଲା ଘିଅ ଅନ୍ନ, କାନିକା, ମିଷ୍ଟାନ୍ନ, ଡାଲି, ଡାଲ୍‌ମା, ମଞ୍ଜା, କଖାରୁ ଫୁଲ ରାଇ, ସୋଲା ମହୁରା, ସନ୍ତୁଳା, ପୋଟଳ ରସା, ଶାଗ ମୁଗ, ବିରି ମୁଗ ମହୁର, ଛେନା ଦହି ମହୁର, ରାଇତା, ସପୁରି ଖଟା, ଫଳ ରାବିଡ଼ି, ତାଡ଼ିଆ, ଚନ୍ଦ୍ରକାନ୍ତି, ହଂସବେନ୍ଧି, ଝିଲି, ଏଣ୍ଡୁରି, କାକରା, ବିରି ପିଠା ଆଦି ସୁସ୍ବାଦୁ ଓ ସାତ୍ତ୍ୱିକ ଖାଦ୍ୟ।

* ଶେଷରେ ମହୋଦଧିରେ ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଜୟ ଜଗନ୍ନାଥ ବାଲୁକା କଳା ଦର୍ଶନ ସହ ନିଆରା ପ୍ରକୃତିସମ୍ପନ୍ନ ଦାରୁଦେବତାଙ୍କ ପ୍ରତିକୃତି ଗ୍ରହଣ କରି ଭୁବନେଶ୍ୱର ଫେରିଥିଲେ ରାଷ୍ଟ୍ରପତି ଶ୍ରୀମତି ମୁର୍ମୁ।