ଭୁବନେଶ୍ୱର: ଗଞ୍ଜେଇ ମାଫିଆଙ୍କ ବିରୋଧରେ ଜାରି ରହିଛି କଠୋର କାର୍ଯ୍ୟାନୁଷ୍ଠାନ। ମୋହନା, ବ୍ରହ୍ମପୁର, ଖଲ୍ଲିକୋଟ ପରେ ଏବେ ଦକ୍ଷିଣ ଓଡ଼ିଶାର ଅନ୍ୟତମ ପ୍ରମୁଖ ସହର କୋରାପୁଟ ଜିଲ୍ଲା ଜୟପୁରର ବେଆଇନ ନିଶା ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏନଡିପିଏସ୍ କର୍ତ୍ତୃପକ୍ଷ। ଜୟପୁରର କୁଖ୍ୟାତ ଗଞ୍ଜେଇ ବେପାରୀ ମୁରାଦ୍ ଖାନ୍ (ଆକବର)ର ପ୍ରାୟ ଏକ କୋଟିରୁ ଉର୍ଦ୍ଧ୍ବ ମୂଲ୍ୟର ସମ୍ପତ୍ତି ଯଥା ଚାରି ମହଲା କୋଠା, ଏକାଧିକ ଗାଡ଼ି ମୋଟର, ବ୍ୟାଙ୍କ୍ ଜମା ସମ୍ପତ୍ତି ଆଦି ଜବତ କରିଛି ଜାତୀୟ ନିଶା ନିବାରଣ ସଂସ୍ଥା। ଏନଡିପିଏସ୍ (କୋଲକାତା) କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ଏସବୁ ସମ୍ପତ୍ତି ଉଠାଣ, ହସ୍ତାନ୍ତର କିମ୍ବା ବ୍ୟବହାର କରାଯାଇ ପାରିବନି। ଉଲ୍ଲେଖଯୋଗ୍ୟ କି ଗତବର୍ଷ ଏକ ଗଞ୍ଜେଇ ଚୋରାଚାଲାଣ ମାମଲାରେ ଛାନଭିନ ବେଳେ ମୁରାଦ୍ ଗିରଫ ହେବା ସହ ଏହି ନିଷିଦ୍ଧ କାରବାର ଯୋଗୁଁ ସେ ଅର୍ଜନ କରିଥିବା ବିପୁଳ ସମ୍ପତ୍ତି ଠାବ ହୋଇଥିଲା। ପୂର୍ବରୁ ମଧ୍ୟ ଓଡ଼ିଶା ମଧ୍ୟରେ ତଥା ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ବେନିୟମ ଗଞ୍ଜେଇ ଓ ଅନ୍ୟ ନିଶା କାରବାରରେ ସମ୍ପୃକ୍ତ ଏକାଧିକ ମାଫିଆଙ୍କ ଏଭଳି କୋଟି କୋଟି ଟଙ୍କାର ସମ୍ପତ୍ତି ବ୍ୟାଜ୍ୟାପ୍ତି କରାଗଲାଣି।