ଏ ଶ୍ରୀକ୍ଷେତ୍ର ଏକ ପରିବ୍ୟାପ୍ତ, ପ୍ରସାରିତ ଗଭୀର ଚେତନାର ପ୍ରତୀକ। ଏହି କ୍ଷେତ୍ରର ରହିଛି ସ୍ବତନ୍ତ୍ର ବୈଶିଷ୍ଟ୍ୟ। ଶ୍ରୀକ୍ଷେତ୍ରପରିକ୍ରମା କଲେ ସର୍ବପାପ ,ତାପ ମୋଚନ ହୁଏ । ମାର୍ଗଶୀର କୃଷ୍ଣ ପଞ୍ଚମୀରେ ଶ୍ରୀକ୍ଷେତ୍ରରେ ପାଳିତ ହୁଏ ପଞ୍ଚତୀର୍ଥ ବା ଶ୍ରୀକ୍ଷେତ୍ର ପରିକ୍ରମା ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାର ମାସରେ ତେର ପର୍ବ। ମହାପ୍ରଭୁଙ୍କ କୃପା ଲାଭ ନିମନ୍ତେ ବିଭିନ୍ନ ଯାନିଯାତ୍ରାରେ ସମିଲ ହେବା ପାଇଁ ଶ୍ରୀକ୍ଷେତ୍ରକୁ ଛୁଟି ଆସନ୍ତି ଲକ୍ଷ ଲକ୍ଷ ଭକ୍ତ, ସାଧୁସନ୍ଥ । ତେବେ ଏହି ପରମ୍ପରା ଭିତରେ ରହିଛି ଶ୍ରୀକ୍ଷେତ୍ର ପରିକ୍ରମା । ଏହି ସ୍ୱତନ୍ତ୍ର ଦିବସ ମାର୍ଗଶିର ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ପଡିଥାଏ। ଏହିଦିନ ଶ୍ରୀମନ୍ଦିର ଚାରିପାଖରେ ପରିକ୍ରମା ସହ ଶ୍ରୀକ୍ଷେତ୍ରରେ ବିଭିନ୍ନ ଦେବାଦେବୀ ମନ୍ଦିର ଦର୍ଶନ,ତୀର୍ଥ ପୁଷ୍କରିଣୀରେ ସ୍ନାନ କରିବାର ପରମ୍ପରା ରହିଛି। ଏହାଦ୍ୱାରା ସମସ୍ତ ରୋଗ, ବ୍ୟାଧି, କଷ୍ଟ ଦୂର ସହ ମହାପ୍ରଭୁଙ୍କ ଆଶୀର୍ବାଦ ମିଳିଥାଏ। ଏଥିପାଇଁ ଏହି ଶ୍ରୀକ୍ଷେତ୍ର ପରିକ୍ରମା ଦିନ ପୁରୀରେ ହଜାର ହଜାର ଭକ୍ତ, ବୈଷ୍ଣବ, ସାଧୁସନ୍ଥ ଶ୍ରୀକ୍ଷେତ୍ର ପରିକ୍ରମା କରିଥାନ୍ତି।
ଏହି ଶ୍ରୀକ୍ଷେତ୍ର ପରିକ୍ରମା ଶ୍ରୀମନ୍ଦିର ସିଂହଦ୍ୱାରରୁ ଆରମ୍ଭ ହୋଇଥା। ସଁକୀର୍ତ୍ତ ସହ ହରିନାମ କରି ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଚାରିଦ୍ୱାର ପ୍ରଦକ୍ଷିଣ କରିବା ସହ ତୀର୍ଥପୁଷ୍କରିଣୀ ମାର୍କଣ୍ଡ , ଇନ୍ଦ୍ରଦ୍ୟୁମ୍ନ , ଶ୍ୱେତଗଙ୍ଗା , କପାଳ ମୋଚନ ,ଲୋକନାଥ , ଚକ୍ରତୀର୍ଥ ଆଦି ମନ୍ଦିର ଓ ମହୋଦଧି ଭ୍ରମଣ ସହ ସ୍ନାନ କରିଥାନ୍ତି। ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏହି ଦିନ ଶ୍ରୀକ୍ଷେତ୍ର ପରିକ୍ରମା କଲେ ଅଶେଷ ପୁଣ୍ୟ ଅର୍ଜନ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ବିଷ୍ଣୁ ଧର୍ମୋତ୍ତର ପୁରାଣ ଅନୁସାରେ ମହାବିଷ୍ଣୁଙ୍କର ଚାରି ହାତରେ ରହିଥିବା ଚାରି ଆୟୁଧ ଯଥା ଶଙ୍ଖ, ଚକ୍ର, ଗଦା, ପଦ୍ମକୁ ନେଇ ପବିତ୍ର ଓଡ଼ିଶା ମାଟିର ଚାରିଗୋଟି ସ୍ଥାନର ମହତ୍ୱ ସୃଷ୍ଟି ହୋଇଛି । ସେହି ଆଧାରରେ ପୁରୀକୁ ଶଙ୍ଖକ୍ଷେତ୍ର ଭାବେ ନାମିତ କରାଯାଇଛି । ମହୋଦଧି କୂଳର ଅଳ୍ପ ଦୂରରେ ଅବସ୍ଥିତ ଶ୍ରୀମନ୍ଦିର ତଥା ତତ୍ପରିବେଷ୍ଟିତ ଅଞ୍ଚଳରେ ରହିଥିବା ଶତାଧିକ ସଂଖ୍ୟାର ମନ୍ଦିର, ତୀର୍ଥ ପୁଷ୍କରିଣୀ, ଆଶ୍ରମ ଓ ଦିବ୍ୟବୃକ୍ଷ ଆଦିକୁ ନେଇ ଏହି ନାମକରଣର ପରିକଳ୍ପନା କରାଯାଇଛି ।
ଗୋଟିଏ ଦକ୍ଷିଣାବର୍ତ୍ତ ଶଙ୍ଖ ଆକୃତିର ପରିକଳ୍ପିତ ଅଞ୍ଚଳରେ ଏହିସବୁ ପ୍ରାଚୀନ କୀର୍ତ୍ତିରାଜିର ସ୍ଥିତି ଏହି ନାମକରଣକୁ ଦୃଢ଼ିକୃତ କରେ । ଆନୁମାନିକ ଭାବେ ଦଶବର୍ଗ ମାଇଲ ପରିମିତ ଏହି ଅଞ୍ଚଳର କିଛି ଭାଗ ସମୁଦ୍ର ମଧ୍ୟରେ ରହିଥିବା ଜଣାଯାଏ । ଏହି ଶଙ୍ଖକ୍ଷେତ୍ରର ପରିକଳ୍ପିତ ନକ୍ସାକୁ ଅନୁଧ୍ୟାନ କଲେ ଦେଖାଯାଏ ଯେ ଏହି କ୍ଷେତ୍ରର କେନ୍ଦ୍ରରେ ଶ୍ରୀମନ୍ଦିର ଅବସ୍ଥିି୍ତ । ଶ୍ରୀମନ୍ଦିର ମଧ୍ୟରେ ରତ୍ନ ସିଂହାସନରେ ଉପବିଷ୍ଟ ଶ୍ରୀଜଗନ୍ନାଥଙ୍କ ସମେତ ଚତୁର୍ଦ୍ଧାମୂର୍ତ୍ତି ଶଙ୍ଖନାଭି ମଣ୍ଡଳରେ ବିରାଜମାନ କରିଛନ୍ତି ବୋଲି ବିଶ୍ୱାସ କରାଯାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଏହି କ୍ଷେତ୍ରର ଅଧିଷ୍ଠାତା ତଥା ମୁଖ୍ୟ ଆରାଧ୍ୟ ଦେବତା । ଏହାକୁ କେନ୍ଦ୍ର କରି ତାନ୍ତ୍ରିକ ନିୟମ ଅନୁସାରେ ସାତଗୋଟି ସ୍ତରରେ ବିଭିନ୍ନ ଦେବଦେବୀ ଓ ଗୁରୁତ୍ୱପୂର୍ଣ୍ଣ ଐତିହ୍ୟସ୍ଥଳୀ ରହିଅଛି । କ୍ଷେତ୍ରର ପଶ୍ଚିମରେ ତଥା କଳ୍ପିତ କ୍ଷେତ୍ରର ପୁରୋଭାଗରେ ଶ୍ରୀଲୋକନାଥଙ୍କ ମନ୍ଦିର ବିଦ୍ୟମାନ । ଠିକ୍ ସେଇଭଳି ଶେଷ ଭାଗରେ ଅନ୍ୟତମ ମହାଦେବ ଶ୍ରୀ ବିଲ୍ୱେଶ୍ୱରଙ୍କ ମନ୍ଦିର ରହିଅଛି । ରତ୍ନସିଂହାସନକୁ କେନ୍ଦ୍ରବିନ୍ଦୁ ଭାବେ ଧରିଲେ ।
ଦ୍ୱିତୀୟ ସ୍ତରରେ ଠାକୁରାଣୀ ଯଥା ମା’ ସର୍ବମଙ୍ଗଳା, ମା’ ବିମଳା, ମା’ ଭୁବନେଶ୍ୱରୀ, ମା’ ସରସ୍ୱତୀ, ମା’ ଗାୟତ୍ରୀ, ମା ମହାଲଷ୍ମୀ, ଓ ମା’ ଉତ୍ତରାୟଣୀଙ୍କ ମନ୍ଦିର ସହିତ ପବିତ୍ର ବୃକ୍ଷ କଳ୍ପବଟ ଏବଂ ପବିତ୍ର ତୀର୍ଥ ରୋହିଣୀ କୁଣ୍ଡ ରହିଅଛି । ଆହୁରି ନାଟମଣ୍ଡପରେ ବିଷ୍ଣୁଙ୍କ ବାହନ ଶ୍ରୀଗରୁଡ଼ ମଧ୍ୟ ସ୍ତମ୍ଭ ଉପରେ ରହିଛନ୍ତି। ଏହି ଦ୍ୱିତୀୟ ସ୍ତର କ୍ଷେତ୍ରର ସର୍ବୋଚ୍ଚ ସ୍ଥାନ ହୋଇ ଥିବାରୁ ଏହାକୁ ଏକ କଚ୍ଛପର ପୃଷ୍ଠଭାଗ ଭାବେ କଳ୍ପନା କରାଯାଇଛି । କ୍ଷେତ୍ରର ତୃତୀୟ ସ୍ତରର ଚତୁର୍ଦ୍ଦିଗରେ ଅଷ୍ଟଦଳ ପଦ୍ମର ପରିକଳ୍ପନା ସହିତ ଆଠଗୋଟି ଶିବ ମନ୍ଦିର ଓ ଅଷ୍ଟଚଣ୍ଡିକାଙ୍କ ମନ୍ଦିର ରହିଅଛି । ଏମାନେ ହେଲେ ଅଗ୍ନିଶ୍ୱର, ବଟେଶ୍ୱର, କ୍ଷେତ୍ରପାଳେଶ୍ୱର, ବୈକୁଣ୍ଠେଶ୍ୱର, ପାତାଳେଶ୍ୱର, ରାମେଶ୍ୱର, ଇଶାନେଶ୍ୱର ଓ ବେଢ଼ାଲୋକନାଥ । ଠାକୁରାଣୀମାନେ ହେଲେ ମହାବଜ୍ରେଶ୍ୱରୀ ବା ଇନ୍ଦ୍ରାଣୀ, କାତ୍ୟାୟନୀ, ଶ୍ୱାନଭୈରବୀ, ଭଗକାଳୀ, ଷଷ୍ଠୀ, ସାବିତ୍ରୀ, ବେଢ଼ାକାଳୀ, ଶିତଳା ।
ଏହି ଦେବଦେବୀମାନେ ମୁଖ୍ୟ କେନ୍ଦ୍ରରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ଚତୁର୍ଥ ସ୍ତରରେ ଏକ ଚତୁସ୍କୋଣ କ୍ଷେତ୍ରରେ ରହିଥିବା ପ୍ରାଚୀର କୁର୍ମବେଢ଼ା ନାମରେ ଲୋକମୁଖରେ ପରିଚିତ । ପଞ୍ଚମ ସ୍ତରରେ ପୁନର୍ବାର ଅଷ୍ଟଶମ୍ଭୁ ଓ ଅଷ୍ଟଚଣ୍ଡୀଙ୍କ ଆସ୍ଥାନ ବିଦ୍ୟମାନ । ଏଥିରେ ଶ୍ରୀ ବିଶ୍ୱେଶ୍ୱର, ଶ୍ରୀ ଲୋକନାଥ, ଶ୍ରୀ ମାର୍କଣ୍ଡେଶ୍ୱର, ଶ୍ରୀ ମହାକାଳେଶ୍ୱର, ଶ୍ରୀ କର୍ଣ୍ଣାମେଶ୍ୱର, ଶ୍ରୀ ଜମେଶ୍ୱର, ଶ୍ରୀ କପାଳମୋଚନ ଓ ଶ୍ରୀ ନୀଳକଣ୍ଠଙ୍କ ସହିତ ଅଷ୍ଟଚଣ୍ଡିକାଙ୍କ ମଧ୍ୟରେ ମା’ ବିଶ୍ୱେଶ୍ୱରୀ, ମା’ ଦକ୍ଷିଣକାଳୀ, ମା’ ମର୍ଚ୍ଚିକା, ମା’ ଆଲମ୍ବେଶ୍ୱରୀ, ମା’ ବାରାହୀ, ମା’ ଅର୍ଦ୍ଧାସିନୀ ଏବଂ’ ବାସୁଳେଇଙ୍କ ମନ୍ଦିର ରହିଅଛି । ଭିନ୍ନ ଏକ ମତରେ ଏହି ଶ୍ରୀକ୍ଷେତ୍ରର ଏହି ଅଷ୍ଟଚଣ୍ଡିକାଙ୍କ ଚିହ୍ନଟରେ କିଛି ବ୍ୟତିକ୍ରମ ଦେଖାଯାଏ । ସେମାନେ ହେଲେ ହରଚଣ୍ଡୀ, ଚାମୁଣ୍ଡା, ତ୍ରିିପୁର ସୁନ୍ଦରୀ, ରାମାୟଣୀ,ବନଦୁର୍ଗା, ଶ୍ୟାମାକାଳୀ ଓ ଚର୍ଚ୍ଚିକା ପ୍ରଭୃତି ଠାକୁରାଣୀ ରହିଛନ୍ତି ।
ଶଙ୍ଖକ୍ଷେତ୍ରର ଷଷ୍ଠସ୍ତରରେ ବୈଦିକ ଯୁଗର ଚାରିଜଣ ମହାନ ଋଷିଙ୍କ ନାମାଙ୍କିତ ଆଶ୍ରମମାନ ବିଦ୍ୟମାନ । ପୂର୍ବରେ ଅଙ୍ଗିରାଶ୍ରମ, ପଶ୍ଚିମରେ ଋଷି ପଣ୍ଡୁଙ୍କ ଆଶ୍ରମ, ଉତ୍ତରରେ ଋଷି କଣ୍ଡୁଙ୍କ ଆଶ୍ରମ ଓ ଦକ୍ଷିଣରେ ଭୃଗୁମୁନିଙ୍କ ଆଶ୍ରମ ରହିଅଛି । କ୍ଷେତ୍ରର ସପ୍ତମ ତଥା ବାହ୍ୟ ସ୍ତରରେ ପ୍ରମୁଖ ତୀର୍ଥ କ୍ଷେତ୍ର ଯଥା ଦକ୍ଷିଣରେ ଶ୍ୱେତଗଙ୍ଗା ଓ ମହୋଦଧି, ବାୟୁ କୋଣରେ ମାର୍କଣ୍ଡେୟ ପୁଷ୍କରିଣୀ, ଉତ୍ତରରେ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ତଥା ଯଜ୍ଞନୃସିଂହ ଓ ନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିର ରହିଅଛି ।
ସେହିପରି ପୂର୍ବରେ ଚକ୍ରତୀର୍ଥ, ଚକ୍ରନୃସିଂହ ଓ ବେଡ଼ିହନୁମାନ ଏହା ବ୍ୟତୀତ ଏହି କ୍ଷେତ୍ରରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଅନେକଗୋଟି ହନୁମାନଙ୍କ ମନ୍ଦିର ମଧ୍ୟ ରହିଅଛି । ଶ୍ରୀମନ୍ଦିର ଭିତରେ ପୂର୍ବରେ ଫତେ ମହାବୀର, ଦକ୍ଷିଣରେ ବାରଭାଇ ହନୁମାନ, ପଶ୍ଚିମ ଦ୍ୱାରରେ କାନପତା ହନୁମାନ, ଉତ୍ତର ଦ୍ୱାର ନିକଟରେ ତପସ୍ୱୀ ହନୁମାନ ରହିଛନ୍ତି । ଶ୍ରୀମନ୍ଦିର ବାହାରେ ରହିଥିବା ହନୁମାନ ମନ୍ଦିର ମଧ୍ୟରେ ତ୍ରେତୟା ଯୁଗରେ ଶ୍ରୀରାମଙ୍କ ସେବା କରିଥିବା ସପ୍ତ ମହାବୀର ଯଥା ନଳ, ନୀଳ, ସୁଷେଣ, ସୁଗ୍ରୀବ, ତାରାକ୍ଷ, ଅଙ୍ଗଦ ଓ ହନୁମାନ ପ୍ରଭୃତି ଅନ୍ତର୍ଭୁକ୍ତ ।
ଶଙ୍ଖକ୍ଷେତ୍ର ନାମକରଣ ପଛରେ ରହିଥିବା ପୁରାଣ ବର୍ଣ୍ଣିତ ତଥ୍ୟର ବର୍ଣ୍ଣନା ଏହିପରି । ଶ୍ରୀ ବିଷ୍ଣୁଙ୍କ ମୀନ ଅବତାର ବେଳେ ମଧୁକାସୁର ବ୍ରହ୍ମାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିବାରୁ ପ୍ରଭୁ ତା’ର ବଧ କରିଥିଲେ । ମଧୁକାସୁରର ସ୍ୱେଦରୁ ଶଙ୍ଖାସୁର ଜନ୍ମ ନେଇଥିଲା । ଶଙ୍ଖାସୁର ମଧୁବଧର ପ୍ରତିଶୋଧ ନେବା ପାଇଁ ଚେଷ୍ଟା କରି ବିଫଳ ହେଲା ପରେ ମହାଦେବଙ୍କ ଶରଣ ପଶିଥିଲା । ବହୁକାଳ ସ୍ତୁତି କରିବା ପରେ ମହାଦେବ ସନ୍ତୁଷ୍ଟ ହୋଇ ତାକୁ ତନ୍ତ୍ରବିଦ୍ୟା ଶିକ୍ଷା ଦେଇଥିଲେ । ସେହି ସମୟରେ ଋଷି ଯାଜ୍ଞବଳ୍କ୍ୟ ବ୍ରହ୍ମାଙ୍କଠାରୁ ଯର୍ଜୁବେଦ ଶିକ୍ଷା କରୁଥିଲେ । ଶଙ୍ଖାସୁର ବେଦମନ୍ତ୍ର ଶିକ୍ଷା କରିବା ପାଇଁ ମହାଦେବଙ୍କୁ ପ୍ରାର୍ଥନା କରିଥିଲେ । ସେ ତାକୁ ବ୍ରହ୍ମାଙ୍କ ପାଖକୁ ଯିବାକୁ କହିଲେ । ମାତ୍ର ସେତେବେଳକୁ ବ୍ରହ୍ମା ତାଙ୍କର ଭକ୍ତମାନଙ୍କୁ ବେଦମନ୍ତ୍ର ପ୍ରଦାନ କରିସାରିଥିଲେ ବୋଲି କହିବାକୁ ଶଙ୍ଖାସୁର କ୍ରୋଧରେ ସେହି ଭକ୍ତମାନଙ୍କଠାରୁ ବଳପୂର୍ବକ ଚାରିବେଦ ଛଡ଼ାଇ ନେଇ ସମୁଦ୍ର ଭିତରେ ଆତ୍ମଗୋପନ କରିଥିଲା । ଶ୍ରୀ ବିଷ୍ଣୁ ମୀନ ଅବତାର ଧାରଣ କରି ତାକୁ ସମୁଦ୍ର ଭିତରେ ଖୋଜିଥିଲେ । ଶଙ୍ଖାସୁର ପୁଣିଯାଇ ପ୍ରଥମେ କଳ୍ପବଟ ଭିତରେ ଲୁଚିଲା ଏବଂ ପରେ ଏକ ଶଙ୍ଖ ମଧ୍ୟରେ ଆତ୍ମଗୋପନ କଲା । ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ସେ ଶଙ୍ଖର ଶକ୍ତ ଆବରଣଙ୍କୁ ଭେଦ କରି ପାରିଲା ନାହିଁ । ଶେଷରେ ବିଷ୍ଣୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ତା’ର ନିଧନ କରିଥିଲେ । ଶଙ୍ଖ ଖଣ୍ଡବିଖଣ୍ଡିତ ହୋଇ ଯେଉଁ କ୍ଷେତ୍ରରେ ପଡ଼ିଥିଲା ମହାଦେବଙ୍କ ପ୍ରସ୍ତାବରେ ସେହି କ୍ଷେତ୍ରର ନାମ ଶଙ୍ଖକ୍ଷେତ୍ର ବୋଲି ରଖାଗଲା ।
ବିଂଶ ଶତାବ୍ଦୀର ଅଶୀ ଦଶକର ଶେଷ ଭାଗରେ ପ୍ରସିଦ୍ଧ ଶ୍ରୀମନ୍ଦିର ଗବେଷକ ପଣ୍ଡିତ ସ୍ୱର୍ଗତ ସଦାଶିବ ରଥଶର୍ମା ପ୍ରଥମେ ଶଙ୍ଖକ୍ଷେତ୍ରର ଏକ ପରିକଳ୍ପିତ ନକ୍ସା ପ୍ରସ୍ତୁତ କରି ପ୍ରକାଶ କରିଥିଲେ । ଅନ୍ୟ ପଣ୍ଡିତମାନଙ୍କ ଦ୍ୱାରା ବହୁ ବିତର୍କିତ ହେବା ପରେ ସାଧାରଣ ଭକ୍ତ ସମାଜରେ ତାହା ଗୃହୀତ ହୋଇଥିଲା ।
ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଶ୍ରୀକ୍ଷେତ୍ରରେ ବହୁକାଳରୁ ଅନେକ ତୀର୍ଥର ସମାହାର ଘଟିଥିଲେ ହେଁ ମୁଖ୍ୟତଃ ପାଞ୍ଚାଟି ତୀର୍ଥର ପ୍ରାଧାନ୍ୟ ଓ ମାହାତ୍ମ୍ୟ ବିଭିନ୍ନ ପୁରାଣ ଶାସ୍ତ୍ରମାନଙ୍କରେ ଉଲ୍ଲେଖ ରହିଥିବା ଦେଖାଯାଏ । ବିଭିନ୍ନ ଶାସ୍ତ୍ରରେ ପଞ୍ଚତୀର୍ଥର ନାମ ବିଭିନ୍ନ ପ୍ରକାର ଦିଆଯାଇଛି । ଯଥା- ‘ ସ୍କନ୍ଦ ପୁରାଣ’ରେ ପଞ୍ଚତୀର୍ଥର ବର୍ଣ୍ଣନା ଯଥା- ମାର୍କଣ୍ଡେୟ ପୁଷ୍କରିଣୀରେ ସ୍ନାନ , ଅକ୍ଷୟ ବଟଙ୍କୁ ଦର୍ଶନ , ଶ୍ରୀମନ୍ଦିର ଭିତରେ ଗରୁଡ଼ ଓ ତିନି ଠାକୁରଙ୍କୁ ଦର୍ଶନ , ମହୋଦଧି ଅର୍ଥାତ୍ ସମୁଦ୍ରରେ ସ୍ନାନ ଏବଂ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀରେ ସ୍ନାନ । ଏହିପରି ବିଭିନ୍ନ ଶାସ୍ତ୍ରକାରଙ୍କ ରଚନାରେ ଶ୍ରୀକ୍ଷେତ୍ରର ପଞ୍ଚତୀର୍ଥ ବିଷୟରେ ଉଲ୍ଲେଖ ରହି ଥିଲେ ହେଁ ତିନୋଟି ତୀର୍ଥ ହିଁ ନିର୍ବିବାଦରେ ଗୃହୀତ ହୋଇଛି ଯଥା- ମାର୍କଣ୍ଡେୟ ପୁଷ୍କରିଣୀ , ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ଓ ମହୋଦଧି ଅର୍ଥାତ୍ ସମୁଦ୍ର । ଉକ୍ତ ତିନୋଟି ତୀର୍ଥକୁ ଛାଡିଦେଲେ ଅନ୍ୟ ଦୁଇଟି ତୀର୍ଥ ସଂପର୍କରେ ବହୁମତ ପାର୍ଥକ୍ୟ ରହିଛି । କେହି କେହି ଅକ୍ଷୟ ବଟ ମୂଳସ୍ଥ ବତଃଶ୍ଵର ଦେବଙ୍କୁ ଏବଂ ମନ୍ଦିର ଭିତରେ ଗରୁଡ଼ ଓ ତିନି ଠାକୁରଙ୍କୁ ଓ କେହି କେହି ଶ୍ୱେତଗଙ୍ଗା ତଥା ରୋହିଣୀ କୁଣ୍ଡକୁ , କେହି କେହି ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କୁ ପଞ୍ଚତୀର୍ଥର ଅନ୍ତର୍ଭୁକ୍ତ କରିଛନ୍ତି ।
ତେବେ ଯାହାବି ହେଉ ଶ୍ରୀକ୍ଷେତ୍ର ପରିକ୍ରମା ଆମ ଧର୍ମୀୟ ଭାବନାର ଏକ ଅଙ୍ଗ କହିଲେ କିଛି ଅତ୍ୟୁକ୍ତି ହେବନାହିଁ। ଯାହା ଜଣାଯାଏ ପଞ୍ଚଦଶ ଶତାବ୍ଦୀର ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଶ୍ରୀକ୍ଷେତ୍ର ଆଗମନ ପରେ ଏହାବହୁଳ ପ୍ରସାର ଘଟିଥିଲା। ଶ୍ରୀଚୈତନ୍ୟ ମହାପ୍ରଭୁ ସନାତନ ଗୋସ୍ଵାମୀ ଙ୍କ ସହିତ ଶ୍ରୀକ୍ଷେତ୍ର ପଞ୍ଚକୋଷ ପରିକ୍ରମା କରି ଏହି କ୍ଷେତ୍ରର ମହାତ୍ମୟ କୁ। ଲୋକ ଲୋଚନକୁ ଆଣିଥିଲେ। ଯାହା ଅଦ୍ୟାବଧି ସେହି ତିଥିରେ ପାରମ୍ପରିକ ରୀତିରେ ପ୍ରଥମେ ପୁରୀର ଗୌର ଗମ୍ଭୀରା ରାଧାକାନ୍ତ ମଠ, ଠାକୁର ହରିଦାସ ସମାଧି ମଠ, ଝାଞ୍ଜପିଟା ମଠ ମୁଖ୍ୟତଃ ଏହି ପରମ୍ପରା ଯାରି ରଖିଛନ୍ତି। ପରବର୍ତ୍ତୀ ସମୟରେ ବିଭିନ୍ନ ସମ୍ପ୍ରଦାୟର ମଠ ଆଶ୍ରମ ଓ ଭକ୍ତ ସମାଜ ଏହି ପରିକ୍ରମାରେ ଭାଗ ନେଇ ଏହାର ବହୁଳ ପ୍ରଚାର ପ୍ରସାର କରାଇ ପାରିଛନ୍ତି।
( ସଂଗୃହିତ )