ଅବିଳମ୍ବେ ହେବ ଡ୍ରୋନ୍ ସର୍ଭେ, ଆରମ୍ଭ ହେଲା କ୍ଷେତ୍ରକର୍ମୀଙ୍କ ପ୍ରଶିକ୍ଷଣ | News Room Odisha

ଅବିଳମ୍ବେ ହେବ ଡ୍ରୋନ୍ ସର୍ଭେ, ଆରମ୍ଭ ହେଲା କ୍ଷେତ୍ରକର୍ମୀଙ୍କ ପ୍ରଶିକ୍ଷଣ

ଭୁବନେଶ୍ଵର: ଓଡ଼ିଶା ସରକାରଙ୍କର ଫ୍ଲାଗ୍‌ସିପ୍ କାର୍ଯ୍ୟକ୍ରମ ଜାଗା ମିଶନ୍ ଅଧୀନରେ ହିତାଧିକାରୀମାନଙ୍କୁ ରାଜ୍ୟର ବିଭିନ୍ନ ମହାନଗର ନିଗମ ତଥା ସହରାଂଚଳରେ ଭୂମି ଅଧିକାର ପ୍ରମାଣପତ୍ର ଯୋଗାଇ ଦେବାର ପ୍ରକ୍ରିୟା ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇଛି । ଭୁବନେଶ୍ବର ମହାନଗର ନିଗମ ( ବି ଏମ୍ ସି ) ପକ୍ଷରୁ ଏଥିପାଇଁ ତତ୍ପରତା ପ୍ରକାଶ ପାଇଛି । ମେୟର ସୁଲୋଚନା ଦାସଙ୍କ ନିର୍ଦ୍ଦେଶ କ୍ରମେ ଯଥାଶୀଘ୍ର ଭୁବନେଶ୍ଵରରେ ଜାଗା ମିଶନର କାର୍ଯ୍ୟକ୍ରମକୁ ଆଗେଇ ନେବାପାଇଁ ଆଜି ପୂର୍ବାହ୍ନରେ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ଡ୍ରୋନ୍ ସର୍ଭେ ଜନିତ କ୍ଷେତ୍ରକର୍ମୀଙ୍କ ପ୍ରଶିକ୍ଷଣ । ମହାନଗର ନିଗମର ସମସ୍ତ ୱାର୍ଡ଼ ଅଫିସର , କମ୍ୟୁନିଟି ଅର୍‌ଗାନାଇଜର , ଜୋନାଲ୍ କମ୍ୟୁନିଟି ଅର୍‌ଗାନାଇଜର , ଅମିନ , ଜାଗା କୋଡ଼ିନେଟର୍ ଇତ୍ୟାଦି ମାନଙ୍କ ନିମନ୍ତେ ଏହି ପ୍ରଶିକ୍ଷଣ କରାଯାଇଥିଲା । ସହରାଂଚଳ ବସ୍ତିରେ “ ଉଷା ” ସର୍ଭେ କରିବା ପୂର୍ବରୁ ପ୍ରତ୍ୟେକ ସ୍ମମରେ ଡ୍ରୋନ୍ ସର୍ଭେ କରିବାର ବ୍ୟବସ୍ଥା ଜାଗା ମିଶନ୍ ଧାର୍ଯ୍ୟ କରିଛନ୍ତି । ଏହାକୁ ଭିତ୍ତି କରି ଓଡ଼ିଶା ସରକାରଙ୍କ ତରଫରୁ ଟାଟା ଷ୍ଟିଲ୍‌ ଫାଉଣ୍ଡେସନ୍ ସହିତ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି । ତେଣୁ ପ୍ରତ୍ୟେକ ସ୍ଲମରେ ଡ୍ରୋନ୍ ସର୍ଭେ ହୋଇ ବ୍ୟକ୍ତିଗତ ଘର ଗୁଡ଼ିକର ନକ୍ସା ଚିତ୍ର ଉତ୍ତୋଳନ କରାଯିବ । ନିୟମ ଅନୁଯାୟୀ ଏହାକୁ ଭିତ୍ତି କରି ହିତାଧିକାରୀ ମାନଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ନିମନ୍ତେ ଉଷା ସର୍ଭେ କରାଯିବ । ଏହି ସର୍ଭେର ନିୟମ ଅନୁସାରେ ନିର୍ଦ୍ଧିଷ୍ଟ ବସ୍ତିର ସ୍ଲମରେ ଡୁଏଲର୍ସ ଆସୋସିଏସନ୍ ( ଏସ୍ ଡ଼ି.ଏ ) ର ସମସ୍ତ ସଦସ୍ୟ / ସଦସ୍ୟାଙ୍କ ଉପସ୍ଥିତିରେ ସମ୍ପୃକ୍ତ ୱାର୍ଡ଼ ଅଫିସର , କମ୍ୟୁନିଟି ଅର୍‌ଗାନାଇଜର୍‌ , ଗୋଷ୍ଠୀ ସଂସ୍ଖଳନ ପ୍ରକ୍ରିୟାକୁ ଆଗେଇନେବେ । ଆବଶ୍ୟକ ମତେ ସ୍ଥାନୀୟ କର୍ପୋରେଟରମାନେ ଏଥିପାଇଁ ସହଯୋଗ କରିବେ ଯଦ୍ବାରା କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବ । ଏହା ସହିତ କାର୍ଯ୍ୟ ଆଗେଇବା ପରେ ଅମିନ ଏବଂ ଜାଗା କୋଡ଼ିନେଟରମାନେ ଜୋନ୍ ସ୍ତରୀୟ ସର୍ଭେରେ ସହଯୋଗ କରିବେ । ବି ଏମ୍ ସି ର ତିନୋଟିଯାକ ଜୋନ୍‌ରେ ୪୩୬ ଗୋଟି ସ୍ମମ୍ ଜାଗା ମିଶନ୍ ର ଅନ୍ତର୍ଭୁକ୍ତ ହୋଇଥିବା ବେଳେ ପ୍ରତ୍ୟେକ ସ୍ତମ୍ବରେ ଗୋଟିଏ ଲେଖାଏଁ ଏସ୍ ଡି ଏ ରହିଛି । ଦକ୍ଷିଣ – ପୂର୍ବ ଜୋନ୍‌ରେ ୧୩୯ ଗୋଟି ଏସ୍‌ଡ଼ିଏ , ଦକ୍ଷିଣ – ପଶ୍ଚିମ ଜୋନ୍‌ରେ ୧୪୨ ଗୋଟି ଏସ୍ ଡି ଏ ଏବଂ ନର୍ଥ ଜୋନ୍‌ରେ ୧୫୫ ଗୋଟି ଏସ୍ ଡି ଏ ରହିଛି । ଏହି ସମସ୍ତ ଏସ୍ ଡି ଏରେ ୧ ଲକ୍ଷରୁ ଉର୍ଦ୍ଧ୍ଵ ପରିବାରଙ୍କୁ ଜାଗା ମିଶନ୍ ଅଧୀନରେ ଭୂମି ଅଧିକାର ପ୍ରମାଣପତ୍ର ଦେବାର ଲକ୍ଷ୍ୟ ରଖାଯାଇଛି । ସର୍ଭେ ପରେ ଭୂମି ଅଧିକାର ପ୍ରମାଣପତ୍ର ପାଇ ସମ୍ପୃକ୍ତ ହିତାଧିକାରୀ ଆଓ୍ବାସ ଯୋଜନାରେ ଘର କରିବାର ଯୋଗ୍ୟତା ମଧ୍ୟ ହାସଲ କରିପାରିବେ । ପ୍ରତ୍ୟେକ ହିତାଧିକାରୀ ପରିବାରଙ୍କୁ ମୌଳିକ ଭାବେ ୩୦ ବର୍ଗମିଟର ରୁ ୪୫ ବର୍ଗମିଟର ପରିସୀମାର ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ରହିଛି ।

ସୂଚନାଯୋଗ୍ୟ କି ୪୫ ବର୍ଗମିଟରରୁ ଅଧିକ ପରିସୀମାର ଭୂମି ଅଧିକାର ପ୍ରମାଣପତ୍ର କାହାରିକୁ ଦିଆଯିବ ନାହିଁ ଏବଂ ପ୍ରତ୍ୟେକ ପ୍ରକାରର ବ୍ୟବସ୍ଥା ଜାଗା ମିଶନ ନିର୍ଦ୍ଧାରିତ ନିୟମ ଅନୁସାରେ କରାଯିବ । ଭୁବନେଶ୍ବରରେ ପ୍ରଥମକରି ଏହି ପ୍ରଶିକ୍ଷଣ ଅରମ୍ଭ ହୋଇଛି , ଆସନ୍ତା କାଲିଠାରୁ ଅନ୍ୟ ସହର ମାନଙ୍କରେ ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟକ୍ରମ କରାଯିବ । ପ୍ରଶିକ୍ଷଣରେ ବିଏମ୍.ସି ର ଅତିରିକ୍ତ କମିଶନର ତଥା ଜାଗା ମିଶନର୍ ନୋଡାଲ୍ ଅଫିସର ଲକ୍ଷ୍ମୀକାନ୍ତ ସେଠୀ ସଂଯୋଜନା ଅଧିକାରୀ ଭାବେ ରହିଥିବା ବେଳେ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ର ରାଜ୍ୟ ମୁଖ୍ୟ ଅର୍ଚ୍ଚିକା ନନ୍ଦ , ଅତିରିକ୍ତ ସଚିବ ଜାଗା ମିଶନ୍ ସୌରେନ୍ଦ୍ର ରାଉତ , ଉପ ନିର୍ଦ୍ଦେଶକ ଜାଗା ମିଶନ୍ ସଂଜୟ କୁମାର ରାଉତ , ବି ଏମ୍ ସି ର ଉପ ଆୟୁକ୍ତ ହାଉସିଂ ରମେଶ ଚନ୍ଦ୍ର ଜେନା , ଜୋନାଲ୍ ଡ଼େପୁଟି କମିଶନର , ଦକ୍ଷିଣ – ପୂର୍ବ ଜୋନ୍ ପ୍ରିୟବ୍ରତ ପାଢୀ , ଜୋନାଲ୍ ଡ଼େପୁଟି କମିଶନର , ଦକ୍ଷିଣ – ପଶ୍ଚିମ ଜୋନ୍ ରବି ନାରାୟଣ ଜେଠୀ ଏବଂ ଜୋନାଲ୍ ଡ଼େପୁଟି କମିଶନର , ନର୍ଥ ଜୋନ୍ ପୁରନ୍ଦର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।