ଜାତୀୟ କ୍ରୀଡା ପୁରସ୍କାର ଘୋଷିତ, ଓଡ଼ିଆ ‌‌ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ | News Room Odisha

ଜାତୀୟ କ୍ରୀଡା ପୁରସ୍କାର ଘୋଷିତ, ଓଡ଼ିଆ ‌‌ହକି ତାରକା ଦୀପଗ୍ରେସ ଏକ୍କାଙ୍କୁ ମିଳିବ ଅର୍ଜୁନ

ନୂଆଦିଲ୍ଲୀ – ଜାତୀୟ କ୍ରୀଡା ପୁରସ୍କାର ୨୦୨୨ ଘୋଷଣା କରାଯାଇଛି । ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପୁରସ୍କାର ପାଇବାକୁ ଥିବା ଖେଳାଳି ଓ କୋଚଙ୍କ ନାଁ ଘୋଷଣା କରିଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟିର ସୁପାରିଶ ଭିତ୍ତିରେ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ଭେଟେରାନ ଟେବୁଲ ଟେନିସ ଖେଳାଳି ଶରତ କମଲ ଅଚନ୍ତାଙ୍କୁ ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇବେ ।

ଓଡ଼ିଶାର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ଅର୍ଜୁନ ପୁରସ୍କାର ମିଳିବ। ଆସନ୍ତା ୩୦ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜାତୀୟ କ୍ରୀଡା ପୁରସ୍କାର ବିଜେତା ଙ୍କୁ ସମ୍ମାନିତ କରାଯିବ।

ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ଜାତୀୟ ମହିଳା ହକି ଦଳର ଅଭିଜ୍ଞ ଡିଫେଣ୍ଡର ଦୀପଗ୍ରେସ ଏକ୍କାଙ୍କ ନାମ ଅର୍ଜୁନ ପୁରସ୍କାର ପାଇଁ ସୁପାରିଶ କରିଥିଲେ । ସୁନ୍ଦରଗଡ଼ ଜିଲ୍ଲାରେ ଜନ୍ମିତ ଦୀପଗ୍ରେସ ଏକ୍କା ୨୦୧୧ ମସିହାରୁ ହକି ଖେଳି ଆସୁଛନ୍ତି । ଭାରତର ଜୁନିଅର ଟିମରେ ସେ ପ୍ରଥମେ ସ୍ଥାନ ପାଇଥିଲେ । ଏ ଯାଏଁ ଦୀପଗ୍ରେସ ୨୪୦ଟି ହକି ମ୍ୟାଚ ଖେଳିଛନ୍ତି। ଏ ବର୍ଷ ବର୍ମିଂହାମ ରାଜ୍ୟ ଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ୨୦୧୪ ଓ ୨୦୧୮ ଏସୀୟ କ୍ରୀଡ଼ା ହକିରେ ପଦକ ଜିତିଥିବା ଭାରତୀୟ ଦଳରେ ବି ସେ ପ୍ରତିନିଧିତ୍ଵ କରିଥିଲେ । ୨୦୧୬ରେ ମହିଳା ଏସିଆନ ଚାମ୍ପିଅନସ ଟ୍ରଫି ଓ ୨୦୧୭ରେ ଏସିଆ କପ୍ ହକିରେ ଚାମ୍ପିଅନ ହୋଇଥିବା ଭାରତୀୟ ଦଳର ସଦସ୍ୟ ଥିଲେ ଦୀପଗ୍ରେସ । ଜାତୀୟ ସ୍ତରରେ ବର୍ତ୍ତମାନ ସେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ବ କରୁଛନ୍ତି।