ଇଞ୍ଜିନିୟର ବାବୁଙ୍କ ବିଳାସମୟ ଜୀବନ, କୋଟି କୋଟି ଟଙ୍କାର ସଂପତ୍ତି ଠାବ | News Room Odisha

ଇଞ୍ଜିନିୟର ବାବୁଙ୍କ ବିଳାସମୟ ଜୀବନ, କୋଟି କୋଟି ଟଙ୍କାର ସଂପତ୍ତି ଠାବ

ଭୁବନେଶ୍ୱର – ଆ‌ୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ବସିଥିବା ଆରଡବ୍ଲୁଏସ ଏସର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ବିଳାସମୟ ଜୀବନ ନେଇ ଚମକପ୍ରଦ ତଥ୍ୟ ମିଳିଛି । ବାବୁଜଣକ ରୁପା ଗ୍ଲାସରେ ପାଣି ପିଉଥିଲେ । କେବଳ ସେତିକି ନୁହେଁ,ବାର ଦେଖି ନାମୀଦାମୀ ଘଣ୍ଟା ପିନ୍ଧୁଥିଲେ ! ମୟୂରଭଂଜ ଉଦଳାରେ କାର୍ଯ୍ୟରତ ଇଂଜିନିୟର ରବି ନାରାୟଣ ପଣ୍ଡାଙ୍କ ଠାରୁ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଗୋଟିଏ ୩ ମହଲା କୋଠା, ଗୋଟିଏ ଫ୍ଲାଟ୍ ଓ ୧୨ଟି ଜମି। ସେ ଗଳାବାଟରେ ଉପାର୍ଜନ କରିଥିବା କଳା ଟଙ୍କା ହିସାବ ଆହୁରି ଚାଲିଛି । ତାଙ୍କ ନାମ ଓ ତାଙ୍କ ପରିବାର ନାମରେ ଭୁବନେଶ୍ୱର ପ୍ରମୁଖ ଅଞ୍ଚଳରେ ଥିବା ୫ଟି ପ୍ଲଟ ସମେତ କଟକରେ ୨ଟି ଓ କେନ୍ଦ୍ରାପଡ଼ାରେ ୫ଟି ପ୍ଲଟ ଠାବ କରାଯାଇଛି। ଭୁବନେଶ୍ୱର ଆଇଗିଣିଆରେ ଠାବ ହୋଇଛି ତିନିମହଲା ଆଡମ୍ବରପୂର୍ଣ୍ଣ କୋଠା। ଏହାର ଇଣ୍ଟେରିୟର ରୁମ୍‌ରେ ପାଣି ଭଳି ଟଙ୍କା ଖର୍ଚ୍ଚ ହୋଇଛି। ପ୍ରାୟ ଦେଢ କୋଟି ବ୍ୟାଙ୍କ ଲୋନ୍‌ କରି ରବି ନାରାୟଣ ଏହି ଘର ତିଆରି କରିଥିବା କହୁଥିବା ବେଳେ ତାଙ୍କ କ୍ଲାସ ଓ୍ୱାନ କଣ୍ଟ୍ରାକଟର ପୁଅ ଏହି ବିଲ୍ଡିଂ ତିଆରି କରିଛନ୍ତି। ଏହାବାଦ ଖଣ୍ଡଗିରି ସପିଂ ପ୍ଲାଜାରେ ଦୁଇଟି ସପ୍, ପାତ୍ରପଡା ଟାଓ୍ୱାର ବ୍ଲୁ ହ୍ୱିଲରେ ଟୁ ବିଏଚ୍‌କେ ଫ୍ଳାଟ ଠାବ ହୋଇଛି।

ଏହାଛଡା ୧ କୋଟି ୨୦ ଲକ୍ଷ ଟଙ୍କାର ବୀମା ଓ ବ୍ୟାଙ୍କ ଡିପୋଜିଟ୍, ନଗଦ ୨୬ ଲକ୍ଷ ୯ ହଜାର ଟଙ୍କା, କେଜିଏ ଓଜନର ସୁନା ଅଳଙ୍କାର, ୪୫ ଲକ୍ଷ ମୂଲ୍ୟର ଚାରିଟି ଚାରି ଚକିଆ କାର୍, ୨.୬୭ ଲକ୍ଷ ଟଙ୍କା ମୂଲ୍ୟର ୩ଟି ବାଇକ ଠାବ ହୋଇଛି।

ଭୁବନେଶ୍ୱର ଆଇଆରସି ଭିଲେଜ୍ ରେ ରହୁଥିବା ତାଙ୍କ ସମୁଦି ଗୋପୀନାଥ ସ୍ୱାଇଁଙ୍କ ଘରେ ଚଢାଉ ବେଳେ ମିଳିଛି ନଗଦ ୨୫ ଲକ୍ଷ ଟଙ୍କା।

ସୋମବାର ଭୋରରୁ ଯନ୍ତ୍ରୀଙ୍କ ଉଦଳାସ୍ଥିତ ସରକାରୀ ଅଫିସ୍ ଓ କ୍ୱାର୍ଟର, କେନ୍ଦ୍ରାପଡାସ୍ଥିତ ପୈତୃକ ଘର, ଦାନପୁର ଓ ଶ୍ୱଶୁର ଘର କଂସାରରେ ଭିଜିଲାନ୍ସର ୮ଟି ଟିମ ଏକକାଳୀନ ଚଢ଼ାଉ କରିଥିଲା ।