କଟକ – ବଢିଲା ବାଲିଯାତ୍ରା ଅବଧି । ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । ଆସନ୍ତାକାଲି ଶେଷ ହୋଇଥାନ୍ତା କଟକ ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟେ ଦିନ ବୃଦ୍ଧି କରାଯାଇଛି । ଏବେ ୧୭ ତାରିଖରେ ଶେଷ ହେବ ବାଲିଯାତ୍ରା । ଏ ନେଇ ବ୍ୟବସାୟୀମାନଙ୍କୁ କୌଣସି ଦେୟ ଦେବାକୁ ପଡିବନି । ଏନେଇ ସୂଚନା ଦେଇଛନ୍ତି କଟକ ମେୟର ସୁବାସ ସିଂ ଓ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ।
ଦୀର୍ଘ ଦୁଇ ବର୍ଷ ବ୍ୟବଧାନରେ ବାଲିଯାତ୍ରା ହେଉଥିବାରୁ ପଡ଼ିଆରେ ପ୍ରବଳ ଜନସମାଗମ ହେଉଛି । ବ୍ୟବସାୟୀମାନେ ବି ଭଲ ବ୍ୟବସାୟ କରୁଛନ୍ତି । ତେବେ ଚଳିତବର୍ଷ ବାଲିଯାତ୍ରାକୁ ସଫଳ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । କଟକ ଜିଲ୍ଳାପାଳଙ୍କ ନେତୃତ୍ୱରେ ବାଲିଯାତ୍ରା ଆୟୋଜନ କରୁଛି ପ୍ରଶାସନ । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ବାଲିଯାତ୍ରାର ଅବଧି ବଢିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏ ନେଇ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି ।