ଫସଲ ବୀମା ପ୍ରଦାନ ପ୍ରସଙ୍ଗ: କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜବାବ ରଖିଲେ ସସ୍ମିତ | News Room Odisha

ଫସଲ ବୀମା ପ୍ରଦାନ ପ୍ରସଙ୍ଗ: କେନ୍ଦ୍ର କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଜବାବ ରଖିଲେ ସସ୍ମିତ

ନୂଆଦିଲ୍ଲୀ – ଫସଲ ବୀମା ପ୍ରଦାନ ନିର୍ଦ୍ଦେଶ ଦେଇ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଟ୍ୱିଟ୍ ପରେ ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର। କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟରୁ ବରଗଡ଼ ଜିଲ୍ଲା ବିଶେଷ କରି ପଦ୍ମପୁର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ମିଳିନଥିବା ସ୍ପଷ୍ଟ ହୋଇଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପରେ ଏବେ କେନ୍ଦ୍ର ସରକାର ଇନସ୍ୟୁରାନ୍ସ କମ୍ପାନୀକୁ ବୀମା ରାଶି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଉଛନ୍ତି ବୋଲି ରାଜ୍ୟସଭା ସଦସ୍ୟ ସସ୍ମିତ ପାତ୍ର କହିଛନ୍ତି।

ସରକାର ଚାଲବାଜି କରୁଥିଲେ। କାଲି ବରଗଡ ପଦ୍ମପୁରରେ ଚାଷୀମାନେ ଭୋଟ ପୁର୍ବରୁ ଚେତାଇବା ପରେ ଆଜି କେନ୍ଦ୍ର ସରକାରଙ୍କ ଚେତା ପଶିଛି । ଏ ବର୍ଷ ଅଗଷ୍ଟ ୨୯ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖି ଚାଷୀଙ୍କୁ ତୁରନ୍ତ ଫସଲ ବୀମା ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ନଭେମ୍ବର ୯ ତାରିଖରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନୂଆଦିଲ୍ଲୀଠାରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ସାକ୍ଷାତ ମଧ୍ୟ କରିଥିଲେ। ହେଲେ କେନ୍ଦ୍ର ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିନଥିଲା। ସେହିପରି ଫସଲ ବୀମା କେନ୍ଦ୍ର ସରକାର ମଂଜୁର କରନ୍ତି, ବୀମା କମ୍ପାନୀ ଚାଷୀଙ୍କୁ ଏହି ରାଶି ପ୍ରଦାନ କରେ । ଏଥିରେ ରାଜ୍ୟର କୌଣସି ଭୂମିକା ନାହିଁ ବୋଲି ମଧ୍ୟ ସସ୍ମିତ ପାତ୍ର ଟୁଇଟ କରି କହିଛନ୍ତି ।