ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି - ୨୦୨୨’ର ଦ୍ଵିତୀୟ ଦିବସରେ ଆକର୍ଷଣ ସାଜିଲା ‘ ମିଟ୍ ଦି ପର୍ସସାଲିଟି ’ ଓ ‘ ଛାୟା ବିଧାନସଭା ’ | News Room Odisha

ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି – ୨୦୨୨’ର ଦ୍ଵିତୀୟ ଦିବସରେ ଆକର୍ଷଣ ସାଜିଲା ‘ ମିଟ୍ ଦି ପର୍ସସାଲିଟି ’ ଓ ‘ ଛାୟା ବିଧାନସଭା ’

ଭୁବନେଶ୍ୱର: ଶିଶୁ ଦିବସ ଅବସରରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୟୁନିଟ୍ – ୯ ସରକାରୀ ବାଳକ ଜଳ ବିଦ୍ୟାଳୟ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ ସୁରଭି – ୨୦୨୨’ର ଆଜି ଥିଲା ଦ୍ଵିତୀୟ ଦିବସ । ଏହି ଅବସରରେ ବିଭାଗ ପକ୍ଷରୁ ଆୟୋଜିତ ‘ ମିଟ୍ ଦ ପର୍ସନାଲିଟି ’ ଓ ‘ ଛାୟା ବିଧାନସଭା ’ କାର୍ଯ୍ୟକ୍ରମ ଦ୍ଵିତୀୟ ଦିବସର ମୁଖ୍ୟ ଆକର୍ଷଣ ସାଜିଥିଲା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କୁନି କୁନି ପିଲାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ପ୍ରତିଷ୍ଠିତ ବ୍ୟକ୍ତିବିଶେଷଙ୍କୁ ନିକଟରୁ ଦେଖିବାର ଓ ସେମାନଙ୍କ ସହ ଭାବର ଆଦାନପ୍ରଦାନ କରିବାର ସୁଯୋଗ ଦେଇଥିଲା ଏହି ନିଆରା କାର୍ଯ୍ୟକ୍ରମ । ଟେଲିଭିଜନ୍‌ ବଡ଼ ପରଦାରେ ଦେଖୁନା ସଫଳ ବ୍ୟକ୍ତିମାନଙ୍କର ଜୀବନ କାହାଣୀ ଶୁଣିବା ସହ ମନରେ ଥିବା ବିଭିନ୍ନ ପ୍ରଶ୍ନ ପଚାରିବାର ସୁଯୋଗ ପାଇଥିଲେ ପିଲାମାନେ । ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ନେତା , ଅଭିନେତା , କଦ୍ୟୋଗୀ , ଚିତ୍ରଶିଳ୍ପୀ ଓ ସ୍ଵାସ୍ଥ୍ୟ ବିଶେଷଜ୍ଞ ସମସ୍ତଙ୍କୁ ଏକାଠି କରିଥିଲା ‘ ସୁରଭି – ୨୦୨୨ ’ । ପିଲାମାନଙ୍କୁ ସେମାନଙ୍କର ଭବିଷ୍ୟତ ପାଇଁ ମାର୍ଗଦର୍ଶନ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ଆୟୋଜିତ ‘ ମିଟ୍ ଦ ପର୍ସନାଲିଟି ’ କାର୍ଯ୍ୟକ୍ରମରେ ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାସ ନାୟକ , ପ୍ରଶାସନିକ ଅଧିକାରୀ ଜୀନା ପ୍ରଧାନ , ଏମସ୍‌ , ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର , ‘ ମେଡ୍‌ଟେଲ୍‌’ର ପ୍ରତିଷ୍ଠାତା ତଥା ଯୁବ ଉଦ୍ୟୋଗୀ ଡ . ଲଳିତ ମାଣିକ୍ ଏବଂ ହାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ ପିଲାମାନଙ୍କ ସହ ଭାବର ଆଦାନପ୍ରଦାନ କରିଥିଲେ । କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଜୀବନରେ ସଫଳତା ନିଶ୍ଚିତ ମିଳିଥାଏ । ଦୃଢ଼ ମନୋବଳ ନେଇ ଆଗକୁ ବଢ଼ିଲେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଲକ୍ଷ୍ୟ ହାସଲ କରିହୁଏ । ବର୍ତମାନ ପିଲାମାନଙ୍କ ନିକଟରେ ଅନେକ ସୁବିଧାସୁଯୋଗ ଉପଲବ୍ଧ ଅଛି । ତାହାର ସଦୁପଯୋଗ କରି ନିଜର ସ୍ଵପ୍ନ ମୂରଣ ଓ ଲକ୍ଷ୍ୟ ହାସଲ କରିବାକୁ ଉପସ୍ଥିତ ବକ୍ତାମାନେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।

ସୁରଭି ଦ୍ଵିତୀୟ ଦିବସରେ ଦିନତମାମ ପିଲାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଓ କର୍ମଶାଳା ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଅତିଥି ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଉପେନ୍ଦ୍ର କୁମାର ତ୍ରିପାଠୀ , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିନ ପ୍ରଦୀପ କୁମାର ଜେନା , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ୍ .. ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ , ଓସେପା ଅନୁପମ ସାହାଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ପିଲାମାନଙ୍କ ମଧ୍ୟରେ ନେତୃତ୍ଵ ବିକାଶ ପାଇଁ ‘ ଛାୟା ବିଧାନସଭା’ର ଏକ ପ୍ରକୃଷ୍ଟ ମଞ୍ଚ ହୋଇଥିଲା । ମଧ୍ୟାହ୍ନରେ ‘ ଛାୟା ବିଧାନସଭାର ଆକଳନ କରି ସୁରଭି ପରିସରରେ ସତେ ଯେମିତି ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ବିରୋଧି ଦଳ ନେତାଙ୍କ ମଧ୍ୟରେ କଥାକ କଟାକଟି ହୋଇଥିଲା । ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସଂଗ୍ରାମ ମହାପାତ୍ର , ‘ ମୋ ସ୍କୁଲ ଅଭିଯାନ’ର ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା , ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶଙ୍କ ସହ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବରିଷ୍ଠ ପଦାଧିକାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।