ଖସୁଛି ପାରଦ, ସେମିଳିଗୁଡା ରାଜ୍ୟର ଥଣ୍ଡା ସ୍ଥାନ | News Room Odisha

ଖସୁଛି ପାରଦ, ସେମିଳିଗୁଡା ରାଜ୍ୟର ଥଣ୍ଡା ସ୍ଥାନ

ଭୁବନେଶ୍ବର – ଗତ କିଛି ଦିନ ହେବ ରାଜ୍ୟର କିଛି ସ୍ଥାନରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଶୀତ ବଢ଼ିବାରେ ଲାଗିଛି। ଓଡ଼ିଶାକୁ ଉତ୍ତର ଦିଗରୁ କ୍ରମାଗତ ଭାବେ ପ୍ରବେଶ କରୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ଶୀତ ବଢ଼ିବା ଆରମ୍ଭ ହୋଇଯାଇଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ରାଜ୍ୟର ୯ଟି ସ୍ଥାନର ପାରଦ ୧୪ ଡିଗ୍ରୀ ତଳକୁ ଖସି ଆସିଛି। କୋରାପୁଟ ଜିଲ୍ଲା ସେମିଳିଗୁଡା ସବୁଠାରୁ ଥଣ୍ଡା ସ୍ଥାନ ପାଲଟିଛି | ଏଠାରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଛି |

କନ୍ଧମାଳର ଜିଲ୍ଲାର ଜି. ଉଦୟଗିରିରେ ୮.୦ ଡିଗ୍ରୀ, ଫୁଲବାଣୀରେ ୧୦.୦ ଡିଗ୍ରୀ, କୋରାପୁଟରେ ୧୦.୦ ଡିଗ୍ରୀ, ଦାରିଙ୍ଗବାଡିରେ ୧୦.୫ ଡିଗ୍ରୀ, ଭବାନୀପାଟଣାରେ ୧୨ ଡିଗ୍ରୀ, ବୌଦ୍ଧରେ ୧୨ ଡିଗ୍ରୀ, ଝାରସୁଗୁଡାରେ ୧୩.୨ ଡିଗ୍ରୀ, କେନ୍ଦୁଝରରେ ୧୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି | ତେବେ ଆସନ୍ତା ୩ରୁ ୪ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର କହିଛି ।