୫୦ କିଲୋ ରୁପା, ୨୮୦ ଗ୍ରାମ୍ ସୁନା ଜବତ କଲା ବ୍ରହ୍ମପୁର ପୋଲିସ୍  | News Room Odisha

୫୦ କିଲୋ ରୁପା, ୨୮୦ ଗ୍ରାମ୍ ସୁନା ଜବତ କଲା ବ୍ରହ୍ମପୁର ପୋଲିସ୍ 

ବ୍ରହ୍ମପୁର: କେବଳ ଯେ ବେଆଇନ ନିଶା କାରବାର କିମ୍ବା ନକଲି ଓ ଅପମିଶ୍ରିତ ଖାଦ୍ୟ ଦ୍ରବ୍ୟ ଅଥବା ଗୁଟଖା କାରବାର ନୁହେଁ ବରଂ ସୁନା ରୁପା ଭଳି ବହୁମୂଲ୍ୟ ଦ୍ରବ୍ୟର ବେନିୟମ ବ୍ୟବସାୟ ଉପରେ ମଧ୍ୟ କଡ଼ା ନଜର ରଖିଛି ବ୍ରହ୍ମପୁର ପୋଲିସ୍। ଏଭଳି ବେଆଇନ କାର୍ଯ୍ୟକଳାପ ସମ୍ପର୍କରେ ଗୋଇନ୍ଦା ତଥ୍ୟ ସଂଗ୍ରହ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ସେହି କ୍ରମରେ ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ୍ ପୁଣି ଥରେ ଚଢ଼ଉ କରି ୫୦ କିଲୋ ରୁପା ଓ ୨୮୦ ଗ୍ରାମ୍ ସୁନା ଜବତ କରିଛି। ଏହି ରୁପା ଓ ସୁନା ଚେନ୍ନାଇରୁ ଜଣେ ବ୍ୟବସାୟୀ ବ୍ରହ୍ମପୁର ଆଣିଥିଲେ। ତେବେ କୈାଣସି ସୂତ୍ରରୁ ଏହି ସୂଚନା ପାଇ ବ୍ରହ୍ମପୁର ଏସପି ଡା ସର୍ବଣା ବିବେକ ଏମ୍ ଚଢ଼ଉ ନିର୍ଦ୍ଦେଶ ଦେଇଥିଲେ। ବଡ଼ବଜାର ଛକରେ ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି ସଦଳବଳେ ଯାଞ୍ଚ କରି ସୁନା ଓ ରୁପା ଜବତ କରିଥିଲେ। ବ୍ୟବସାୟୀ ଜଣକ ଜିଏସଟି କିମ୍ବା ଅନ୍ୟ କୌଣସି କାଗଜପତ୍ର ଦାଖଲ କରି ନଥିବା ଜଣାପଡ଼ିବା ପରେ ଜବତ ସୁନା ଓ ରୁପା ନେଇ ପୋଲିସ୍ ଅଧିକ ଖୋଳତାଡ଼ କରୁଛି। ଏଥସହ ଜିଏସ୍‌ଟି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହା ଜିଏସ୍‌ଟି ଫାଙ୍କି ଚୋରା କାରବାର ନାଁ ଏଥିରେ ଆଉ କିଛି ଗୋଲକଧନ୍ଦା ରହିଛି ତାହାର ତନାଘନା ଜାରି ରଖିଛି ପୋଲିସ୍।

ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ଏକାଧିକ ଥର ଏଭଳି ବେଆଇନ କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଲାଞ୍ଜିପଲ୍ଲୀ ବାଇପାସ୍‌ରୁ କିଛି ମାସ ପୂର୍ବରୁ ଅବକାରୀ ଗୋଇନ୍ଦା ବିଭାଗ ଦେଢ଼ କୋଟି ଟଙ୍କାର ସୁନା ଏବଂ ପରବର୍ତ୍ତୀ ତଦନ୍ତ ସମୟରେ ବୈଦ୍ୟନାଥପୁର ଥାନା ପୋଲିସ ଅଳଙ୍କାର ଦୋକାନରୁ ୧୯ଟି ସୁନା ବିସ୍କୁଟ୍ ଜବତ କରିଥିଲା। ସେହିପରି କିଛି ମାସ ତଳେ ଗୋଳନ୍ଥରା ଥାନା ପୋଲିସ ରାଜପଥ ଯୋଗେ ବ୍ରହ୍ମପୁରକୁ ବେନିୟମ ରୂପେ ଚେନ୍ନାଇରୁ ଅଣାଯାଉଥିବା ୩ କୋଟି ଟଙ୍କାର ସୁନା ଅଳଙ୍କାର ଜବତ କରିଥିଲା।