ପଦ୍ମପୁର ଫାଇଟ: ଶେଷ ଦିନ ସୁଦ୍ଧା ୧୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ  | News Room Odisha

ପଦ୍ମପୁର ଫାଇଟ: ଶେଷ ଦିନ ସୁଦ୍ଧା ୧୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ 

ବରଗଡ: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ଦାଖଲର ଶେଷ ଦିନ। ତେବେ, ଗତକାଲି ସୁଦ୍ଧା କୌଣସି ପ୍ରମୁଖ ଦଳର ପ୍ରାର୍ଥୀ ନାମାଙ୍କନ ଦାଖଲ କରିନଥିବା ବେଳେ ଆଜି ଶେଷ ଦିନରେ ମୋଟ ୧୩ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି।

ପଦ୍ମପୁର ଉପନିର୍ବାଚନ ପାଇଁ ଗତ ୧୦ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ସାଙ୍ଗକୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିଲା। ଆଉ ଆଜି ଥିଲା ଶେଷ ଦିନ। ଶେଷ ଦିନ ସୁଦ୍ଧା ମୋଟ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ନେଇ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।

ଆଜି ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀମାନେ ହେଲେ ସ୍ବାଧୀନ ପ୍ରାର୍ଥୀ ଜୟନ୍ତ ଥାପା, ଶେଷଦେବ ସାହୁ, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ, କଂଗ୍ରେସରୁ ସତ୍ଯଭୂଷଣ ସାହୁ, ସ୍ବାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ, ଓଜିପି ପ୍ରାର୍ଥୀ ମୁକ୍ତେଶ୍ଵର ଦାସ, ସ୍ବାଧୀନ ପ୍ରାର୍ଥିନୀ ରେବତୀ ଗିରି, ବିଜେଡିରୁ ବର୍ଷା ସିଂହ ବରିହା, ସ୍ବାଧୀନ ପ୍ରାର୍ଥୀ ଉଦିତ ବନ୍ଦିଆ, ଦେବାର୍ଚ୍ଚନ ନାୟକ, ଅଖିଳ ଭାରତ ହିନ୍ଦୁ ମହାସଭା ପ୍ରାର୍ଥୀ ବିଦ୍ୟାଧର ପାଣ୍ଡବ, ସ୍ବାଧୀନ ପ୍ରାର୍ଥୀ ଗଙ୍ଗାଧର ସାହା ଏବଂ ଦେବବ୍ରତ ସୁନାନୀ।

ଆସନ୍ତାକାଲି ନାମାଙ୍କନ ଯାଞ୍ଚ କରାଯିବ ଏବଂ ୨୧ ତାରିଖରେ ନାମାଙ୍କନ ପ୍ରତ୍ଯାହାର ପାଇଁ ଦିନ ଧାର୍ଯ୍ଯ କରାଯାଇଛି। ଆଉ ଆସନ୍ତା ଡିସେମ୍ବର ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ। ତେବେ, ଆଜି ସମସ୍ତ ପ୍ରାର୍ଥୀ ଗୋଟିଏ ଦିନରେ ନାମାଙ୍କନ ଦାଖଲ କରିଥିବାରୁ ପଦ୍ମପୁର ସହର ଚଳଚଞ୍ଚଳ ହୋଇଉଠିଥିଲା।