ବ୍ରହ୍ମପୁର ମହାନଗର ନିଗମ 'ଆଶ୍ରୟ'କୁ ଆଇଏସ୍‌ଓ ପ୍ରମାଣପତ୍ର | News Room Odisha

ବ୍ରହ୍ମପୁର ମହାନଗର ନିଗମ ‘ଆଶ୍ରୟ’କୁ ଆଇଏସ୍‌ଓ ପ୍ରମାଣପତ୍ର

ବ୍ରହ୍ମପୁର: ଉନ୍ନତ ସେବା ଓ ସୁବିଧା ପ୍ରଦାନ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପରିଚାଳିତ ସହରାଞ୍ଚଳ ବାସହୀନଙ୍କ ସକାଶେ ଉଦ୍ଦିଷ୍ଟ ରାତ୍ରୀକାଳୀନ ଆଶ୍ରୟସ୍ଥଳୀ ‘ଆଶ୍ରୟ’କୁ ମିଳିଛି ଆଇଏସ୍‌ଓ ପ୍ରମାଣପତ୍ର। ବ୍ରହ୍ମପୁର ନୂଆ ବସଷ୍ଟାଣ୍ଡରୁ ଗେଟବଜାର ରାସ୍ତାରେ ଅବସ୍ଥିତ ଏହି ଆଶ୍ରୟସ୍ଥଳୀ। ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ୍ ଫର ଷ୍ଟାଣ୍ଡାର୍ଡାଇଜେସନ୍) ୯୦୦୧: ୨୦୧୫ ସାର୍ଟିଫିକେଟ୍ ପାଇବା ବିଏମସି ପାଇଁ ଆଉ ଏକ ସଫଳତା ପାଲଟିଛି। ଏହି ଆଶ୍ରୟସ୍ଥଳୀ ରାଜ୍ୟ ସରକାରଙ୍କ ୫-ଟି ଉପକ୍ରମ ଅନ୍ତର୍ଗତ ନଗର ଉନ୍ନୟନ ବିଭାଗ ଦ୍ୱାରା ନିର୍ଦ୍ଧାରିତ ସେବା ଯୋଗାଇ ଦେଇ ଆସୁଛି। ମୁଣ୍ଡ ଗୁଞ୍ଜିବାକୁ ଛାତଟିଏ ନଥିବା ବହୁ ଗରିବ, ଅସହାୟ ଲୋକ ବିଶେଷ କରି ବୃଦ୍ଧ ବୃଦ୍ଧା ଶୀତ ଋତୁ ସମେତ ବର୍ଷ ସାରା ଏହି ଆଶ୍ରୟସ୍ଥଳୀରେ ନିରାପଦ ଓ ସୁବିଧାଜନକ ଭାବେ ରାତ୍ରିଯାପନ କରି ଆସୁଛନ୍ତି। ପୂର୍ବରୁ ବିଏମସି ଅନ୍ତର୍ଗତ ବ୍ରହ୍ମପୁର ମହାନଗରର ଏକାଧିକ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଏଭଳି ମାନ୍ୟତା ପାଇପାରିଛି। ସେହିପରି ସ୍ବଚ୍ଛତା ଓ ପରିମଳ ଦିଗରେ ବିଏମସିର ନିଆରା ପ୍ରୟାସକୁ ଜାତୀୟ ସ୍ତରରେ ସ୍ବୀକୃତି ମିଳିଥିବା ଜଣାଯାଇଛି। ଆଗାମୀ ଦିନରେ ବିଏମ୍‌ସିର ଅନ୍ୟାନ୍ୟ ସେବା ପାଇଁ ଆଇଏସ୍‌ଓ ସାର୍ଟିଫିକେଟ୍ ହାସଲ ଦିଗରେ ଏହା ଉତ୍ସାହ ଯୋଗାଇବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର ଜେ.ସୋନାଲ୍। ଏହି ସଫଳତା ନେଇ ଖୁସି ବ୍ୟକ୍ତ କରିଛନ୍ତି ମେୟର୍ ସଂଘମିତ୍ରା ଦଳେଇ ଓ ଡେପୁଟି ମେୟର୍ ଇ.ବିବେକ ରେଡ୍ଡୀ।

ଚଳିତ ବର୍ଷ ଆରମ୍ଭରୁ ବ୍ରହ୍ମପୁର ମହାନଗର ପରିଚାଳନା ଅଧୀନ ରାତ୍ରୀକାଳୀନ ନିବାସସ୍ଥଳ ‘ଆଶ୍ରୟ’ ପାଇଁ ଆଇଏସ୍‌ଓ ପ୍ରମାଣପତ୍ର ସକାଶେ ଆବେଦନ କରାଯାଇଥିଲା। ଏକ ବୈଷୟିକ ଟିମ୍ ‘ଆଶ୍ରୟ’ରେ ଉପଲବ୍ଧ ସେବା ଯଥା ବାୟୁ ଚଳାଚଳ ସୁବିଧା ଥିବା କୋଠରୀ, ବିଶୁଦ୍ଧ ପାନୀୟ ଜଳ ଓ ନିତ୍ୟ ବ୍ୟବହାର୍ଯ୍ୟ ସକାଶେ ଯଥେଷ୍ଟ ପାଣି, ପରିମଳ, ସ୍ନାନାଗାର ଓ ଶୌଚାଳୟ, ଆଲୋକୀକରଣ, ପ୍ରାଥମିକ ଚିକିତ୍ସା ଉପକରଣ, ମଶା ଓ ଅନ୍ୟାନ୍ୟ କୀଟ ନିୟନ୍ତ୍ରଣ ବ୍ୟବସ୍ଥା, କମ୍ବଳ ଓ ବେଡ୍‌ସିଟ୍ ନିୟମିତ ସଫେଇ ଆଦି ସୁବିଧା ଯାଞ୍ଚ କରି ଆଇଏସ୍ଓ ନିକଟରେ ରିପୋର୍ଟ ଦାଖଲ କରିଥିଲା। ତାହାରି ଆଧାରରେ ଆଇଏସ୍‌ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି।