ମୋହନା ଇଲାକାରେ ଗାଡ଼ିରୁ ସୁନା ରୁପା ଜବତ | News Room Odisha

ମୋହନା ଇଲାକାରେ ଗାଡ଼ିରୁ ସୁନା ରୁପା ଜବତ

ପାରଳାଖେମୁଣ୍ଡି: ସୁନା ଓ ରୁପା ଚୋରାଚାଲାଣ ରାକେଟର ଖିଅ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରୁ ଗଜପତି ଜିଲ୍ଲା ମୋହନା ଇଲାକା ପର୍ଯ୍ୟନ୍ତ ଲମ୍ବିଛି। ପୂର୍ବରୁ ବ୍ରହ୍ମପୁର ସହର ସମେତ ଆନ୍ଧ୍ର ସୀମାବର୍ତ୍ତୀ ଗୋଳନ୍ଥରା ଥାନା ଇଲାକାରେ ବେଆଇନ ଚାଲାଣ ବେଳେ ସୁନା ଓ ରୁପା ଜବତ ହୋଇଥିଲା। ଏବେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କମଳାପୁର ତନଖି ଫାଟକରେ ଧରାପଡ଼ିଛି ୧୮୭ ଗ୍ରାମ ସୁନା, ୨କେଜି ୭୦୦ ଗ୍ରାମ ରୁପା।ପୋଲିସର ତନଖି ବେଳେ ଉକ୍ତ ଗାଡିରୁ ଏସବୁ ଅଳଙ୍କାର ସାମଗ୍ରୀ ଜବତ କରିବା ସହ ଚାଳକକୁ ଥାନାରେ ଅଟକ ରଖିଛି ତଦନ୍ତ ଚଳାଇଛି ମୋହନା ଥାନା ପୋଲିସ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏକ ଅଳଙ୍କାର ଦୋକାନରୁ ଏସବୁ ସାମଗ୍ରୀ ସୁନା, ରୁପା କୋରାପୁଟ ଜିଲ୍ଲା ମୁନିଗୁଡାକୁ ଜିଏସଟି ଫାଙ୍କିବା ଉଦ୍ଦେଶ୍ୟରେ ବେଆଇନ ଚାଲାଣ ହେଉଥିବା ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି। ଅଳଙ୍କାର ସବୁ ଜବତ ହେବା ପରେ ପୋଲିସ ଏ ବାବଦରେ ଜିଏସଟି ଅଧିକାରୀଙ୍କୁ ଅବଗତ କରାଇଛି।