ଛତ୍ରପୁର: ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ଜାତୀୟ ରାଜପଥରେ ଶନିବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ଶିଶୁ କନ୍ୟା ଓ ଶ୍ବଶୁର ଗୁରୁତର ହୋଇଛନ୍ତି। ତିନିହେଁ ଏକ ସ୍କୁଟିରେ ରମ୍ଭାରୁ ଗଞ୍ଜାମ ଅଭିମୁଖେ ଆସୁଥିବା ବେଳେ ଦ୍ରୁତ ଗତିରେ ସମାନ ଦିଗରେ ଆସୁଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଉକ୍ତ ମହିଳା ତଥା ରମ୍ଭା ନିକଟ ଟିକରପଡାର ବେବି ସେଠୀଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ବଶୁର ଓ ଛୁଆ ଗୁରୁତର ହୋଇଛନ୍ତି। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଛି। କାର୍ ଚାଳକକୁ ସ୍ଥାନୀୟ ବାସିନ୍ଦା ଅଟକ ରଖି ପୋଲିସ ଜିମା ଦେଇଛନ୍ତି।