ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଦମନ | News Room Odisha

ଆଜି ଲୋକସେବା ଭବନରେ ପ୍ରଦର୍ଶିତ ହେବ ଦମନ

ଭୁବନେଶ୍ୱର – ମାଲକାନଗିରି ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ଦମନକୁ ଆଜି ଲୋକସେବା ଭବନରେ ପ୍ରଦର୍ଶନ କରାଯିବ । ଯୁଗ୍ମ ସଚିବ ପାହ୍ୟାରୁ ଊର୍ଦ୍ଧ୍ବ ଅଧିକାରୀମାନଙ୍କ ଲାଗି ଦମନର ସ୍ୱତନ୍ତ୍ର ପ୍ରଦର୍ଶନ ଆୟୋଜିତ କରାଯାଇଛି । ଏନେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସମସ୍ତ ବିଭାଗକୁ ଅବଗତ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ନିକଟରେ ରିଲିଜ୍‍ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ‘ଦମନ’ ବିଚ୍ଛିନ୍ନାଞ୍ଚଳରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘନ ଅନ୍ଧାର ଭିତରେ ଆଶାର ଏକ ଆଲୋକ ସଞ୍ଚାର କରିଛି। ସିନେମାଟି ବାସ୍ତବଧର୍ମୀ କାହାଣୀ ଉପରେ ଆଧାରିତ। ଏହାର କଥାବସ୍ତୁ, ପ୍ରତିଟି ଚରିତ୍ରର ଅଭିନୟ, ସମ୍ପାଦନା ସବୁଦିଗରୁ ଅତି ସୁନ୍ଦର ହୋଇଛି। ଏହି ଚଳଚ୍ଚିତ୍ର ରାଜ୍ୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜନସେବା କ୍ଷେତ୍ରରେ ଏକ ପ୍ରେରଣା ପ୍ରଦାନ କରୁଛି। ଏହି କ୍ରମରେ ଚଳଚ୍ଚିତ୍ରକୁ ସଚିବାଳୟର କନଭେନସନ କକ୍ଷରେ ଆଜି ସନ୍ଧ୍ୟା ୫ଟାରୁ ପ୍ରଦର୍ଶନ କରାଯିବାକୁ ନିଷ୍ପତ୍ତି ହୋଇଛି। ଦୁଇଦିନ ପୂର୍ବେ ରାଜ୍ୟ ସରକାର ଦମନକୁ କରମୁକ୍ତ କରିସାରିଛନ୍ତି।