ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ | News Room Odisha

ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ

ବାରିପଦା – ପୂର୍ବତନ ମନ୍ତ୍ରୀ ତଥା ଉଦଳାର ପୂର୍ବତନ ବିଧାୟକ ଗୋଲକ ବିହାରୀ ନାଏକଙ୍କ ପରଲୋକ ହୋଇଯାଇଛି। ସେ ଅନେକ ଦିନ ଧରି କିଡନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ବେତନଟୀ ଫାର୍ମ ହାଉସରୁ ବାରିପଦାର ଏକ ଘରୋଇ ନର୍ସିଂ ହୋମକୁ ବ୍ଳଡ ଡାଇଲେସିସ ପାଇଁ ଆସିଥିବା ବେଳେ ପୂର୍ବାହ୍ନ ୧୦ଟା ସମୟରେ ସେ ଆଖି ବୁଜି ଥିଲେ।

ସ୍ବର୍ଗତ ନାଏକ ୨୦୦୦ ମସିହାରେ ଖୁଣ୍ଟା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦ୍ବାଦଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ବିଜେପିରୁ ସେ ରାଜନୈତିକ ଜୀବନ ଆରମ୍ଭ କରିଥିବା ବେଳେ ପରେ ସେ ବିଜେଡିରେ ଯୋଗ ଦେଇଥିଲେ । ୨୦୦୦-୨୦୦୪ ଓ ୨୦୦୪-୨୦୦୯ ବିଜେପିରୁ ଦୁଇ ଥର ନିର୍ବାଚିତ ହୋଇ ବୟନ ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରହିଥିଲେ । ଉଦଳା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟରେ ୨୦୧୪ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଗୋଲକ ବିହାରୀ ନାଏକ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ବି ଥିଲେ । ଅସୁସ୍ଥତା ପାଇଁ ପ୍ରତ୍ୟକ୍ଷ ରାଜନୀତିରୁ ସେ ଓହରି ଯାଇଥିଲେ ।