ଆସନ୍ତାବର୍ଷ ଏପ୍ରିଲ ଶେଷ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି ସମ୍ଭାବନା | News Room Odisha

ଆସନ୍ତାବର୍ଷ ଏପ୍ରିଲ ଶେଷ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ବିମ୍ ମରାମତି ସମ୍ଭାବନା

ପୁରୀ – ଶ୍ରୀମନ୍ଦିର ନାଟମଣ୍ଡପ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇର ୫ ଜଣିଆ ବିଶେଷଜ୍ଞ ଦଳ। ଫାଟ ସୃଷ୍ଟି ହୋଇଥିବା ବିମ୍‌ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ଆସନ୍ତା ବର୍ଷ ଏପ୍ରିଲ୍‌ ଶେଷସୁଦ୍ଧା ବିମ୍‌ ମରାମତି ଶେଷ ହେବ ବୋଲି ଏଏସ୍‌ଆଇ ଅଧୀକ୍ଷକ ଡକ୍ଟର ଅରୁଣ କୁମାର ମଲିକ କହିଛନ୍ତି। ତେବେ ଫାଟିଥିବା ବିମ୍‌ ମରାମତି ପରିବର୍ତ୍ତେ ପରିବର୍ତ୍ତନ ପାଇଁ ମାଡ୍ରାସ ଆଇଆଇଟି ପ୍ରଫେସର ଅରୁଣ ମେନନ ପରାମର୍ଶ ଦେଇଛନ୍ତି। ତେଣୁ ଏ ସମ୍ପର୍କରେ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ ପାଇଁ ଶ୍ରୀମନ୍ଦିର ବୈଷୟିକ କୋର କମିଟିକୁ ଦାୟିତ୍ୱ ଦିଆଯାଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା -ଏଏସ୍‌ଆଇ ଅତିରିକ୍ତ ମହାନିର୍ଦ୍ଦେଶକ ଡକ୍ଟର ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ବିଶେଷଜ୍ଞ ଦଳ ନାଟମଣ୍ଡପ ସମେତ ଗରୁଡ଼ ସ୍ତମ୍ଭ ସ୍ଥିତି ଅନୁଧ୍ୟାନ କରିଛନ୍ତି। ୪ବର୍ଷ ଧରି ନାଟମଣ୍ଡପ ବିମ୍‌ରେ ସୃଷ୍ଟି ହୋଇଥିବା ଫାଟ ଅଧିକ ମେଲିନଥିବା ଜଣାପଡ଼ିଛି। ତେଣୁ ତାହାକୁ ଯଥାଶୀଘ୍ର ମରାମତି କରିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ୨୦୨୩ ରଥଯାତ୍ରା ଏବଂ ସ୍ନାନ ପୂର୍ଣ୍ଣିମା ପୂର୍ବରୁ ନାଟ ମଣ୍ଡପ ବିମ୍‌ ମରାମତି କାର୍ଯ୍ୟ ଶେଷ ହେବ ବୋଲି ମଣ୍ଡଳ ଅଧୀକ୍ଷକ ଡକ୍ଟର ମଲିକ ପ୍ରକାଶ କରିଛନ୍ତି।