ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ | News Room Odisha

ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ

ଭୁବନେଶ୍ୱର -ଓଡ଼ିଶାରେ ପ୍ରତିଷ୍ଠା ହେବ ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ। ଆଜି ମେକ୍ ଇନ୍ ଓଡିଶା କନକ୍ଲେଭର ଚତୁର୍ଥ ଦିନରେ ବ୍ରିଟେନର ଏସଆରଏଏମ ଆଣ୍ଡ ଏମଆରଏଏମ ଗ୍ରୁପ୍ ଭୁବନେଶ୍ୱରରେ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା କରିବ ବୋଲି ପ୍ରତିଶ୍ରୁତି ଦେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ସଂପୃକ୍ତ ଗ୍ରୁପ୍ ଭୁବନେଶ୍ୱରରେ ୩୦,୦୦୦ କୋଟି ଟଙ୍କା ବିନିଯୋଗରେ ଏକ ସେମିକଣ୍ଡକ୍ଟର ଫାବ୍ରିକେସନ ୟୁନିଟ୍ ପ୍ରତିଷ୍ଠା କରିବ ବୋଲି କମ୍ପାନୀ କହିଛି ।

ଗଣମାମଧ୍ୟମକୁ ଏହି ବିଷୟରେ ସୂଚନା ଦେଇ ଏସଆରଏଏମ ଆଣ୍ଡ ଏମଆରଏଏମ ଗ୍ରୁପ୍ କର୍ତ୍ତୃପକ୍ଷ କହିଛନ୍ତି ଯେ କମ୍ପାନୀ ସମସ୍ତ ସରକାରୀ ବିଭାଗରୁ କ୍ଲିୟରାନ୍ସ ପାଇବା ପରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ତିନି ମାସ ମଧ୍ୟରେ କାମ ଆରମ୍ଭ କରିବ। ପ୍ରଥମ ପର୍ଯ୍ୟାୟରେ ୩୦ ହଜାର କୋଟି ଟଙ୍କାର ପୁଂଜି ବିନିଯୋଗରେ ଭୁବନେଶ୍ୱର ନିକଟବର୍ତ୍ତୀ ଅଞ୍ଚଳରେ ୪୦ ଏକର ପରିମିତ ଜାଗାରେ ସେମିକଣ୍ଡକ୍ଟର ଫାବ୍ରିକେସନ ୟୁନିଟ୍‌ ସ୍ଥାପନ କରିବା ପ୍ରସ୍ତାବ ରହିଛି ବୋଲି ଗ୍ରୁପ୍‌ କର୍ତ୍ତୃପକ୍ଷ କହିଛନ୍ତି।

ୱାଶିଂ ମେସିନ୍‌ଠାରୁ ଆରମ୍ଭ କରି ଏରୋପ୍ଲେନ୍‌ରେ ବ୍ୟବହାର କରାଯାଇପାରୁଥିବା ଏହି ସେମିକଣ୍ଡକ୍ଟର ଚିପ୍‌ ପାଇଁ ଭାରତ ପୂର୍ବରୁ ଚୀନ୍‌, ତାଇୱାନ୍‌, କୋରିଆ ଆଦି ରାଷ୍ଟ୍ର ଉପରେ ନିର୍ଭର କରୁଥିଲା । ଓଡ଼ିଶାରେ ଏହି ୟୁନିଟ୍‌ ପ୍ରତିଷ୍ଠା ଫଳରେ ସେମିକଣ୍ଡକ୍ଟର ଚିପ୍‌ ପାଇଁ ଅପେକ୍ଷା କରି ରହିଥିବା ଲକ୍ଷାଧିକ ଯାନ୍ତ୍ରିକ ଉପକରଣର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଏବଂ ସେମିକଣ୍ଡକ୍ଟର ଚିପ୍‌ ଉତ୍ପାଦନକାରୀ ବିଦେଶୀ ରାଷ୍ଟ୍ରଙ୍କ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ ବୋଲି କମ୍ପାନୀ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ତଥା ଓଡ଼ିଶାରେ ଉପଲବ୍ଧ ସୁଦକ୍ଷ ମାନବସମ୍ବଳକୁ ଦୃଷ୍ଟିରେ ରଖି ଇଂଲଣ୍ଡର ଏହି କମ୍ପାନୀ ଓଡ଼ିଶାରେ ତାଙ୍କ ଉତ୍ପାଦନ ୟୁନିଟ୍‌ ପ୍ରତିଷ୍ଠା ପାଇଁ ଆଗ୍ରହ ପ୍ରକାଶ କରିଥିବା ବିଷୟ ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।