ନ୍ୟୁଡ କଲ ବ୍ଲାକମେଲର ଶୀକାର ହୋଇ ଜୀବନ ହାରିଥିଲେ ବ୍ୟାଙ୍କ ମ୍ୟାନେଜର | News Room Odisha

ନ୍ୟୁଡ କଲ ବ୍ଲାକମେଲର ଶୀକାର ହୋଇ ଜୀବନ ହାରିଥିଲେ ବ୍ୟାଙ୍କ ମ୍ୟାନେଜର

ସୋନପୁର – ବରଗଡ଼ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ଘଟଣା ଉପରୁ ପରଦା ହଟାଇଛି ପୋଲିସ ।
ନ୍ୟୁଡ କଲ୍‌ ଭାଇରାଲ ହେବା ଭୟରେ ସେ ଜୀବନ ହାରିଥିଲେ ବୋଲି ପୋଲିସ କହିଛି । ବ୍ଲାକମେଲରଙ୍କ ଟ୍ରାପରୁ ମୁକୁଳିବା ପାଇଁ ସେ ଗଣିଥିଲେ ୨୬ ଲକ୍ଷ ଟଙ୍କା । ଏହାପରେ ବି ବାରମ୍ବାର ଭିଡିଓ ଭାଇରାଲ ଧମକ ମିଳିବାରୁ ଶେଷରେ ଅଙ୍ଗ ନଦୀକୁ ଡେଇଁ ପଡ଼ିଥିଲେ ଦିବ୍ୟ ରଞ୍ଜନ । ଦିବ୍ୟ ରଞ୍ଜନ ମିଶ୍ର ଆତ୍ମହତ୍ୟା କରିଥିବା ଘଟଣା ଚାରିଆଡ଼େ ଚର୍ଚ୍ଚାର କାରଣ ପାଲଟିଥିଲା । ତେବେ ସେ କାହିଁକି ଆତ୍ମହତ୍ୟା କଲେ, ତାହା ରହସ୍ୟ ହୋଇ ରହିଥିଲା ।

ଆଜି ସାମ୍ବାଦିକ ସମ୍ମିଳନୀରେ ଦିବ୍ୟରଞ୍ଜନଙ୍କ ଆତ୍ମହତ୍ୟା ନେଇ ସବିଶେଷ ସୂଚନା ଦେଇଛନ୍ତି ସୋନପୁର ଏସ୍‌ପି ଅମରେଶ ପଣ୍ଡା । ଏସ୍‌ପିଙ୍କ ସୂଚନା ଅନୁସାରେ, ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟ ରଂଜନଙ୍କୁ ନ୍ୟୁଡ କଲ କରି ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଏହି ଗ୍ୟାଙ୍ଗରେ ପ୍ରାୟ ୫ ଜଣ ଥିଲେ। ଗ୍ୟାଙ୍ଗର କିଛି ସଦସ୍ୟ ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ଦିବ୍ୟରଞ୍ଜନଙ୍କ କଳା କାରନାମାର ପର୍ଦ୍ଦାଫାଶ କରିଦେବେ ବୋଲି ଧମକ ଦେଇଥିଲେ। ଏଥିନିମନ୍ତେ ସେମାନେ ମୋଟା ଅଙ୍କର ଟଙ୍କା ମାଗି ଚାଲିଥିଲେ।

ଲୋକଲଜ୍ଜା ଭୟରେ ଦିବ୍ୟରଞ୍ଜନ ବ୍ଲାକମେଲରଙ୍କ ୫ଟି ଆକାଉଣ୍ଟକୁ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ୧୫,୭୧୦ ଟଙ୍କା ଅନଲାଇନ୍‌ ଟ୍ରାଞ୍ଜାକସନ କରିଥିଲେ। ଦିବ୍ୟରଞ୍ଜନଙ୍କ ଆତ୍ମହତ୍ୟା ପରେ ଘଟଣାର ଖୋଳତାଡ଼ କରି ପୋଲିସ୍‌ ଏହା ଜାଣିବାକୁ ପାଇଲା। ଏହାପରେ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍‌ ରାଜସ୍ଥାନରେ ପହଞ୍ଚି ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଏହି ଘଟଣାର ମାଷ୍ଟର ମାଇଣ୍ଡ ମେହବୁବ ଓ ତାଙ୍କ ଶଳା ଆଦିଲ ।