ପଦ୍ମପୁର ଉପନିର୍ବାଚନ : ମାଓ ପ୍ରବଣ ଅଞ୍ଚଳରେ ନିର୍ଭୟରେ ଭୋଟ ଦେଲେ ଲୋକେ  | News Room Odisha

ପଦ୍ମପୁର ଉପନିର୍ବାଚନ : ମାଓ ପ୍ରବଣ ଅଞ୍ଚଳରେ ନିର୍ଭୟରେ ଭୋଟ ଦେଲେ ଲୋକେ 

ବରଗଡ – ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହେଲା ପରେ ଏବେ ଫଳାଫଳକୁ ସମସ୍ତଙ୍କ ଅପେକ୍ଷା । ବିଧାୟକ ବିଜୟ ସିଂ ବରିହାଙ୍କ ମୃତ୍ୟୁ ପରେ ଖାଲି ପଡିଥିବା ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନମଣ୍ଡଳୀ ଆସନ ପାଇଁ ଶାନ୍ତି ଶୃଙ୍ଖଳାର ସହ ଭୋଟିଂ ଶେଷ ହୋଇଛି । ଏଥର ରେକର୍ଡ ଭୋଟିଂ ହୋଇଛି । ବଡକଥା ହେଲା ଯେ, ମାଓ ପ୍ରବଣ ଅଞ୍ଚଳରେ ସୁରୁଖୁରୁରେ ମତଦାନ ହୋଇଛି ।

ପଦ୍ମପୁର ଓ ପାଇକମାଳ ମାଓ ପ୍ରବଣ ଅଞ୍ଚଳରେ ରହିଥିବା ଗାଁମାନଙ୍କରେ ଲୋକେ ନିର୍ଭୟରେ ମତଦାନ କରିଛନ୍ତି । କିଛିଦିନ ତଳେ ବରଗଡ ବଲାଙ୍ଗୀର ସୀମାନ୍ତ ଅଞ୍ଚଳରେ ଜଣେ ମାଓବାଦୀ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ନିହତ ହୋଇଥିବା ବେଳେ ପଦ୍ମପୁର ଓ ପାଇକମାଳ ରାସ୍ତାରେ ମାଓ ପୋଷ୍ଟର ଦେଖାଯାଇଥିଲା । ଏହାକୁ ନେଇ ସେଠାକାର ଲୋକେ ଭୟଭୀତ ଥିଲେ । ନିର୍ବାଚନ ଥିବାରୁ ଏହି ଅଞ୍ଚଳରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସେସବୁ ଅଞ୍ଚଳରେ ସୁରୁଖୁରୁରେ ଭୋଟିଂ ଶେଷ ହୋଇଛି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଏଠାକାର ଲୋକଙ୍କୁ ନିର୍ଭୟରେ ମତଦାନ ପାଇଁ ଅନୁରୋଧ ମଧ୍ୟ କରାଯାଇଥିଲା । ମତଦାନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା ସହିତ ଟ୍ରାଞ୍ଜିଟ ବୁଥର ବ୍ୟବସ୍ଥା କରାଯାଇଥିଲା । ମାଓ ପ୍ରବଣ ଅଞ୍ଚଳରେ କରାଯାଇଥିବା ବୁଥଗୁଡିକରେ ପୂର୍ବ ଦିନରୁ ଇଭିଏମ ଓ ନିର୍ବାଚନ କର୍ମଚାରୀଙ୍କୁ ରଖାନଯାଇ ଅନ୍ୟ ସ୍ଥାନରେ ସୁରକ୍ଷିତ ରଖାଯାଇଥିଲା । ସୋମବାର ସକାଳୁ ଇଭିଏମ ଗୁଡିକୁ ବୁଥକୁ ଅଣାଯାଇଥିଲା ଓ ନିର୍ଦ୍ଧାରିତ ସମୟରେ ମତଦାନ ଆରମ୍ଭ ହୋଇଥିଲା ।