ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ, ସାକାର ହେବ ଇଫୁ ମଲ୍ଲିକଙ୍କ ଡାକ୍ତର ହେବାର ସ୍ୱପ୍ନ  | News Room Odisha

ସହାୟତାର ହାତ ବଢାଇଲେ ମୁଖ୍ୟମନ୍ତ୍ରୀ, ସାକାର ହେବ ଇଫୁ ମଲ୍ଲିକଙ୍କ ଡାକ୍ତର ହେବାର ସ୍ୱପ୍ନ 

ଭୁବନେଶ୍ବର – କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳର ଆଦିବାସୀ ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କ ଡାକ୍ତର ହେବା ସ୍ବପ୍ନ ସାକାର ହେବ। ଡାକ୍ତର ହେବାର ସ୍ବପ୍ନ ପୂରଣ ପାଇଁ ବିଲରେ ଖଟୁଥିବା ଇଫୁଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଫୁଙ୍କ ଡାକ୍ତରୀ ପାଠପଢ଼ା ଖର୍ଚ୍ଚ ପାଇଁ ମୁଖ୍ୟମନ୍ତ୍ରୀ ଦେଇଛନ୍ତି ଆର୍ଥିକ ସହାୟତା ।ମୁଖ୍ୟମନ୍ତ୍ରୀଙ୍କ ସହାୟତ ପରେ ଇଫୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡ଼ିଆକିଆ ପଞ୍ଚାୟତରେ ବାଗରା ମିଲା ଗ୍ରାମର ଦିନ ମଜୁରିଆର ପୁଅ ଇଫୁ ମଲ୍ଲିକ । ପିଲାବେଳୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ।ପରିବାରରେ ବୃଦ୍ଧ ବାପା, ମା’, ବଡ଼ ଭାଇ ଓ ସାନ ଭଉଣୀ ଅଛନ୍ତି। ହେଲେ କେହି ମଧ୍ୟ ରୋଜଗାରିଆ ନୁହନ୍ତି। ପିଲାଟି ବେଳୁ ଅଭାବ ଅନଟନରେ ବଢ଼ିଥିବା ଇଫୁଙ୍କର ପାଠପଢ଼ା ପ୍ରତି ପ୍ରବଳ ଆଗ୍ରହ ରହିଛି। ବିନା କୌଣସି ସାହାଯ୍ୟ ସହଯୋଗରେ ସେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାରେ ବେଶ୍ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିଲେ। ଚଳିତ ବର୍ଷ ନିଟ‌୍‍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଇଫୁ କୋରାପୁଟ ସ୍ଥିତ ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜରେ ନାମ ଲେଖାଇଥିଲେ ମଧ୍ୟ ଆସନ୍ତା ୫ ବର୍ଷ ପାଇଁ ନିଜର କଲେଜ ଫି, ହଷ୍ଟେଲ ଫି ତଥା ପାଠପଢ଼ା ଖର୍ଚ୍ଚ କେଉଁଠୁ ଯୋଗାଡ଼ କରିବେ ସେ ନେଇ ଚିନ୍ତାରେ ଥିଲେ । ଖର୍ଚ୍ଚ ପାଇଁ ସେ ବିଲରେ ମଜୁରୀ ଲାଗୁଛନ୍ତି ତ କେତେବେଳେ ଜିନିଷ ବୋହି ଆଣୁଛନ୍ତି। ଏମିତି କାମଧନ୍ଦା କରି ସେ ନିଜ ପାଠପଢ଼ା ପାଇଁ ଅର୍ଥ ଯୋଗାଡ଼ କରିପାରିବେ ବୋଲି ଆଶା ରଖିଥିଲେ।

ଇଫୁଙ୍କ ଏ ସଂଘର୍ଷର ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ ହେବାର ୬ ଘଣ୍ଟା ମଧ୍ୟରେ ପାଠପଢ଼ା ପାଇଁ ପାଣ୍ଠି ମଞ୍ଜୁର କରିଛନ୍ତି । ହଷ୍ଟେଲ ଫି ପାଇଁ ଇଫୁ ଆଉ ମଜୁରିଆ ସାଜିବେନି । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ ପାଣ୍ଡିଆନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ନବୀନ ନିବାସକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି ।