ତୃତୀୟ ଦିନିକିଆ: ବାଂଲାଦେଶକୁ ୨୨୭ ରନର ହରାଇଲା ଭାରତ | News Room Odisha

ତୃତୀୟ ଦିନିକିଆ: ବାଂଲାଦେଶକୁ ୨୨୭ ରନର ହରାଇଲା ଭାରତ

ଚଟୋଗ୍ରାମ୍: ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ଟିମ୍ ଇଣ୍ଡିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ ସହ ତୃତୀୟ ଦିନିକିଆରେ ବାଂଲାଦେଶକୁ ୨୨୭ ରନର ବଡ଼ ବ୍ୟବଧାନରେ ହରାଇଛି । ଏହି ବିଜୟ ସହ ଭାରତ କ୍ଲିନ୍ ସୁଇପରୁ ବର୍ତ୍ତିଛି। ଦିନିକିଆ କ୍ରିକେଟରେ ରନ୍ ଦୃଷ୍ଟିରୁ ବାଂଲାଦେଶ ଉପରେ ଏହା ଭାରତର ସର୍ବ ବୃହତ ବିଜୟ। ଏହା ପୂର୍ବରୁ ୨୦୦୩ ରେ ଭାରତ ୨୦୦ ରନରେ ବାଂଲାଦେଶକୁ ପରାସ୍ତ କରିଥିଲା। ଭାରତର ଏହି ବିଜୟର ହିରୋ ଥିଲେ ଯୁବ ବ୍ୟାଟ୍ସମ୍ୟାନ୍ ଇଶାନ କିଶନ । ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଖେଳୁଥିବା ଇଶାନ କିଶନ ଦ୍ରୁତତମ ଦ୍ୱିଶତକ ସହ ରେକର୍ଡ ସୃଷ୍ଟି କରିଥିଲେ ।

ଭାରତ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ଇଶାନ କିଶନଙ୍କ ଦ୍ୱିଶତକୀୟ ଶତକ ଏବଂ ବିରାଟ କୋହଲି ୪୪ ତମ ଦିନିକିଆ ଶତକ ସହାୟତାରେ ଭାରତ ୫୦ ଓଭରରେ ୮ ୱିକେଟ୍ ହରାଇ ୪୦୯ ରନର ବିଶାଳ ସ୍କୋର୍ କରିଥିଲା ​​|

ଦିନିକିଆ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ସହ ଇଶାନ ବିଶ୍ୱ ରେକର୍ଡ କରିଥିଲେ | ସେ ମାତ୍ର ୧୨୬ ବଲରେ ଦ୍ୱିଶତକ ହାସଲ କରିଥିଲେ।

ଏହାର ଜବାବରେ ବାଂଲାଦେଶ ଦଳ ଇଶାନଙ୍କ ବ୍ୟକ୍ତିଗତ ସ୍କୋର ମଧ୍ୟ ଟପି ପାରିନଥିଲା । ୪୧୦ ରନର ବିଜୟ ଲକ୍ଷ୍ୟର ପିଛା କରି ବାଂଲାଦେଶ ୩୪ ଓଭରରେ ୧୮୨ ରନରେ ଅଲ୍ଆଉଟ୍ ହୋଇଥିଲା । ଦଳ ତରଫରୁ ଶାକିବ ଅଲ ହାସନ ସର୍ବାଧିକ ୪୩ ରନ କରିଥିଲେ। ଶାର୍ଦ୍ଦୁଲ ଠାକୁର ଭାରତ ପକ୍ଷରୁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ଭାରତୀୟ ଏକାଦଶରେ ସାମିଲ ହୋଇଥିବା ଇଶାନ କିଶନ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ଦ୍ୱିଶତକ ହାସଲ କରିବାର କୀର୍ତ୍ତିମାନ ହାସଲ କରିଛନ୍ତି । ସେ ମାତ୍ର ୧୨୬ ବଲରେ ଦ୍ୱିଶତକ ପୂରଣ କରି କ୍ରିସ ଗେଲଙ୍କ ରେକର୍ଡ (୧୩୮ ବଲ୍) ଭାଙ୍ଗିଛନ୍ତି । ଇଶାନ ୧୩୧ ବଲରେ ୨୪ଟି ଚୌକା ଓ ୧୦ଟି ଛକା ସହାୟତାରେ ୨୧୦ ରନର ବିସ୍ଫୋରକ ଇନିଂସ୍ ଖେଳିଥିଲେ।

ଇଶାନଙ୍କ ବ୍ୟତୀତ ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ ଦିନିକିଆ କ୍ୟାରିୟରର ୪୪ ତମ ଶତକ ହାସଲ କରିଥିଲେ। କୋହଲି ୧୨୧୪ ଦିନ ପରେ ଏହି ଫର୍ମାଟରେ ଏକ ଶତକ ହାସଲ କରିଛନ୍ତି | ସେ ନିଜର ଶେଷ ଶତକ ୧୪ ଅଗଷ୍ଟ ୨୦୧୯ରେ ପୋର୍ଟ ଅଫ୍ ସ୍ପେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସ୍କୋର କରିଥିଲେ। ଏହା ପରେ ସେ ୨୫ ଇନିଂସ ଧରି ଶତକ ହାସଲ କରିପାରି ନଥିଲା।

ଇଶାନ ଏବଂ ବିରାଟଙ୍କ ଇନିଂସ ବଳରେ ଭାରତ ଷଷ୍ଠ ଥର ପାଇଁ ଦିନିକିଆରେ ୪୦୦ରୁ ଊର୍ଦ୍ଧ୍ବ ସ୍କୋର କରିଥିଲା। ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ୱାଶିଂଟନ୍ ସୁନ୍ଦର ୩୭ ଏବଂ ଅକ୍ଷର ପଟେଲ ୨୦ ରନ୍ କରିଥିଲେ। ଶିଖର ଧାୱନ(୩) ଏବଂ ଶ୍ରେୟସ୍ ଆୟର(୩) ଶୀଘ୍ର ଆଉଟ୍ ହୋଇଥିଲେ। ଏହି ମ୍ୟାଚରେ ଅଧିନାୟକ ଦାୟିତ୍ବ ତୁଲାଇଥିବା କେଏଲ୍ ରାହୁଲ ମାତ୍ର ୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ ।