ଛତିଶଗଡରୁ ଭୋଜି ଖାଇ ଫେରିବା ବେଳେ ୪ ନିଖୋଜ, ଅପହରଣ ସନ୍ଦେହ | News Room Odisha

ଛତିଶଗଡରୁ ଭୋଜି ଖାଇ ଫେରିବା ବେଳେ ୪ ନିଖୋଜ, ଅପହରଣ ସନ୍ଦେହ

ନବରଙ୍ଗପୁର – ଭୋଜି ଖାଇ ଫେରୁଥିବା ବେଳେ ୪ ଜଣଙ୍କୁ ଅପହରଣ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ଉମରକୋଟ ସହରରୁ । ଏନେଇ କାଙ୍କେରା ଥାନାରେ ଅଭିଯୋଗ ହୋଇଥିବା ବେଳେ ଉମରକୋଟ ଆଇଆଇସି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନା ଅନୁସାରେ, ଉମରକୋଟର ସପନ ସରକାର ଗତ ୧୦ ତାରିଖରେ ଛତିଶଗଡର କାଁକେରାକୁ ଭୋଜି ଖାଇବା ପାଇଁ ଯାଇଥିଲେ । ସେଠାରୁ ନିଜ ସମ୍ପର୍କୀୟଙ୍କ ଘର କଣ୍ଡଗାଁକୁ ଫେରୁଥିବା ବେଳେ ନିଖୋଜ ହୋଇଯାଇଥିବା କାଁକେରା ଥାନାରେ ଅଭିଯୋଗ ହୋଇଛି । ସପନ ସରକାରଙ୍କ ସହ ତାଙ୍କ ସ୍ତ୍ରୀ ରୀତା ସରକାର, ଶାଳକ ବିଶ୍ୱଜିତ ଅଧିକାରୀ ଓ ପଡୋଶୀ ହଜାରି ଢାଲି ରହିଛନ୍ତି ।

ଭୋଜି ଖାଇସାରି ଶନିବାର ରାତି ପ୍ରାୟ ୧୦ଟା ୩୦ରେ ସେମାନେ କଣ୍ଡଗାଁ ଅଭିମୁଖେ ବାହାରିଥିଲେ । କିନ୍ତୁ ଘରେ ପହଞ୍ଚି ନଥିଲେ । ଏହାରି ଭିତରେ ପରିବାର ଲୋକ ବ୍ୟସ୍ତ ହୋଇ ଫୋନ ଲଗାଇଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନଥିଲା । ସପନଙ୍କ ପୁଅ ବହୁ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ପତ୍ତା ମିଳିନଥିଲା । ଏହାପରେ ତାଙ୍କ ପୁଅ କାଁକେରା ଥାନାରେ ଏକ ଏତଲା ଦେଇଛନ୍ତି । ଉମରକୋଟ ଆଇଆଇସି ଦୀପକ କୁମାର ଜେନା ସପନ ସରକାରଙ୍କ ତଦନ୍ତ ଆରମ୍ଭ କରିଛନ୍ତି ।